ଛତ୍ରପୁର: ୟୁପିର ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀ ପୂରା ଦେଶ ଜାଣିଛି। ଜ୍ୟୋତି ମୌର୍ଯ୍ୟ ଏସଡିଏମ ହେବା ପରେ ନିଜ ସ୍ବାମୀଙ୍କୁ ଛାଡ଼ିବା ଅଭିଯୋଗ ହେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି।
ଅନ୍ୟପଟରେ ଏହାରି ଭିତରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ମହିଳା ନିଜ ଦିବ୍ୟାଙ୍ଗ ସ୍ୱାମୀକୁ କୋଳରେ ଧରି ଜିଲ୍ଳାପାଳଙ୍କ ନିକଟରେ ପହଞ୍ଚିଛନ୍ତି। ସାମ୍ବାଦିକମାନେ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କ କୋଳରେ ଧରିଥିବାର ଦେଖି ପ୍ରଶ୍ନ ପଚାରିବାରୁ ସେ କହୁଥିବାର ଶୁଣିବାକୁ ମିଳିଛି ଯେ ‘ମୁଁ ଜ୍ୟୋତି ମୌର୍ଯ୍ୟ ନୁହେଁ ଯେ ମୋ ସ୍ବାମୀଙ୍କୁ ଛାଡ଼ିଦେବି।’ ତାପରେ ସେ ନିଜ ସ୍ୱାମୀଙ୍କ ଯନ୍ତ୍ରଣା ବିଷୟରେ କହି କାନ୍ଦିବାକୁ ଲାଗିଥିଲେ।
ସ୍ୱାମୀଙ୍କୁ କୋଳରେ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ମହିଳାଙ୍କ ନାମ ହେଉଛି ପ୍ରିୟଙ୍କା ଗୌଡ଼। ପ୍ରିୟଙ୍କାଙ୍କୁ ବର୍ତ୍ତମାନ ୨୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କୁ ୩୦ ବର୍ଷ। ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଅଂଶୁଲ୍ ଗୌଡ଼ ଦିବ୍ୟାଙ୍ଗ ହୋଇ ଯାଇଛନ୍ତି। ବର୍ତ୍ତମାନ ସେ ନିଜ ଗୋଡ଼ରେ ଚାଲିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ସ୍ତ୍ରୀ ପ୍ରିୟଙ୍କା ଅଂଶୁଲ୍ଙ୍କ ପାଇଁ ଏକମାତ୍ର ସାହାରା। ପ୍ରିୟଙ୍କା ୨୦୧୭ ମସିହାରେ ଅଂଶୁଲଙ୍କୁ ବିବାହ କରିଥିଲେ। ୨୦୧୯ ମସିହା ଫେବ୍ରୁଆରିରେ ଏକ ସଡ଼କ ଦୁର୍ଘଟଣାରେ ଅଂଶୁଲଙ୍କର ଏପରି ଅବସ୍ଥା ହୋଇଛି।
ତାଙ୍କ ଗୋଡ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ସେ ଚାଲିବାକୁ ବି ଅସମର୍ଥ। ପକ୍ଷାଘାତ ରୋଗରେ ମଧ୍ୟ ପୀଡିତ। ସେବେଠାରୁ ପତ୍ନୀ ତାଙ୍କ ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ସାହାଯ୍ୟ ମାଗି ବିଭିନ୍ନ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ଆର୍ଥିକ ସଙ୍କଟରେ ପଡ଼ି ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କ ପାଇଁ ଚାରିଆଡ଼େ ନିବେଦନ କରୁଛନ୍ତି। ପରିବାରର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରିୟଙ୍କା ସଂଘର୍ଷ ଜାରି ରଖିଛନ୍ତି। କିନ୍ତୁ ତାଙ୍କୁ ସାହାଯ୍ୟ କରିବାକୁ କେହି ହେଲେ ଆଗକୁ ଆସୁନାହାଁନ୍ତି।
ଏବେ ପୁଣି ଥରେ ପ୍ରିୟଙ୍କା ଗୌଡ଼ ତାଙ୍କ ସ୍ୱାମୀଙ୍କୁ କୋଳରେ ନେଇ ଜିଲ୍ଲାପାଳଙ୍କ ନିକଟରେ ସାହାଯ୍ୟ ପାଇଁ ପହଞ୍ଚିଥିଲେ। ଏଠାରେ ଜିଲ୍ଲାପାଳ ତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।