ଚୁମ୍ବକ ମଣିଷ ଜେମି କିଟୋନ!

ଲିଉଡ୍‌ ଫିଲ୍ମ ‘ଏକ୍ସ ମେନ୍‌’ ଏକ ଲୋକପ୍ରିୟ ସିନେମା। ଏହି ସିନେମାଟିରେ ଲୋକମାନଙ୍କ ଭିତରେ ଥିବା ଅଲୌକିକ ଶକ୍ତିକୁ ପ୍ରଦର୍ଶନ କରାଯାଇଛି। ତେବେ ବାସ୍ତବରେ କ’ଣ ଏଭଳି ଚରିତ୍ର ଅଛନ୍ତି। ହଁ, ଏଭଳି ଚରିତ୍ରଟିଏ ହେଉଛନ୍ତି ଜେମି କିଟୋନ। ଏକ ଅଲୌକିକ ଶକ୍ତିସଂପନ୍ନ ଚରିତ୍ରଟିଏ ପରି ସେ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି। ସେ ନିଜର ଶରୀରରେ କେନ୍‌ ଏବଂ ବୋତଲ ଚୁମ୍ବକରେ ଲୁହା ଲାଗିରହିବା ପରି ଲଗାଇ ରଖୁଛନ୍ତି।

ନିଜର ଏହି ଅଲୌକିକ ଶକ୍ତିକୁ କିଟୋନ ସମାଜସେବା କ୍ଷେତ୍ରରେ ମଧ୍ୟ ବ୍ୟବହାର କରୁଛନ୍ତି। ନିଜର ମୁଣ୍ଡରେ ପାଣିର ବୋତଲ ରଖି ସେ ସେଥିରେ ହାତ ନ ଲଗାଇ ଲୋକଙ୍କୁ ପିଇବାକୁ ଦେଉଛନ୍ତି। ଆମେରିକାର ଚିକାଗୋରେ ରହୁଥିବା କିଟୋନ ତାଙ୍କ ଶରୀରର ଏଭଳି ଚୁମ୍ବକୀୟ କ୍ଷମତାକୁ ନେଇ ବେଶ୍‌ ପରିଚିତ ହୋଇ ପାରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ‘କ୍ୟାନ୍‌ ହେଡ୍‌’ ନାମରେ ମଧ୍ୟ ପରିଚିତ। ଥରେ କିଟୋନ ନିଜର ହାତ ନ ଲଗାଇ ଜନୈକା ମହିଳାଙ୍କୁ ମୁଣ୍ଡରେ ଥିବା ବୋତଲରୁ ପାଣି ଢାଳି ପିଇବାକୁ ଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ସେଠାରେ ଆଉ କିଛି ଲୋକଙ୍କୁ ମଧ୍ୟ ସେ ପାଣି ପିଆଇ ଥିଲେ। ଏହାପରେ ସେଠାରେ ଉପସ୍ଥିତ ଜଣେ ଲୋକକୁ ସେ କୋଲ୍‌ଡ୍‌ ଡ୍ରିଙ୍କ୍‌ସର ଏକ କେନ୍‌ ଦେଇ ତାକୁ ଭଲ ଭାବେ ପରଖି ଦେଖି ନେବାକୁ କହିଥିଲେ। କାରଣ ଲୋକମାନଙ୍କ ମନରେ ସେ କୌଣସି ଶଙ୍କା ରଖିବାକୁ ଚାହୁ ନ ଥିଲେ। ଲୋକଟି ଭଲକରି ଦେଖିବା ପରେ ସେ କେନ୍‌ଟିକୁ ନେଇ ନିଜ ହାତରେ ଲଗାଇ ଦେଇଥିଲେ। ଚୁମ୍ବକରେ ଲୁହା ଲାଗିରହିବା ପରି ତାଙ୍କ ହାତରେ କେନ୍‌ଟି ଲାଗି ରହିଥିଲା। ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

କିଟୋନ ହାତ ପାଦ ମୁଣ୍ଡ ପରି ଶରୀରର ଯେ କୌଣସି ଅଂଶରେ ବୋତଲ, କେନ୍‌ ଆଦି ସହଜରେ ଲଗାଇ ପାରନ୍ତି। ମଜାକଥା ହେଲା ଯେତେବେଳେ ବି ସେ ବଜାରକୁ ଯାଆନ୍ତି କିଛି ସାମଗ୍ରୀ ସେ ଏମିତି ଶରୀରରେ ଲଗାଇ ଆଣିଥା’ନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ଲୋକମାନେ ଭିଡ଼ ମଧ୍ୟ କରନ୍ତି। କେହି କେହି ତାଙ୍କ ସହ ଫଟୋ ମଧ୍ୟ ନେଇଥା’ନ୍ତି। ପ୍ରକୃତ କଥାଟି ହେଲା ଏହା କିଟୋନଙ୍କର କୌଣସି ଅଦ୍ଭୁତ ଶକ୍ତି ନୁହେଁ, ଏହା ତାଙ୍କର ଏକ ଅଦ୍ଭୁତ ରୋଗ। ସେହି ରୋଗ କାରଣରୁ ତାଙ୍କର ଶରୀରରେ ବିଭିନ୍ନ ସାମଗ୍ରୀ ଲାଖି ରହି ଯାଇଥାଏ। ବିଶେଷଜ୍ଞମାନଙ୍କ କହିବା ମୁତାବକ କିଟୋନଙ୍କ ଶରୀରର ତାପମାତ୍ରା ମଣିଷ ଶରୀରର ସାଧାରଣ ତାପମାତ୍ରାଠାରୁ ଢେର୍‌ ଅଧିକ ଏବଂ ଏହି କାରଣରୁ ତାଙ୍କର ତ୍ୱଚା କୌଣସି ସାମଗ୍ରୀ ଲଗାଇଲେ ତାହା ଲାଖିଯାଏ। କିିଟୋନଙ୍କ ଏହି ଅସାଧାରଣ କ୍ଷମତା ପାଇଁ ତାଙ୍କର ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ୪୭ ବର୍ଷୀୟ କିଟୋନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଶରୀରରେ ଆବଶ୍ୟକତାଠାରୁ ଅଧିକ ତାପମାତ୍ରା ରହୁଥିବାରୁ ତାଙ୍କର ତ୍ୱଚା ଏକ ସକ୍‌ସନ କପ୍‌ ପରି କାର୍ଯ୍ୟ କରିଥାଏ ଏବଂ ସେହି କାରଣରୁ କୌଣସି ସାମଗ୍ରୀ ତାଙ୍କ ଶରୀରରେ ସହଜରେ ଲାଖି ଯାଇଥାଏ। ତ୍ୱଚା ବିଶେଷଜ୍ଞ ମାନେ ମଧ୍ୟ ତାଙ୍କର ଏହି ରୋଗ ସଂପର୍କରେ ଅନୁରୂପ ମତ ଦିଅନ୍ତି।


କିଟୋନଙ୍କୁ ଯେତେବେଳେ ସାତ ବର୍ଷ ସେ ତାଙ୍କ ଶରୀରର ଏହି ଅଦ୍ଭୁତ ଶକ୍ତିକୁ ଜାଣି ପାରିଥିଲେ। ସେ ଖେଳୁଥିବା ଖେଳନାଗୁଡ଼ିକ ତାଙ୍କ ଶରୀରରେ ଲାଖି ଯାଉଥିଲା। ଏକଥା ସେ ଯେତେବେଳେ ତାଙ୍କର ପରିବାର ଲୋକଙ୍କୁ କହିଲେ ସେମାନେ ପ୍ରଥମେ ଭାବି ନେଇଥିଲେ ଯେ କିଟୋନ ଦେବଦାରୁ ଗଛରେ ଚଢ଼ୁଥିବାରୁ ତା’ର ପ୍ରଭାବରେ ତାଙ୍କର ଶରୀର ଅଠାଳିଆ ହେଇଯାଉଛି, ତେଣୁ ଖେଳନାଗୁଡ଼ିକ ଲାଗି ଯାଉଛି। ମାତ୍ର ଏମିତି ବାରମ୍ବାର ହେବାରୁ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ଏବଂ ଏହା ଯେ ଏକ ରୋଗ ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିଟୋନ ଏହି କଥା ବହୁଦିନ ଧରି ଅନ୍ୟମାନଙ୍କଠାରୁ ଲୁଚାଇ ରଖିଥିଲେ। କାଳେ ତାଙ୍କୁ କିଏ ଗୁଣିଗାରେଡ଼ି ଶିଖୁଥିବା ବାଳକ ବୋଲି ଭାବିନେବ।

ଏଭଳି ଏକ ରୋଗ ସଂପର୍କରେ ଚିନ୍ତା କରି କିଟୋନ ଭାଙ୍ଗି ପଡ଼ିଥିଲେ। ମାତ୍ର ସେ ଧୀରେ ଧୀରେ ଅନୁଭବ କଲେ ଯେ ତାଙ୍କ ପ୍ରତି ଲୋକମାନଙ୍କର ଉତ୍ସୁକତା ବଢ଼ିବାରେ ଲାଗିଛି। ଲୋକମାନେ ତାଙ୍କର ଏହି ଅଦ୍ଭୁତ ଶକ୍ତିକୁ ଦେଖିବା ପାଇଁ କିଛି କିଛି ପଇସା ମଧ୍ୟ ତାଙ୍କୁ ଦେଉଛନ୍ତି। ତା’ପରେ ସେ ଚିନ୍ତା ଛାଡ଼ିଦେଲେ ଏବଂ ଏହି ଶକ୍ତିକୁ ସେ ନିଜର କ୍ୟାରିୟର୍‌ ଭାବେ ବାଛିନେଲେ। ଏବେ ଏବେ କିଟୋନ ଦିନକୁ ପ୍ରାୟ ୧୫୦୦ ଡଲାର ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି। ବଡ଼ ବଡ଼ ବ୍ରାଣ୍ଡ୍‌ର କମ୍ପାନିଗୁଡ଼ିକ ନିଜ ସାମଗ୍ରୀର ଏକ ନିଆରା ପ୍ରଦର୍ଶନ ପାଇଁ କିଟୋନଙ୍କ ସହ ଚୁକ୍ତି କରିଛନ୍ତି। ଏଥିରୁ ସେ ଭଲ ରୋଜଗାର କରିପାରୁଛନ୍ତି। ଗତ ବର୍ଷ ସେ ନିଜ ମୁଣ୍ଡ ଉପରେ ସର୍ବାଧିକ ବୋତଲ ରଖି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର