କେଶବ ପାଣି
ପୁଣ୍ୟତୋୟା ଗଙ୍ଗା, ପାପନାଶିନୀ ଯମୁନା ଓ ଅନ୍ତଃସଲିଳା ସରସ୍ବତୀ ନଦୀର ମିଳନସ୍ଥଳରେ ଏକାଠି ହେବେ ଲକ୍ଷ ଲକ୍ଷ ସାଧୁସନ୍ଥ, ସନତନୀ ଓ ଭକ୍ତଶ୍ରଦ୍ଧାଳୁ। ଜାନୁଆରି ୧୩ରୁ ଫେବ୍ରୁଆରି ୨୬ଯାଏ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ୍ ଆଧ୍ୟାତ୍ମିକ ସମାବେଶ-ମହାକୁମ୍ଭ ମେଳା। ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ହୋଇଥାଏ। ଏଥର ମହାକୁମ୍ଭକୁ ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ମହାଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରି ୧୪ରେ ପ୍ରଥମ ଆଖଡ଼ା ଅନୁଷ୍ଠିତ ହେବାକୁ ଥିବା ବେଳେ ସାଧୁସନ୍ଥମାନେ ପହଞ୍ଚିଗଲେଣି। ସେମାନଙ୍କ ରହଣି ପାଇଁ ଗଙ୍ଗା ନଦୀ ଭିତରେ ଅସ୍ଥାୟୀ ସହର ବସାଯାଇଛି। ପାଖାପାଖି ୨୫ ବର୍ଗ କି.ମି. ଅଞ୍ଚଳରେ ଟେଣ୍ଟ୍ ଲଗାଯାଇଛି। ଦୈନିକ ଆନୁମାନିକ ୨୦ ଲକ୍ଷ ଶ୍ରଦ୍ଧାଳୁ ଆସିବାକୁ ଥିବାରୁ ୪୪ଟି ସ୍ନାନଘାଟ କରାଯାଇଛି। ମହାକୁମ୍ଭ ମଧ୍ୟରେ ୬ଟି ସ୍ନାନ ଦିବସ ରହିଛି। ପୌଷ ପୂର୍ଣ୍ଣିମା (ଜାନୁଆରି ୧୩), ମକର ସଂକ୍ରାନ୍ତି (ଜାନୁଆରି ୧୪), ମୌନୀ ଅମାବାସ୍ୟା (ଜାନୁଆରି୨୯), ବସନ୍ତ ପଞ୍ଚମୀ (ଫେବ୍ରୁଆରି ୩), ମାଘ ପୂର୍ଣ୍ଣିମା (ଫେବ୍ରୁଆରି ୧୨) ଓ ମହାଶିବରାତ୍ରି (ଫେବ୍ରୁଆରି ୨୬) ଦିନ ଏହି ମହାସ୍ନାନ ଅନୁଷ୍ଠିତ ହେବ।
ମହାସଙ୍ଗମରେ ମହାସ୍ନାନ
ଆମେ ତ୍ରିବେଣୀ କୂଳରେ ପହଞ୍ଚିବା ବେଳକୁ ସକାଳ ହୋଇସାରିଥାଏ। ନୌକାବିହାର ସହ ଗଙ୍ଗା-ଯମୁନା-ସରସ୍ବତୀର ପବିତ୍ର ସଙ୍ଗମରେ ବୁଡ଼ ପକାଇବାର ଆଗ୍ରହ ଯୋଗୁଁ ଶୀତ ବାଧୁ ନଥାଏ। ଯମୁନାକୂଳରେ ଡଙ୍ଗା ଚଢ଼ିବାକୁ ଆଧୁନିକ ସୁବିଧା ନ ଥିବାରୁ ସେଠାରେ ଡଙ୍ଗାରେ ବସିବା ଲାଗି ଟିକେ କସରତ କରିବାକୁ ପଡ଼ିଲା। ସଙ୍ଗମ ଆଡ଼କୁ ଚାଲିଲା ଡ଼ଙ୍ଗା। ଆମେ କୂଳ ଛାଡ଼ିବା କ୍ଷଣି ଚାରିପାଖରେ ଘେରିଗଲେ ଭଳିକି ଭଳି ପକ୍ଷୀ। ମନେହେଉଥିଲା, ଆମେ ଯେମିତି ଚିଲିକାରେ ଅଛୁ!
ଡଙ୍ଗା ସଙ୍ଗମସ୍ଥଳ ନିକଟରେ ପହଞ୍ଚିଥିଲା ବେଳକୁ ସମୟ ପ୍ରାୟ ସାଢ଼େ ୮ଟା। ପୁଣି ସେଠି ତାପମାତ୍ରା ପାଖାପାଖି ୯ରୁ ୧୦ ଡିଗ୍ରୀ । କିନ୍ତୁ ଉତ୍ସାହର ଉଷ୍ମତା ହେତୁ ଥଣ୍ଡା କମ୍ ଅନୁଭୂତ ହେଉଥିଲା। ସେଠାରେ ନଦୀର ଗଭୀରତା କେତେ ହେବ ପଚାରିବାରୁ ନାଉରିଆଜଣକ କହିଲେ, ‘‘୩୦ରୁ ୪୦ ଫୁଟ୍ ।’’ ଏତେ ପାଣିରେ କେମିତି ବୁଡ଼ ପକାଇବୁ ଭାବି ଆମ ଉତ୍ସାହ ଭଟ୍ଟା ପଡ଼ିଗଲା! ଇତିମଧ୍ୟରେ ଡଙ୍ଗାଟି ସଙ୍ଗମ ସ୍ଥଳରେ ପହଞ୍ଚି ଆଉ ଏକ ବଡ଼ ଡଙ୍ଗା ନିକଟରେ ଲାଗିଲା। ସ୍ନାନ କରିବାକୁ ସେଠାରେ ଭିନ୍ନ ଧରଣର ଏକ ବ୍ୟବସ୍ଥା ଦେଖିବାକୁ ପାଇଲୁ। ପରସ୍ପରଠାରୁ କିଛି ଦୂରତାରେ ଥିବା ଡଙ୍ଗା ଦୁଇଟିର ତଳଭାଗରେ କେତୋଟି କାଠପଟା ବନ୍ଧା ଯାଇଥିଲା। ପଟାଗୁଡ଼ିକ ପାଣି ଭିତରେ ପ୍ରାୟ ୩/୪ ଫୁଟ୍ ତଳେ ରହିଥିଲା। ଏଥିସହ ଦୁଇ ଡଙ୍ଗାକୁ ବାଉଁଶ ଦ୍ବାରା ବନ୍ଧା ଯାଇଥିଲା। ପୁଣି ସୁରକ୍ଷା ଦୃଷ୍ଟିରୁ ଚାରିପାର୍ଶ୍ବରେ ଜାଲ ଟଣାଯାଇଥିଲା। ଆମେ ବାଉଁଶ ଧରି ପାଣି ଭିତରକୁ ଓହ୍ଲାଇ ପଟା ଉପରେ ଠିଆହେଲୁ। ପାଖାପାଖି ଅଣ୍ଟାଏ ପାଣି। ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଆଞ୍ଜୁଳାରେ ଜଳାର୍ଘ୍ୟ ଦେଲୁ। ବାସ୍ ତା’ପରେ ବାଉଁଶକୁ ଜାବୁଡ଼ିଧରି ପାଣିେର ତିନିବୁଡ଼ ଦେଲୁ। ସ୍ନାନ ପରେ ପୂଜାର୍ଚ୍ଚନା କରିବାକୁ ଡଙ୍ଗା ଉପରେ ପୁରୋହିତ ପ୍ରସ୍ତୁତ ହୋଇ ରହିଥିଲେ। ଆମେ ପୂଜାର୍ଚ୍ଚନା କଲୁ। ମହାକୁମ୍ଭ ପୂର୍ବରୁ ସଙ୍ଗମରେ ମହାସ୍ନାନ ଦେଲା ଏକ ଅନନ୍ୟ ଅନୁଭୂତି। ସଙ୍ଗମରେ ବୁଡ଼ ପକାଇଲେ କୋଟିଜନ୍ମର ପୁଣ୍ୟ ଫଳ ମିଳେ ବୋଲି ବିଶ୍ବାସ ରହିଛି। ବୋଧହୁଏ ସେଥିପାଇଁ ପ୍ରତ୍ୟହ ଦେଶବିଦେଶର ହଜାର ହଜାର ଲୋକ ଏଠାରେ ବୁଡ଼ ପକାଉଛନ୍ତି।
ମହାକୁମ୍ଭ ଲାଗି ସମୁଦାୟ ୪ ହଜାର ହେକ୍ଟର୍ ଅଞ୍ଚଳ ବିକଶିତ କରାଯାଇଛି। ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇ ୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି। ଏଥିସହ ପ୍ଲାଷ୍ଟିକ୍ମୁକ୍ତ ମହାକୁମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡିଜିଟାଲ୍ ମ୍ୟାପ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଶ୍ରଦ୍ଧାଳୁମାନେ ଯେପରି ଆୟୋଜନ ସ୍ଥଳର ଟିକିନିଖି ତଥ୍ୟ ପାଇପାରିବେ ସେଥିଲାଗି ଗୁଗୁଲ୍ ମ୍ୟାପ୍ ସହାୟତା କରିବ। ଏଥିପାଇଁ ଗୁଗୁଲ୍ ସହ ପ୍ରୟାଗରାଜ୍ ମେଳା ପ୍ରାଧିକରଣ ରାଜିନାମା ସ୍ବାକ୍ଷର କରିଛନ୍ତି। ପ୍ରୟାଗରାଜ୍ର ଏକ ଡିଜିଟାଲ୍ ମାନଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଛି, ଯାହାକି ଶ୍ରଦ୍ଧାଳୁଙ୍କୁ ତୀର୍ଥସ୍ଥଳୀକୁ ବାଟ କଢ଼େଇ ନେବ। ଜଳ, ସ୍ଥଳ, ଆକାଶ ମାର୍ଗରୁ ସ୍ବତନ୍ତ୍ର ନିରୀକ୍ଷଣ ଲାଗି ମେଳା ଅଞ୍ଚଳକୁ ୨୫ଟି ସେକ୍ଟର୍ରେ ବିଭକ୍ତ କରାଯିବା ସହ ୧୫ ହଜାରରୁ ଅଧିକ ସିସିଟିଭି ଲଗାଯାଉଥିବା ସୂଚନା ରହିଛି। ୨୦୨୫ ମହାକୁମ୍ଭରେ ୧୧ଟି ନବନିର୍ମିତ କରିଡର୍ ଅନନ୍ୟ ଅନୁଭୂତି ଦେବ। କଳା ଗ୍ରାମ, ସଂସ୍କୃତି ଗ୍ରାମ, ତ୍ରବେଣୀ ପୁଷ୍ପ, ଶୃଙ୍ଗବୀରପୁର ଧାମ, ଅକ୍ଷୟବଟ କରିଡର୍, ପାତାଳପୁରୀ, ସରସ୍ୱତୀ କୂପ କରିଡର୍, ହନୁମାନ ମନ୍ଦିର କରିଡର୍ ଏବଂ ଭରଦ୍ୱାଜ ଋଷି ଆଶ୍ରମ କରିଡର୍ ଆଦି ବିଶେଷ ଆକର୍ଷଣ ପାଲଟିବ। ଏଥିସହ ୨୯ଟି ମନ୍ଦିରର ମଧ୍ୟ ସୌନ୍ଦର୍ଯୀକରଣ ହୋଇଛି। ମହାକୁମ୍ଭ ଆୟୋଜନ କରିବାକୁ କେନ୍ଦ୍ର ସରକାର ୨୧ଶହ କୋଟି ଏବଂ ଉତ୍ତର ପ୍ରଦେଶ ସରକାର ୫,୪୩୫ କୋଟି ଟଙ୍କା ବ୍ୟୟ କରୁଛନ୍ତି। ସଡ଼କ, ପାନୀୟ ଜଳ, ସ୍ବଚ୍ଛତା ଲାଗି ୨୦୦୦ରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି । ସ୍ନାନ ପାଇଁ ୧୩ କି.ମି. ଲମ୍ବର ରିଭର୍ ଫ୍ରଣ୍ଟ୍ ଏବଂ ଗଙ୍ଗା ନଦୀରେ ୩୦ଟି ଅସ୍ଥାୟୀ ପୋଲ ପ୍ରସ୍ତୁତ ହୋଇଛି। ୪୮୮ କି.ମି. ନୂଆ ସଡ଼କ ପଥ ନିର୍ମାଣ କରାଯାଇଛି। ପିଇବା ପାଣି ପାଇଁ ୧୨୫୦ କି.ମି. ଦୀର୍ଘ ପାଇପ୍ଲାଇନ୍ ବିଛାଯିବା ସହ ପାର୍କିଂ ପାଇଁ ୧,୮୦୦ ହେକ୍ଟର୍ ଜମିରେ ବ୍ୟବସ୍ଥା କରାଯାଉଛି।
ତୀର୍ଥରାଜ ପ୍ରୟାଗ
ତପୋଭୂମି ପ୍ରୟାଗରାଜ କେବଳ ଏକ ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ଆଧ୍ୟାତ୍ମିକ ଅନୁଭୂତିର କ୍ଷେତ୍ର। ପ୍ରୟାଗରାଜରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ। ସାଧୁ ସଦାନନ୍ଦଙ୍କ କହିବାନୁଯାୟୀ, ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଯାତ୍ରାର ଜୀବନ୍ତ ପ୍ରତୀକ ହେଉଛି ମହାକୁମ୍ଭ। ଏହି ଭବ୍ୟମେଳା ଧର୍ମ, ଜ୍ଞାନ, ଭକ୍ତି ଓ କଳାର ଏକ ଦିବ୍ୟ ସମାଗମ। ପ୍ରୟାଗରେ ସ୍ନାନ କରୁଥିବା ବ୍ୟକ୍ତି ପାପରୁ ମୁକ୍ତି ପାଇଥାଏ ବୋଲି ବିଶ୍ବାସ ରହିଛି। ରାଜା-ସମ୍ରାଟ୍ଙ୍କ ଯୁଗ ହେଉ ଅଥବା ଶହ ଶହ ବର୍ଷର ବ୍ରିଟିସ୍ ଦାସତ୍ୱର ଯୁଗ, ବିଶ୍ୱାସର ଏହି ପ୍ରବାହ କେବେ ବନ୍ଦ ହୋଇନାହିଁ। କୁମ୍ଭ ହେଉଛି ମନୁଷ୍ୟର ଅଭ୍ୟନ୍ତରୀଣ ଚେତନା। ଯେଉଁ ଚେତନା ସ୍ବତଃ ଜାଗ୍ରତ ହୋଇଯାଏ ଏବଂ ଭାରତର କୋଣଅନୁକୋଣରୁ ଲୋକଙ୍କୁ ସଙ୍ଗମ କୂଳକୁ ଆକର୍ଷିତ କରିଥାଏ।