ମହାପର୍ବର ଦିନ ମାଘ ସପ୍ତମୀ : କେବଳ ବୁଡ଼ ନୁହେଁ, କୋଣାର୍କରେ ହୁଏ ସୂର୍ଯ୍ୟଦେବଙ୍କ ବାହୁଡ଼ା ଯାତ୍ରା

ମାଘ ସପ୍ତମୀ- ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଏକ ମହାପର୍ବର ଦିନ। କାରଣ, ଏହି ଦିନ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତ ସି˚ହାରଙ୍କର ଆବିର୍ଭାବ ଘଟିଥିଲା। ସେହିପରି, ଏହି ଦିନ ମଧ୍ୟ ଆଦିକବି ସାରଳା ଦାସ, ଭାଗବତକାର ଜଗନ୍ନାଥ ଦାସ ଓ କବିସୂର୍ଯ୍ୟ ବଳଦେବ ରଥଙ୍କର ତିରୋଧାନ ଘଟିଥିଲା।  କେବଳ ସାହିତ୍ୟ ନୁହେଁ, ଆମ ସ˚ସ୍କୃତି ଓ ପରମ୍ପରା ଦୃଷ୍ଟିରୁ ମଧ୍ୟ ଏହି ଦିନଟି ମହତ୍ତ୍ବପୂର୍ଣ୍ଣ। କାରଣ, ଏହି ଦିନ ଅର୍କକ୍ଷେତ୍ର କୋଣାର୍କଠାରେ ସୂର୍ଯ୍ୟଦେବଙ୍କ ରଥର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ।

‘ପଦ୍ମକେଶର ଦେଉଳ କର୍ମାଙ୍ଗୀ’ କୋଣାର୍କ ମନ୍ଦିରର ସେବାପୂଜା ସ˚ପର୍କରେ ଏକ ପ୍ରାଚୀନ ପୋଥି। ପରେ ଏହା ମୁଦ୍ରିତ ଓ ସ˚କଳିତ ମଧ୍ୟ ହୋଇଛି। ସେଥିରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା ସ˚ପର୍କରେ ବର୍ଣ୍ଣନା ରହିଛି। ସେଥିରୁ ଜଣାଯାଏ ଯେ ପୂର୍ବେ ଏହି ରଥଯାତ୍ରା ତିନି ଦିନ ଧରି ଅନୁଷ୍ଠିତ ହେଉଥିଲା। ଏହା ମାଘ ଶୁକ୍ଳ ପଞ୍ଚମୀରୁ ଆରମ୍ଭ ହୋଇ ମାଘ ଶୁକ୍ଳ ସପ୍ତମୀରେ ଶେଷ ହେଉଥିଲା। କିନ୍ତୁ ଏବେ ସୂର୍ଯ୍ୟଦେବଙ୍କର ଏହି ରଥଯାତ୍ରା ଶାମ୍ବ ଦଶମୀରୁ ଆରମ୍ଭ ହୋଇ ମାଘ ସପ୍ତମୀରେ ଶେଷ ହେଉଛି। ଅର୍ଥାତ୍‌, ଦୀର୍ଘ ୨୭ ଦିନ ଧରି ଏହି ପର୍ବ ପାଳିତ ହେଉଛି।

ବର୍ତ୍ତମାନର ପ୍ରଚଳିତ ଧାରା ଅନୁସାରେ, କୋଣାର୍କର ଅବଧୂତ ମଠରୁ ଶାମ୍ବ ଦଶମୀ ଦିନ ଏହି ରଥଯାତ୍ରାର ଆରମ୍ଭ ହୁଏ। ସୂର୍ଯ୍ୟଦେବଙ୍କର ଚଳନ୍ତି ପ୍ରତିମା ପହଣ୍ତି ହୋଇ ରଥକୁ ଆସନ୍ତି ଏବ˚ ଅବଧୂତ ମଠର ଏକ ଶାଖା- ଛୋଟାରାମ ଦାସ ମଠକୁ ଯାଇ ୨୭ ଦିନ ଅବସ୍ଥାନ କରନ୍ତି। ସେଠାରେ ଚନ୍ଦ୍ରଭାଗା ନଦୀର ଜଳରେ, ୨୭ ଦିନରେ ୨୭ଟି ନକ୍ଷତ୍ରରେ ତାଙ୍କର ପୂଜାର୍ଚ୍ଚନା କରାଯାଏ। ତାଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୁଏ ମାଘ ସପ୍ତମୀରେ।

ସାରଳା ‘ମହାଭାରତ’ର ‘ବନପର୍ବ’ରେ ଚନ୍ଦ୍ରଭାଗା ତୀର୍ଥର ବର୍ଣ୍ଣନା ଅଛି। ଚନ୍ଦ୍ରଭାଗା ଏକ ଲୁପ୍ତ ନଦୀ। କିନ୍ତୁ କୋଣାର୍କ ମନ୍ଦିରର ନିର୍ମାଣ ବେଳେ ଏହା ସ୍ରୋତସ୍ବିନୀ ଥିଲା। ସମୁଦ୍ର ସହ ଚନ୍ଦ୍ରଭାଗା ନଦୀର ସ˚ଗମସ୍ଥଳ ଠାରେ କୋଣାର୍କ ମନ୍ଦିରର ନିର୍ମାଣ ହୋଇଥିଲା। ‘ପ୍ରାଚୀ ମାହାତ୍ମ୍ୟ’ରେ ଚନ୍ଦ୍ରଭାଗା ନଦୀକୁ ‘ପ୍ରାଚୀ-ଚିତ୍ରୋତ୍ପଳା’ କୁହାଯାଇଛି। ଅର୍ଥାତ୍‌, ଏହା ଗଙ୍ଗା ପରି ପବିତ୍ର। ଏଣୁ ମାଘ ସପ୍ତମୀରେ ଏଠାରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଦର୍ଶନ କଲେ ପରମ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।

ଏବେ ବି ଚନ୍ଦ୍ରଭାଗା ଠାରେ ଏହି ମାଘ ସପ୍ତମୀ ବୁଡ଼ର ପରମ୍ପରା ଅବ୍ୟାହତ ଅଛି। ଚନ୍ଦ୍ରଭାଗା ଏବେ ଲୁପ୍ତ ହୋଇଯାଇଥିବାରୁ, ସେହି ମୁହାଣଠାରେ ଅସ୍ଥାୟୀ ଭାବରେ ଖୋଳା ହେଉଥିବା ଏକ ପୁଷ୍କରିଣୀରେ ଲୋକେ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ପ୍ରାର୍ଥନା କରିଆସୁଛନ୍ତି।

କିନ୍ତୁ ମନେହୁଏ, ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାବେଳେ, ଆମେ ଏହି ଦିନଟିର ଅନ୍ୟାନ୍ୟ ମହତ୍ତ୍ବ ସବୁକୁ ସତେ ଯେମିତି ପାଶୋରି ଯାଇଥାଉ। ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଗୋଟିଏ ଲେଖାରେ କହିଛନ୍ତି, ‘‘ମାଘ ସପ୍ତମୀ ଓଡ଼ିଆ ସାହିତ୍ୟ ଓ ସ˚ସ୍କୃତିର ଏକ ପ୍ରବହମାନ, ପ୍ରାଣଚଞ୍ଚଳ ଧାରା।’’ ଏଣୁ ଏହାକୁ ସ୍ମରଣ ରଖିଲେ ହିଁ ଆମେ ଜାତିର ଏ ମହାପର୍ବର ଦିନଟି ପାଇଁ ଗର୍ବ ଅନୁଭବ କରିପାରିବା।

ସମ୍ବନ୍ଧିତ ଖବର