ବିଭିନ୍ନ ପୀଠରେ ଦେବୀଙ୍କୁ ବିଭିନ୍ନ ମନ୍ତ୍ରରେ ଆବାହନ କ‌ରାଯାଏ। ତେବେ ବନଦୁର୍ଗା ମନ୍ତ୍ରରେ ପ୍ରାୟତଃ ସବୁ ପୀଠରେ ମା’ଙ୍କୁ ପୂଜା କରାଯାଏ। ଏହା ତାନ୍ତ୍ରିକ ମନ୍ତ୍ର। କିଛି ପଣ୍ଡିତ ଏହାକୁ ବାମାଚାର ମନ୍ତ୍ର ଭାବେ ଅଭିହିତ କରନ୍ତି। ପ୍ରଚଳିତ ପଦ୍ଧତିରେ ବାମାଚାର, ଦକ୍ଷିଣାଚାର, ମିଶ୍ରାଚାରକୁ ମିଶାଇ ପୂଜା କରାଯାଉଛି। ପୀଠ ଓ ମଣ୍ଡପମାନଙ୍କରେ ମିଶ୍ରାଚାରରେ ପୂଜା ପ୍ରଚଳିତ ଏବଂ ଦକ୍ଷିଣାଚାରରେ ତନ୍ତ୍ରମତରେ ପୂଜା ହୁଏ। ମା’ ଦୁର୍ଗାଙ୍କ ପୂଜା ମିଶ୍ରାଚାର ଓ ଦକ୍ଷିଣାଚାରରେ କରାଯାଏ। ମା’ କାଳୀ, ତ୍ରିପୁରା ଓ ତାରାଙ୍କ ପୂଜା ବାମାଚାରରେ କରାଯାଏ। କେଉଁ କେଉଁ ମନ୍ତ୍ରରେ ଦେବୀଙ୍କୁ କିପରି ପୂଜା କରାଯାଏ ପଢ଼ନ୍ତୁ ଏଥରର ପ୍ରମୁଖ ପ୍ରସଙ୍ଗରେ...
ଉପସ୍ଥାପନା: ପ୍ରଜ୍ଞା ନିବେଦିତା ନାୟକ

Advertisment

ଚଉଦିଗ ଦୁର୍ଗାମୟ। ମା’ ଦୁର୍ଗାଙ୍କ ଆରାଧନାରେ ଦଶଦିଗ ମୁଖରିତ। ଅଧର୍ମର ଅବସାନ ଘଟାଇ ଧର୍ମ ସଂସ୍ଥାପନ ଲାଗି ସେ ଆବିର୍ଭୂତା। ସକଳ ଦୁର୍ଗତିରୁ ଉଦ୍ଧାର କରୁଥିବାରୁ ସେ ଦୁର୍ଗା- ‘‘ଦୁର୍ଗ+ଆ।’’ ‘ଦୁର୍ଗ’ର ଅର୍ଥ ବିପଦ ବା ଦୁର୍ଗତି, ‘ଆ’ ଅର୍ଥ ନଷ୍ଟ କରିବା। ସେ ସର୍ବଦୁଃଖ ହରଣକାରିଣୀ। ପୁଣି ଦୁର୍ଗା ‌ପାଞ୍ଚ ଅକ୍ଷରର ସମ୍ମିଳିତ ପରିପ୍ରକାଶ- ‘‘ଦ୍‌+ଉ+ର୍‌+ଗ୍‌+ଆ।’’ ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁ ଯିଏ ଉଦ୍ଦିଷ୍ଟ, ‘ଉ’ ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ‘ର’ ସମସ୍ତ ରୋଗର ଯିଏ ବିନାଶକାରୀ, ‘ଗ’ ସକଳ ପାପର ଯିଏ କ୍ଷୟକାରୀ, ‘ଆ’ର ଅର୍ଥ ସମସ୍ତ ଭୟର ଯେ ହରଣକାରୀ। 

ଆଶ୍ବିନର ଶୁଭଲଗ୍ନରେ ମହିଷାସୁରମର୍ଦ୍ଦିନୀ ଭାବେ ମା’ ପୂଜିତା। ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ କଥାନୁଯାୟୀ, ସ୍ବର୍ଗଲୋକର ସମସ୍ତ ଦେବତା ମହିଷାସୁର ଅତ୍ୟାଚାରରେ ଅତିଷ୍ଠ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜକୁ ନେଇ କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କରିବାରୁ ମାଆ ଦୁର୍ଗା ପ୍ରକଟହେଲେ। ସବୁ ଦେବତା ‌ନିଜର ଆୟୁଧ ଦେବୀଙ୍କୁ ପ୍ରଦାନ କରି ତାଙ୍କୁ ବଳଶାଳୀ କରାଇଲେ। ମହିଷାର ଅସୁରବଳ ସହ ଯୁଦ୍ଧ କରି ସଭିଙ୍କୁ ନିପାତ କଲେ ଦେବୀ ଦୁର୍ଗା। ଶେଷରେ ମହିଷାସୁର ନିଜ ମାୟାବୀ ଶକ୍ତିଦ୍ୱାରା ଦେବୀଙ୍କୁ ଆକ୍ରମଣ କଲା। ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହାଦେବ ତାଙ୍କୁ ମଧୁପାନ କରାଇ ପୁନଶ୍ଚ ଯୁଦ୍ଧରେ ନିମଗ୍ନ କରାଇଲେ। ଭୟଙ୍କର ଯୁଦ୍ଧରେ ତିନିଲୋକ ଥରହର ହେଲା। ଶେଷରେ ଦେବୀ ଶୂଳରେ ମହିଷାର ହୃଦୟକୁ ଘାତ କଲେ ଏବଂ ଖଡ୍‌ଗ ଦ୍ୱାରା ଶିରଛେଦନ କଲେ। ତାହାଥିଲା ଚୈତ୍ର ଶୁକ୍ଳ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ। ତେଣୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ଓ ମହାମାୟା ରୂପେ ପୂଜା କରାଯାଏ। ଦଶମୀ ଦିନ ସମସ୍ତ ଦେବତା ଦେବୀଙ୍କ ବିଜୟାଭିଷେକ କରିଥିଲେ। ଏହିଦିନକୁ ବିଜୟା ଦଶମୀ ଭାବେ ପାଳନ କରାଯାଏ। ସେହିପରି ତ୍ରେତୟା ଯୁଗରେ ରାବଣକୁ ଯୁଦ୍ଧରେ ପରାସ୍ତ କରିବାକୁ ଶ୍ରୀରାମ ଚୈତ୍ର ବଦଳରେ ଆଶ୍ୱିନରେ ଦେବୀଙ୍କୁ ଆବାହନ କରିଥିଲେ। ସେହିଦିନରୁ ଉଭୟ ଚୈତ୍ର ଓ ଆଶ୍ବିନ ମାସରେ ଦେବୀଙ୍କୁ ପୂଜା କରାଯାଏ। 

ମାତୃ ଆରାଧନାର ତାତ୍ପର୍ଯ୍ୟ ସଂପର୍କରେ ବେଦ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ ଶର୍ମା କହନ୍ତି, ‘‘ଆମ ସନାତନ ସଂସ୍କୃତି ହିଁ ମାତୃପୂଜାରୁ ଆରମ୍ଭ। ବେଦ ଉଦାତ୍ତ କଣ୍ଠରେ କହିଛନ୍ତି, ‘ଓଁ ମାତୃଦେବୋ ଭବଃ’। ଏଇଠୁ ଆରମ୍ଭ ହୋଇଛି ଆମ ସଂସ୍କାର। ଆମ ସମାଜ, ଧର୍ମରେ ମାଆଙ୍କୁ ଉଚ୍ଚସ୍ଥାନ ଦିଆଯାଇଛି। ତେଣୁ ମାତୃପୂଜା ଆମ ସଂସ୍କୃତିର ମୂଳପିଣ୍ଡ, ମୂଳବୀଜ। ଏଣୁ କୁହାଯାଇଛି, ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’। ଯେଉଁଠି ମାଆଙ୍କୁ ସମ୍ମାନ ଦିଆଯାଏ ନାହିଁ କିମ୍ବା ମାତୃପୂଜା କରାଯାଏ ନାହିଁ ସେହି ଗୃହ, ଭୂମି ଓ ଭୂ-ଖଣ୍ଡ ନଷ୍ଟ ହୋଇଯାଏ। ବର୍ଷକେ ୪ଥର; ବାସନ୍ତିକ ନବରାତ୍ର, ଆଶ୍ବିନ ବା ଶାରଦୀୟ ନବରାତ୍ର ଏବଂ କାର୍ତ୍ତିକ ଓ ମାଘ ମାସରେ ଦେବୀ ପୂଜନର ବିଧି ରହିଛି। ତେବେ ବାସନ୍ତିକ ଓ ଶାରଦୀୟ ନବରାତ୍ର ହେଉଛନ୍ତି ଜାଗ୍ରତ ନବରାତ୍ର ଏବଂ କାର୍ତ୍ତିକ ଓ ମା‌ଘ ନବରାତ୍ର ହେଉଛି ଗୁପ୍ତ ବା ସୁପ୍ତ ନବରାତ୍ର। ଏଣୁ ଦେବୀ ପୂଜନ ଆମ ସଂସ୍କୃତି ପାଇଁ ଅତୀବ ଗୁରୁତ୍ବପୂର୍ଣ୍ଣ।’’ ଓଡ଼ିଶାରେ ଚୈତ୍ରରେ ବାସନ୍ତିକ ଦୁର୍ଗାପୂଜା ଓ ଆଶ୍ବିନରେ ଶାରଦୀୟ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥାଏ। ‌ଆଶ୍ବିନରେ ଦେବୀପୀଠମାନଙ୍କରେ ଷୋଳଦିନବ୍ୟାପୀ ଷୋଡ଼ଶ ଉପଚାର ପୂଜାବିଧି ସଂପନ୍ନ ହୁଏ। ଏହା ମହାପୂଜା ଭାବେ ଅଭିହିତ ଏବଂ ଏହି ଷୋଡ଼ଶ ଉପଚାର ପୂଜା ଗୁପ୍ତନୀତିରେ କରାଯାଏ।

ଷୋଡ଼ଶ ଉପଚାର ପୂଜାବିଧି କ’ଣ?
ଆମ ରାଜ୍ୟରେ ପ୍ରଚଳିତ ଶାରଦୀୟ ଦୁର୍ଗାପୂଜା ଦୁଇମାର୍ଗୀ। ଉତ୍କଳୀୟ ମତରେ ‘ପୀଠ’ରେ ପୂଜାର୍ଚ୍ଚନା ହେଉଥିବା ବେଳେ ବଙ୍ଗୀୟ ମତରେ ‘ମଣ୍ଡପ’ରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା ହୋଇ ପୂଜା କରାଯାଉଛି। ଶକ୍ତିପୀଠମାନଙ୍କରେ ‌ଷୋଡ଼ଶଦିନାତ୍ମକ ପୂଜା ଅନୁଷ୍ଠିତ ହୁଏ, ଅର୍ଥାତ୍‌ ମୂଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ। ଏହି ‌େଷାଡ଼ଶଦିନ ଅନ୍ତର୍ଗତ ନବରାତ୍ର ପୂଜା, ନବରାତ୍ର ଅନ୍ତର୍ଗତ ପଞ୍ଚଦିନାତ୍ମକ ପୂଜା, ପଞ୍ଚଦିନାତ୍ମକ ପୂଜା ଅନ୍ତର୍ଗତ ତ୍ରିଦିନାତ୍ମକ ପୂଜା। ଏହି ପଞ୍ଚଦିନାତ୍ମକ ପୂଜାରେ ଷଷ୍ଠୀବୋଧନ, ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଓ ମହାଦଶମୀ ଅନ୍ତର୍ଭୁକ୍ତ। ସେହିପରି ତ୍ରିଦିବସୀୟ ପୂଜା ହେଉଛି ଅଷ୍ଟମୀ, ନବମୀ ଓ ଦଶମୀ ଏବଂ ଦ୍ବିଦିବସୀୟ ପୂଜା ହେଲା ସପ୍ତମୀ ଓ ଅଷ୍ଟମୀ। ଏକଦିବସୀୟ ପୂଜା ହେଉଛି ମହାଷ୍ଟମୀ। ପୀଠମାନଙ୍କରେ ୧୬ଦିନରେ ଷୋଡ଼ଶ ଉପଚାରରେ ଓ ରାଜ ଉପଚାରରେ ପୂଜା କରାଯାଏ।
ଦେବୀ ଆରାଧନା ଲାଗି ‘ତନ୍ତ୍ରସାର’ ଗ୍ରନ୍ଥରେ ଉଲ୍ଲିଖିତ ମନ୍ତ୍ରାବଳି ମଧ୍ୟରୁ ଏହି ବହୁପ୍ରଚଳିତ ମନ୍ତ୍ର ମା’ଙ୍କ ପୂଜନ ଶୈଳୀ ସଂପର୍କରେ ସୂଚିତ କରେ। 
‘‘ଆସନଂ ସ୍ବାଗତଂ ପାଦ୍ୟମର୍ଘ୍ୟମାଚମନୀୟକଂ
ମଧୁପର୍କାଚମଃ ସ୍ନାନ ବସନାଭରଣାନି ଚ
ସୁଗନ୍ଧଃ ସୁମନୋ ଧୂପଦୀପନୈବେଦ୍ୟବନ୍ଦନାତ୍‌
ତାମ୍ବୂଳମର୍ଚ୍ଚନାଂସ୍ତୋତ୍ରଂ ତର୍ପଣଂ ଚ ନମସ୍କ୍ରିୟା
ପ୍ରୟୋଜୟେଦର୍ଚ୍ଚନାୟାମୁପଚାରାଂସ୍ତୁ ଷୋଡ଼ଶ।’’
ଅର୍ଥାତ୍‌, ଏହି ବିଧିରେ ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ (ମଧୁପର୍କ ମୁଦ୍ରା: ଦକ୍ଷିଣ ହସ୍ତର ମଧ୍ୟମା ଓ ଅନାମିକା ଅଗ୍ରରେ ବୁଢ଼ା ଆଙ୍ଗୁଠି ସଂଯୋଗ କରି ଅଧୋମୁଖ କରିବା), ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ ପରି ଷୋଳ ‌ସୋପାନରେ ଦେବୀଙ୍କୁ ଆବାହନ କରାଯାଏ। ଏହାର ଆଚ୍ଛାଦନ ବସ୍ତ୍ର ଅଛି। ଆଚ୍ଛାଦନ ଉପରେ ପୁଷ୍ପ ବିକିରଣ କରାଯାଏ। ପୁଷ୍ପ ଉପରେ ବିଧି ଅନୁସାରେ ଷୋଡ଼ଶ ଉପଚାରର ପାତ୍ରଗୁଡ଼ିକ ଆସ୍ବାଦନ କରାଯାଏ। ପ୍ରତ୍ୟେକ ପାତ୍ରରେ ଷୋଳଟି ଗିନା ରହିଥାଏ। ତାହା ଆରକୁଟମୟ ଅର୍ଥାତ୍‌ ପିତ୍ତଳ, ରୁପା କିମ୍ବା ସ୍ବର୍ଣ୍ଣର ପାତ୍ର ହୋଇଥାଏ। କିନ୍ତୁ ତମ୍ବା ପାତ୍ରରେ ଉପଚାର କରାଯାଏ ନାହିଁ।

dgadagdd

ପୁଷ୍ପ, ନୈବେଦ୍ୟ ଓ ଭୋଗ ବିଧି
ଷୋଡ଼ଶ ଉପଚାରରେ ପୁଷ୍ପ, ନୈବେଦ୍ୟ ଓ ଭୋଗାର୍ପଣର ସ୍ବତନ୍ତ୍ର ବିଧି ରହିଛି। ଆସନେ ପଞ୍ଚ ପୁଷ୍ପାଣି ଅର୍ଥାତ୍‌ ମା’ଙ୍କ ଆସନରେ ୫ ପ୍ରକାର ଫୁଲ ଅର୍ପଣ ହୁଏ। ସ୍ବାଗତେ ଷଟ୍‌ ପୁଷ୍ପାଣି, ଅର୍ଥାତ୍‌ ସ୍ବାଗତରେ ୬ ପ୍ରକାର ଫୁଲ ଦେବୀଙ୍କୁ ଅର୍ପଣ କରାଯାଏ। ଏହିକ୍ରମରେ ଷୋଳ ଉପଚାରରେ ୧୬ଟି ଦ୍ରବ୍ୟ ଦିଆଯାଏ। ନୈବେଦ୍ୟରେ ଚର୍ବ୍ୟ-ଚୋଷ୍ୟ-ଲେହ୍ୟ-ପେୟ ଅର୍ପଣ କରାଯାଏ। ଏହା ଦୀର୍ଘତମ ଓ ବ୍ୟୟବହୁଳ ପୂଜା, କାରଣ ଦେବୀ ହେଉଛନ୍ତି ଶାକମ୍ଭରୀ। ଏଣୁ ତାଙ୍କୁ ବିଭିନ୍ନପ୍ରକାର ଫଳ, ଫୁଲ, ମିଠା, ପିଠା, ଖିରି, ଖେଚୁଡ଼ି, ବେସର, ମହୁର, ବିରିଖଜା ଆଦି ସ୍ବାଦିଷ୍ଠ ବ୍ୟଞ୍ଜନ ଅର୍ପଣ କରାଯାଏ। ପୁରୀ ଷୋଳଶାସନରେ ଏହାକୁ ପରାପୂଜା ବୋଲି କହନ୍ତି। ପ୍ରତି ଶାସନର ପାଳି ପଡ଼େ ଏବଂ ପିଠାର ମାତ୍ରା ଅନୁସାରେ ଉକ୍ତ ଶାସନ ଦେବୀପୀଠରେ ଭୋଗଲାଗି କରାନ୍ତି। ମଣ୍ଡପରେ ବିରାଜିତା ମୃଣ୍ମୟୀ ମୂର୍ତ୍ତିଙ୍କୁ କିଛି ସ୍ଥାନରେ ଷୋଡ଼ଶ ଉପଚାରରେ ପୂଜା କରାଯାଉଥିବା ବେଳେ ଅନ୍ୟକିଛି ସ୍ଥାନରେ ପଞ୍ଚୋପଚାରରେ ପୂଜା ଅନୁଷ୍ଠିତ ହୁଏ।

ଦେବୀଙ୍କ ପୂଜାରେ ମନ୍ତ୍ରବିଧି
କୁହାଯାଏ, ମନନାତ୍‌ ତ୍ରାୟତେ ଇତି ମନ୍ତ୍ରଃ। ଏହାର ଭାବାର୍ଥ ହେଲା, ମନନ କଲେ ଯାହା ଆମକୁ ରକ୍ଷା କରେ ତାହା ହେଉଛି ମନ୍ତ୍ର। ତେଣୁ ମା’ଙ୍କ ମନକୁ ତୁଷ୍ଟ କରିବା ଲାଗି ମନ୍ତ୍ର ହିଁ ପ୍ରକୃଷ୍ଟ ସାଧନ। ବିଭିନ୍ନ ପୀଠରେ ଦେବୀଙ୍କୁ ଭିନ୍ନଭିନ୍ନ ମନ୍ତ୍ରରେ ଆବାହନ କ‌ରାଯାଏ। ଏହା ଅନେକାଂଶରେ ଗୁପ୍ତବିଧି। ହେଲେ ବନଦୁର୍ଗା ମନ୍ତ୍ରରେ ପ୍ରାୟତଃ ସବୁ ପୀଠରେ ମା’ଙ୍କୁ ପୂଜା କରାଯାଏ। ଏହା ସଂପୂର୍ଣ୍ଣ ତାନ୍ତ୍ରିକ ମନ୍ତ୍ର। ଏହାକୁ କିଛି ପଣ୍ଡିତ ବାମାଚାର ମନ୍ତ୍ର ଭାବେ ଅଭିହିତ କରନ୍ତି। ପ୍ରଚଳିତ ପଦ୍ଧତିରେ ବାମାଚାର, ଦକ୍ଷିଣାଚାର, ମିଶ୍ରାଚାରକୁ ମିଶାଇ ପୂଜା କରାଯାଉଛି। ପୀଠ ଓ ମଣ୍ଡପମାନଙ୍କରେ ମିଶ୍ରାଚାରରେ ପୂଜା ପ୍ରଚଳିତ ଏବଂ ଦକ୍ଷିଣାଚାରରେ ତନ୍ତ୍ରମତରେ ପୂଜା ହୁଏ। ମା’ ଦୁର୍ଗାଙ୍କ ପୂଜା ମିଶ୍ରାଚାର ଓ ଦକ୍ଷିଣାଚାରରେ କରାଯାଏ। ମା’ କାଳୀ, ତ୍ରିପୁରା ଓ ତାରାଙ୍କ ପୂଜା ବାମାଚାରରେ କରାଯାଏ। ଶାସ୍ତ୍ରାନୁସାରେ ପଞ୍ଚ ଉପଚାରରେ ବାମାଚାର ପୂଜା ଅନୁଷ୍ଠିତ ହୋଇଥାଏ। ଏହି ପୂଜା କେବଳ ବାମାଚାରୀ ବା ‌ଅଘୋରୀମାନେ ହିଁ କରନ୍ତି। ନିମ୍ନୋକ୍ତ ଶ୍ଲୋକରେ ଏହାର ବ୍ୟାଖ୍ୟା କରାଯାଇଛି-
‘‘ମଦ୍ୟଂ ମାସଂ ତଥା ମତ୍ସ୍ୟଂ ମୁଦ୍ରା ମୈଥୁନମେବଚ
ମକାର ପଞ୍ଚ ଦେବେସି ଯୋଗୀନାଂ ସିଦ୍ଧିଦାୟକମ୍‌’’।  
ଶାସ୍ତ୍ରାନୁମୋଦିତ ପଦ୍ଧତିରେ ଓଡ଼ିଶାର ବିଭିନ୍ନ ଦେବୀପୀଠରେ ପୂଜାର୍ଚ୍ଚନା କରାଯାଉ ଥିଲେ ହେଁ ମନ୍ତ୍ରରେ ଭିନ୍ନତା ପରିଲକ୍ଷିତ ହୋଇଥାଏ।

ଶାରଦୀୟ ଦୁର୍ଗାପୂଜା ମା’ ବିମଳାଙ୍କର ଏକ ବିଶେଷ ଉତ୍ସବ। ମା’ଙ୍କର ପୂଜାବିଧି ଓ ଉପଚାର ‌୧୬ ଦିନ ହୋଇଥାଏ। ଯେଉଁବର୍ଷ ଅଧିମାସ ପଡ଼େ ଏହା ୧୬ ଦିନ ପରିବର୍ତ୍ତେ ୪୬ ଦିନ ଅନୁଷ୍ଠିତ ହୋଇଥାଏ। ଆଶ୍ବିନ କୃଷ୍ଣ ଅଷ୍ଟମୀରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଏହି ଷୋଳପୂଜା ହୋଇଥାଏ। ଆଶ୍ବିନ ଅଷ୍ଟମୀ ତିଥିରେ ପତିମହାପାତ୍ର ସେବକ ମାଆ କନକଦୁର୍ଗାଙ୍କୁ ଭଣ୍ଡାରଘରୁ ଆଣି ସୁଭଦ୍ରାଙ୍କ ବାଡ଼ରେ ବିଜେ କରନ୍ତି। ମା’ ଦୁର୍ଗା ସୁଭଦ୍ରାଙ୍କଠୁ ଆଜ୍ଞାମାଳ ଆଣନ୍ତି। ଏହାପରେ ଏକାକ୍ଷରୀ ମନ୍ତ୍ର ଉଚ୍ଚାରଣ କରି ରୁପା ଗଡୁରେ ସୁବାସିତ ଜଳରେ ମା’ଙ୍କର ଜଳାଭିଷେକ କରାହୁଏ। ପ‌େଞ୍ଚାପଚାର ବିଧିରେ ମା’ଙ୍କୁ ଶୀତଳ ଭୋଗଲାଗି ହୁଏ। ବନ୍ଦାପନା ପରେ ଭଣ୍ଡାରଦ୍ବାରରେ ପଡ଼ିଥିବା ପ୍ରଭା ଆସନରେ ବିଜେ କରାଯାଏ। ସେଠୁ ମାଧବଙ୍କୁ ଅଣାଯାଇ ଏକତ୍ର ରୁନ୍ଧା କରାଯାଏ। ଏହାପରେ ମହାଜନ ସେବକ ହାତରେ ଦୁର୍ଗାମାଧବଙ୍କୁ ରତ୍ନସିଂହାସନକୁ ବିଜେ କରାନ୍ତି। ମାଧବ ଶ୍ରୀଜଗନ୍ନାଥଙ୍କ ପାଖରୁ ମଧ୍ୟ ଆଜ୍ଞାମାଳ ଆଣିଥା’ନ୍ତି। ମହାଜନ ସେବକ ଦୁର୍ଗାମାଧବଙ୍କୁ ଝୁଲଣ ମଣ୍ଡପସ୍ଥିତ ପାଲିଙ୍କିରେ ବିଜେ କରାନ୍ତି। ଗଜପତିଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣମାନେ ଷୋଡ଼ଶ ଉପଚାର ବିଧିରେ ଚଣ୍ଡୀପାଠ କରନ୍ତି। ପୂଜା ପରେ କର୍ପୂରଲାଗି ଓ ବଡ଼ଅାଳତି ହୁଏ। ଭୋଗଲାଗି ପରେ ଶ୍ରୀ ଜଗନ୍ନାଥଙ୍କ ପାଲିଙ୍କିରେ ଆସି ମା’ ବିମଳାଙ୍କ ମନ୍ଦିରରେ ଜଗମୋହନରେ ପଡ଼ିଥିବା ଖଟୁଲି ଉପରେ ବିଜେହୁଅନ୍ତି। ଏଠାରେ ତାଙ୍କୁ ପିଙ୍ଗଳରେ କର୍ପୂରଜଳ ଲାଗି କରାଯାଏ ଓ ଶୀତଳଜଳ ବଢ଼ାଯାଏ। ପୂଜାପଣ୍ଡା ପଞ୍ଚଉପଚାର ଭୋଗଲାଗି କରି ବନ୍ଦାପନା କରନ୍ତି। ଏହିବିଧିରେ ମା’ ବିମଳାଙ୍କ ପାଖରେ ସନ୍ଧ୍ୟାଧୂପ ଲାଗିହୁଏ। ସକାଳଧୂପ ପରେ ବରଣ ହୋଇଥିବା ବ୍ରାହ୍ମଣ ମା’ଙ୍କ ସମ୍ମୁଖରେ ଜପ କରନ୍ତି ଏବଂ ପ୍ରଧାନପୂଜକ ମା’ଙ୍କର ଷୋଳପୂଜା କରନ୍ତି। ଏହାପରେ ଶ୍ରୀ ଦୁର୍ଗାମାଧବ ପାଲିଙ୍କିରେ ବିଜେ ହୁଅନ୍ତି। ଶ୍ରୀମନ୍ଦିରରେ ଅଧାଘେରା ବୁଲିବା ପରେ ସାତପାହାଚ ଦେଇ ଜଗମୋହନକୁ ଆସନ୍ତି। ଏଠାରେ ଚନ୍ଦନକର୍ପୂର ଲାଗି ହୋଇଥାଏ। ଗରାବଡୁ ଅମୁଣିଆ ପାଣି ପକାଇ ଶୀତଳଭୋଗ ଲାଗି କରନ୍ତି। ୧୬ଦିନବ୍ୟାପୀ ଏହିପରି ଭାବେ ଶ୍ରୀଦୁର୍ଗାମାଧବଙ୍କ ପୂଜାନୀତି ଶ୍ରୀମନ୍ଦିରରେ ପାଳିତ ହୁଏ। 

ଉଲ୍ଲେଖଯୋଗ୍ୟ, ଏହି ପୂଜାରେ ଶ୍ରୀଦୁର୍ଗାମାଧବ ପ୍ରଥମ ୮ଦିନ ମା’ ବିମଳାଙ୍କ ମନ୍ଦିରରେ ପୂଜା ପାଉଥିବା ବେଳେ ଅନ୍ୟ ୮ଦିନ ଦୋଳମଣ୍ଡପସାହିସ୍ଥିତ ନାରାୟଣୀ ମନ୍ଦିରକୁ ଯାଆନ୍ତି। ଏଠାରେ ମଧ୍ୟ ଶ୍ରୀଦୁର୍ଗାମାଧବଙ୍କ ଉକ୍ତ ବିଶେଷ ପୂଜାବିଧି ପାଳିତ ହୁଏ। ଏହାପରେ ପାଲିଙ୍କି‌େର ଶ୍ରୀଦୁର୍ଗାମାଧବ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରି ଭଣ୍ଡାରଦ୍ବାର ପା‌ଖେ ବିଜେ ହୁଅନ୍ତି। ମହାନବମୀ ଦିନ ମଧ୍ୟ ଶ୍ରୀଦୁର୍ଗାମାଧବଙ୍କୁ ପ୍ରଥମଦିନ ପରି ‌େବଶ, ଭୋଗ ଲାଗିକରି ବନ୍ଦାପନା କରାଯାଏ ଏବଂ ଶେଷଦିନ ମନ୍ଦିରକୁ ବାହୁଡ଼ି ଯାଆନ୍ତି। ଏହି ଯାତ୍ରାକୁ ‘ଶାକ୍ତ ଗୁଣ୍ଡିଚା’ ବୋଲି କୁହାଯାଏ। ଏହା ଦଶହରା ପର୍ଯ୍ୟନ୍ତ ଚାଲେ। ଆଶ୍ବିନ ଶୁକ୍ଳପକ୍ଷ ସପ୍ତମୀ ଯାଏ ମା’ ବିମଳାଙ୍କଠାରେ ସଙ୍ଖୁଡ଼ି ଭୋଗ ହୁଏନାହିଁ। ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ିଭୋଗ ହୋଇ ପୂଜାର୍ଚ୍ଚନା ହୁଏ। ଏହି ୩ଦିନ ନିଶାର୍ଦ୍ଧରେ ବଳିପଡ଼େ। ଷୋଳପୂଜାର ୧୬ ଦିନ ମା’ ବିମଳାଙ୍କ ମନ୍ଦିରକୁ ପ୍ରବେଶ ବାରଣ ଥାଏ।
(ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କ ‘ଶ୍ରୀମନ୍ଦିରରେ ଶ୍ରୀଦୁର୍ଗାମାଧବ ଉପାସନା’ ପ୍ରବନ୍ଧରୁ ଉଦ୍ଧୃତ)