ପ୍ରଗତି ସାହୁ / ସୁକାନ୍ତ ପଣ୍ଡା
ଓଡ଼ିଶାରେ ଏଭଳି ଅନେକ ଶୈବପୀଠ ରହିଛି, ଯାହା ବହୁ ପ୍ରଚାରିତ ହୋଇ ନଥିଲେ ହେଁ ତାହାର ଐତିହାସିକ ମହତ୍ତ୍ବ ରହିଛି। ଏହି କ୍ରମରେ ଆସେ କଟକ ସହରଠାରୁ ଅଳ୍ପ ଦୂରରେ ଅବସ୍ଥିତ ବିରିବାଟିର ପରମହଂସନାଥ ପୀଠ। ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ ଶୈବପୀଠକୁ କେନ୍ଦ୍ରକରି ଅନେକ କାହାଣୀ, କିଂବଦନ୍ତି ଓ ଲୋକକଥା ଏବେ ବି ପ୍ରଚଳିତ। କାଠଯୋଡ଼ି ନଦୀକୂଳର ଏହି ଶୈବାଳୟଟି ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରସିଦ୍ଧ। ବିଶେଷକରି ଶିବରାତ୍ରି ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ଜନ୍ମ ନେବେ ଭୀମ!
କଟକ ସଦର ବ୍ଲକ୍ ଅର୍ନ୍ତଗତ ପରମହଂସ ଗ୍ରାମ କାଠଯୋଡ଼ି ନଦୀର ଉତ୍ତର ପାର୍ଶ୍ବରେ ରହିଛି ପ୍ରାଚୀନ ଶୈବପୀଠ ପରମହଂସନାଥ ଦେବଙ୍କ ମନ୍ଦିର। ଏହାର ପୂର୍ବରେ ପରମହଂସ ଗ୍ରାମ ଓ ପଶ୍ଚିମରେ ଗାଦି ଗୋସାଇଁ ପୀଠ ଅବସ୍ଥିତ। ଜନଶ୍ରୁତି କହେ, ଅଜ୍ଞାତବାସ ସମୟରେ ପାଣ୍ଡବମାନେ କିଛିଦିନ ଏହି ପୀଠରେ ଆତ୍ମଗୋପନ କରିଥିଲେ। ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ବର୍ଣ୍ଣନା ରହିଛି ଯେ, ମହାଭାରତ ଯୁଦ୍ଧର ଯେଉଁ ଓଳିଏ ଯୁଦ୍ଧ ବାକି ଅଛି ତାକୁ ଶେଷ କରିବାକୁ ଦ୍ବିତୀୟ ପାଣ୍ଡବ ଭୀମ ଏହି ଗ୍ରାମରେ ଜନ୍ମ ନେବେ। ଏହି କାହାଣୀ ପୀଠର ପ୍ରାଚୀନତାକୁ ଦର୍ଶାଏ।
ପୁନଃନିର୍ମାଣ କରିଥିଲେ ପୁରୁଷୋତ୍ତମ ଦେବ
କୁହାଯାଏ, ଗଜପତି ପୁରୁଷୋତ୍ତମଦେବ ରାଣୀ ପଦ୍ମାବତୀଙ୍କୁ ତୀର୍ଥ ଦର୍ଶନ କରାଇବା ପାଇଁ ନୌକାରେ ଆସି ଥରେ ଏଠାରେ ପହଞ୍ଚିଥିଲେ। ସେତେବେଳେ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ତୀର୍ଥାଟନ ପରେ ପ୍ରତାପରୁଦ୍ର ଜନ୍ମ ନେବାରୁ ରାଜା ଏଠାରେ ନୂତନ ମନ୍ଦିର ନିର୍ମାଣ କରାଇଥିଲେ। ଏହାକୁ ବିଚାରକୁ ନେଲେ ସମ୍ଭବତଃ ପଞ୍ଚଦଶ ଶତାବ୍ଦୀରେ ଏ ମନ୍ଦିର ପୁନଃନିର୍ମାଣ କାର୍ଯ୍ୟ ହୋଇଥିଲା। ଅନ୍ୟ ଲୋକକଥା ଅନୁଯାୟୀ, ଏହି ସ୍ଥାନରେ ଥିବା ଶୁକଦଣ୍ଡୀ ଗ୍ରାମରେ ସିନ୍ଧୁ ବେହେରା ନାମରେ ଜଣେ ଗୋପାଳକ ଥିଲେ। ତାଙ୍କ ଗାଆଁଠାରୁ ଅଳ୍ପ ଦୂରରେ ଏକ ଗାଈଠାରୁ ସର୍ପ କ୍ଷୀର ପିଉଥିବା ଦେଖି ସେ ତାକୁ ମାରିବାକୁ ଉଦ୍ୟତ ହେଲେ। କିନ୍ତୁ ହଠାତ୍ ତାଙ୍କ ହାତ ଅଚଳ ହୋଇଗଲା, ଆଉ ସଚଳ ହେଲାନାହିଁ। ବହୁ ପୂଜାର୍ଚ୍ଚନା ପରେ ସିନ୍ଧୁଙ୍କୁ ଗୋଟାଏ ହୁଙ୍କା ପୂଜା କରିବାକୁ ନିର୍ଦ୍ଦେଶ ମିଳିଲା। ଏହାପରେ ସେ ଆରୋଗ୍ୟ ହେଲେ। ଏହି ଘଟଣା ପରେ ରାଜା ସ୍ବପ୍ନାଦେଶ ପାଇ ନରାଜରୁ ପଥର ଆଣି ଏଠାରେ ମନ୍ଦିର ତୋଳାଇଲେ।
/sambad/media/media_files/2025/02/23/1omp5pyzJqcF1bHwVrVz.jpg)
ଶିବରାତ୍ରିର ପଞ୍ଚନୈବେଦ୍ୟ
ଶିବରାତ୍ରିରେ ଭକ୍ତମାନେ ଜଳାଭିଷେକ ସହ ଶିବଲିଙ୍ଗରେ ବେଲପତ୍ର, କ୍ଷୀର, ମହୁ ଓ ରୁଦ୍ରାକ୍ଷ ଦେଇ ପୂଜା କରିବାର ପରମ୍ପରା ରହିଛି। ଜଳ ଅର୍ପଣ କରିବା ଦ୍ୱାରା ସ୍ଥାନ, ମନ ଓ ଭକ୍ତି ଶୁଦ୍ଧୀକରଣ ହୋଇଥାଏ। ଜଳ ହେଉଛି ଜୀବନଚକ୍ରର ପ୍ରତୀକ। ଜଳାଭିଷେକ ଦ୍ବାରା ମହାଦେବଙ୍କ ଜ୍ବାଳା ଶାନ୍ତ ହୋଇଥାଏ। ସେ ଭକ୍ତ ଜୀବନକୁ ଶାନ୍ତ, ସରଳ ଓ ଶକ୍ତିଶାଳୀ ହେବାର ଆଶୀର୍ବାଦ ପ୍ରଦାନ କରନ୍ତି। ସେହିପରି ମହୁ ହେଉଛି ପ୍ରେମ ଓ ଭକ୍ତିର ପ୍ରତୀକ। ଶିବମନ୍ଦିର ଓ ଶିବଲିଙ୍ଗରେ ମହୁ ଅର୍ପଣ କଲେ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି। ଏହାଦ୍ୱାରା ଭକ୍ତ ଜୀବନରେ ସୁଖପ୍ରାପ୍ତି ହୁଏ ଏବଂ ବାଧାବିଘ୍ନ ଦୂରହୁଏ। କ୍ଷୀର ହେଉଛି ପବିତ୍ରତା ଓ ସୁସ୍ୱାସ୍ଥ୍ୟର ପ୍ରତୀକ। ମହାଦେବଙ୍କୁ କ୍ଷୀର ଅର୍ପଣ କରି ଶିବଲିଙ୍ଗରେ ଏହାକୁ ଘର୍ଷଣ କଲେ ଭକ୍ତକୁ ସୁନ୍ଦର ସ୍ୱାସ୍ଥ୍ୟ ତଥାଶାନ୍ତିର ଆଶୀର୍ବାଦ ମିଳିଥାଏ। ମହାଦେବଙ୍କୁ ବେଲପତ୍ର ଅର୍ପଣ କରାଯିବା ଅତ୍ୟନ୍ତ ଶୁଭଦାୟକ ଏବଂ ଏହା ସମୃଦ୍ଧି ଆଣିଥାଏ। ବେଲପତ୍ର ଦେଇ ଶିବପୂଜିଲେ ଭକ୍ତ ଶୁଦ୍ଧପୂତ ହୁଅନ୍ତି ଏବଂ ମହାଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ବେଲପତ୍ରଲାଗି ଭକ୍ତକୁ ଶୁଭଫଳ ପ୍ରାପ୍ତି କରାଇବା ସହିତ ତା’ ଜୀବନରେ ସମୃଦ୍ଧି ଆଣିଥାଏ। ଭଗବାନ ଶିବଙ୍କ ପୂଜାରେ ରୁଦ୍ରାକ୍ଷ ପ୍ରଦାନ ଅତ୍ୟନ୍ତ ପବିତ୍ର ସାବ୍ୟସ୍ତ ହୋଇଥାଏ। ଏହି ମହାଶକ୍ତିଶାଳୀ ପଞ୍ଚ ନୈବେଦ୍ୟରେ ଭଗବାନ କୈଳାସପତିଙ୍କୁ ଜାଗରରେ ପୂଜାକଲେ ମହାଦେବ ଭକ୍ତଙ୍କ ମନୋବାଞ୍ଛା ପୂରଣ କରନ୍ତି ବୋଲି କହନ୍ତି ଧବଳେଶ୍ୱର ଶିବପୂଜକ ପାର୍ଥସାରଥୀ ପତ୍ରୀ।
ଟେଲର୍ ସାହେବଙ୍କ ଘଣ୍ଟି
ପରମହଂସନାଥଙ୍କ ମହିମା ନେଇ ଲୋକମୁଖରେ ବହୁ କାହାଣୀ ପ୍ରଚଳିତ। ଇଂରେଜ ଶାସନ ସମୟରେ ଟେଲର୍ ସାହେବ ଏ ଅଞ୍ଚଳକୁ ହାତୀ ପିଠିରେ ବସି ଖଜଣା ଆଦାୟ କରିବାକୁ ଆସିଥିଲେ। ଘଟଣାଚକ୍ରରେ ହାତୀର ଗୋଡ଼ ଗଭୀର ପଙ୍କରେ ପଶିଗଲା। ବହୁ ଚେଷ୍ଟା ସତ୍ତ୍ବେ ହାତୀ ନ ଉଠି ପାରିବାରୁ ସେତେବେଳର ପୂଜକ ଦାମୋଦର ପଣ୍ଡା ଠାକୁରଙ୍କ ଆଜ୍ଞାମାଳ ଆଣି ହାତୀ ଉପରେ ପକାଇଦେଲେ। ହାତୀ ଆପେ ଆପେ ଉଠିଆସିଲା। ଟେଲର୍ ସାହେବ ଖୁସିହୋଇ ମନ୍ଦିରକୁ ଏକ ବଡ଼ ପିତ୍ତଳଘଣ୍ଟି ଉପହାର ଦେଇଥିଲେ। ଆଜି ପର୍ଯ୍ୟନ୍ତ ଏହି ଘଣ୍ଟି ମନ୍ଦିରରେ ଶୋଭା ପାଉଛି।
ଠାକୁର ନିଃଶ୍ବାସ ନିଅନ୍ତି
ସାଧାରଣ ଭାବେ ପ୍ରଭୁ ପରମହଂସନାଥ ଆଷାଢ଼ ଶ୍ରାବଣ ମାସରେ ଜଳଛାୟା ହୁଅନ୍ତି। କିନ୍ତୁ ୧୯୯୮ ମସିହାରେ ଠାକୁର ବୈଶାଖ ମାସରେ ଜଳଛାୟା ହେବା ଦେଖିବାକୁ ମିଳିଥିଲା ବୋଲି କହନ୍ତି ମନ୍ଦିରର ପୂଜକ ପ୍ରମୋଦ ପତି। ତାଙ୍କ କହିବା ଅନୁସାରେ, ଜାଗରରେ ବି ଠାକୁର ଜଳଛାୟା ହେବାର ଦୃଷ୍ଟାନ୍ତ ରହିଛି। ଏହି ସମୟରେ ଠାକୁର ଗର୍ଭଗୃହ ଭିତରେ ୩ରୁ ୪ଫୁଟ୍ ପାଣିରେ ବୁଡ଼ି ରହନ୍ତି। ମାର୍ଗଶିର ଶେଷରେ ଠାକୁର ଜଳଛାୟାରୁ ଉଠନ୍ତି। ଗର୍ଭଗୃହକୁ ପାଣି କେଉଁଠାରୁ ଆସେ ଏବଂ କୁଆଡ଼େ ଯାଏ ତାହା ଏବେ ବି ଅଜଣା। ଜଳଛାୟା ସମୟରେ ଠାକୁରଙ୍କ ପାଖରୁ ହାବୁକା ଉଠିଥାଏ। ଏହା ପ୍ରଭୁଙ୍କ ଶ୍ବାସକ୍ରିୟା ବୋଲି ବିଶ୍ବାସ ରହିଛି। ଜଳଛାୟା ସମୟରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଉପରେ ପୂଜା ପାଆନ୍ତି। ପ୍ରଭୁଙ୍କର ନୈବେଦ୍ୟ ଏଠାରେ ତୁଳସୀ ପତ୍ର ପକାଇ କରାଯାଇଥାଏ ବୋଲି ପୁରୋହିତ ପ୍ରମୋଦ ପତି କହିଛନ୍ତି। ପ୍ରତିବର୍ଷ ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କର ସେବକ ମହାରଥା ପରିବାରରୁ ଜଣେ ମହାଦୀପ ଉଠାଇବାକୁ ଏଠାକୁ ଆସିଥାନ୍ତି।
ରାଜ୍ୟର ଅନ୍ୟତମ ପ୍ରାଚୀନ ଶୈବପୀଠ ଭାବେ ପରିଗଣିତ ଏହି ମନ୍ଦିରେ ପାତାଳଫୁଟା ଲିଙ୍ଗ ପୂଜିତ ହୋଇଥାଏ। ଏଠାରେ ଦେବୀ ପାର୍ବତୀ, କାର୍ତ୍ତିକେୟ ଓ ଗଣେଶ ମଧ୍ୟ ପୂଜା ପାଇଥାଆନ୍ତି। ଏହି ପୀଠର ଆଉ ଏକ ବିଶେଷତ୍ବ ହେଲା, ମନ୍ଦିରର ବାହ୍ୟକାନ୍ଥରେ ଭଗବାନ ବିଷ୍ଣୁ ରହିଛନ୍ତି, ସମ୍ଭବତଃ ଏହା ସୋମବଂଶୀ ରାଜାଙ୍କ ଦ୍ବାରା ନିର୍ମିତ ବୋଲି ବିଶ୍ବାସ କରାଯାଏ। ଏଥିସହ ମନ୍ଦିରର ଉତ୍ତର ପାର୍ଶ୍ବ କାନ୍ଥରେ ରାମାଭିଷେକ ଚିତ୍ର ମଧ୍ୟ ଶୋଭା ପାଉଛି। ୮୦ ଫୁଟ୍ ଉଚ୍ଚତାବିଶିଷ୍ଟ ଏହି ମନ୍ଦିରଟି ୧୦୦୦ ବର୍ଷ ଧରି ଲୋକଙ୍କ ଆସ୍ଥା ଓ ବିଶ୍ବାସର ସ୍ଥଳ ହୋଇ ରହିଆସିଛି। ଏଠାରେ ମହାଦେବ ପ୍ରତ୍ୟକ୍ଷ, ଏଣୁ ମାନସିକ ଫଳବତୀ ହେବାର ବହୁ ଉଦାହରଣ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/23/eqdMHCd0AcMg24Y4dDzE.jpg)