ମହାଶିବରାତ୍ରୀ ଦିନ କେଉଁ ସମୟରେ ପୂଜା କଲେ ମହାଦେବ ପ୍ରସନ୍ନ ହେବେ ? ଜାଣନ୍ତୁ ବ୍ରତ ବିଧି

ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପାପ୍ରାର୍ଥୀ ହୁଅନ୍ତି ।

ଏବର୍ଷ ନାନା ବାଦବିବାଦ ପରେ ଶେଷରେ ଫେବ୍ରୁଆରୀ ୧୪ ତାରିଖ ବୁଧବାରଦିନ ପାଳନ ହେଉଛି ମହାଶିବରାତ୍ରୀ । ପଣ୍ଡିତ ମାନଙ୍କ ମତରେ ବୁଧବାରଦିନ ରାତି ୧୧ଟା ୩୫ରୁ ୧୨ଟା ୨୫ ପର୍ଯ୍ୟନ୍ତ ମହାଦେବଙ୍କ ଆରାଧନା ପାଇଁ ଏକ ଦୁର୍ଲ୍ଲଭ ଯୋଗ ରହିଛି । ତେବେ ଏହି ଶିବରାତ୍ରୀ ବା ଜାଗର ବ୍ରତର ନିୟମଗୁଡିକ କଣ ?

ମହାଶିବରାତ୍ରୀ ପାଳନର ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ରାନୁମୋଦିତ ବିଧି ରହିଛି । ଅତ୍ୟନ୍ତ ନିଷ୍ଠାର ସହିତ ଏହି ନିୟମ ଅନୁସାରେ ବ୍ରତ ରଖିଲେ ଭଗବାନ ଶଙ୍କରର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶିବରାତ୍ରୀ ପୂର୍ବଦିନ ଅର୍ଥାତ ତ୍ରୟୋଦଶୀ ତିଥିରେ ଗୋଟିଏ ଥର ସାତ୍ତ୍ୱିକ ଭୋଜନ କରିବାକୁ ହେବ । ଶିବରାତ୍ରୀ ଦିନ ସକାଳେ ନିତ୍ୟକର୍ମ ଓ ସ୍ନାନପରେ ବ୍ରତ ପାଇଁ ସଂକଳ୍ପ କରି ଉପବାସ ଆରମ୍ଭ କରିବେ । ଭକ୍ତିର ସହ ମହାଦେବଙ୍କୁ ଚିନ୍ତା କରି ସଂକଳ୍ପ କରିବେ । ଉପବାସ ଯେପରି ନିର୍ବିଘ୍ନରେ ସଫଳ ହେଉ ସେଥିପାଇଁ ଶିବଙ୍କୁ ପ୍ରାର୍ଥନା କରିବେ । ନିୟମ ଅନୁସାରେ ସାରା ଦିନ ଓ ସାରା ରାତି ଉପବାସ କରିବାକୁ ହେବ । ତେବେ ରୋଗୀ ତଥା ବୃଦ୍ଧ ଲୋକମାନେ ଫଳାହାର ଓ ଜଳପାନ କରି ବ୍ରତ ରଖିପାରିବେ । ଶିବରାତ୍ରୀ ଦିନ ସଂଧ୍ୟା ପୂର୍ବରୁ ପୁଣି ଥରେ ସ୍ନାନ କରି ପ୍ରଦୀପ ବା ଜାଗର ଜାଳିବା ଆରମ୍ଭ କରିବେ । ସମୁଦାୟ ରାତ୍ରୀକୁ ୪ଟି ପ୍ରହରରେ ବିଭକ୍ତ କରି ମହାଦେବଙ୍କ ପୂଜା କରାଯାଏ । ୪ର୍ଥ ପ୍ରହର ପରେ ଅର୍ଥାତ ପର ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ସ୍ନାନକରି ବ୍ରତ ଉଦଯାପନ କରିବା ସହ ଉପବାସ ଭାଙ୍ଗିବେ । ଉପବାସ ସମୟରେ ମହାଦେବ ଓ ମାତା ପାର୍ବତୀଙ୍କ ମାନସିକଭାବେ ସ୍ମରଣ ଓ ଭଜନ କରିବା ଉଚିତ ।

ଏଥର ଶିବରାତ୍ରୀର ପ୍ରଥମ ପ୍ରହର ପୂଜା ସମୟ ସଂଧ୍ୟା ୫ଟା ୪୧ମିନିଟରୁ ଆରମ୍ଭ ହୋଇ ରାତି ୮ଟା ୫୧ ପର୍ଯ୍ୟନ୍ତ ରହିଛି । ସେହିପରି ୮ଟା ୫୧ରୁ ୧୨ଟା ପର୍ଯ୍ୟନ୍ତ ୨ୟ ପ୍ରହର, ୧୨ଟାରୁ ରାତି ୩ଟା ୧୦ ପର୍ଯ୍ୟନ୍ତ ୩ୟ ପ୍ରହର ଓ ୪ର୍ଥ ପ୍ରହର ରାତି ୩ଟା ୧୦ରୁ ସକାଳ ୬ଟା ୧୯ ପର୍ଯ୍ୟନ୍ତ ୪ର୍ଥ ପ୍ରହର ରହିଛି ।

ସମ୍ବନ୍ଧିତ ଖବର