ମହାଳୟାର ମହତ୍ତ୍ୱ : ତିନିପୁରୁଷଙ୍କର ଶ୍ରାଦ୍ଧ ଓ ପିଣ୍ଡ ଦାନ

ଆମ ପରମ୍ପରାରେ ‘ମହାଳୟା’ର ରହିଛି ଅନେକ ମହତ୍ତ୍ୱ। ଆଶ୍ୱିନ ଅମାବାସ୍ୟା ମହାଳୟା ଅମାବାସ୍ୟା ଭାବରେ ପ୍ରସିଦ୍ଧ। ଏହା ପିତୃଗଣଙ୍କର ତିଥି। ସ୍ମୃତିଶାସ୍ତ୍ର ଅନୁସାରେ, ପୁତ୍ରକୁ ତାହାର ସ୍ୱର୍ଗତ ପିତା ଓ ମାତାଙ୍କ ସମେତ ତିନିପୁରୁଷଙ୍କର ଶ୍ରାଦ୍ଧ କରିବାକୁ ହୋଇଥାଏ। ଏଥିରେ ପିତା, ପିତାମହ ଓ ପ୍ରପିତାମହ ଏବଂ ମାତା, ମାତାମହ ଓ ପ୍ରମାତାମହଙ୍କୁ ଶ୍ରଦ୍ଧାର ସହ ପିଣ୍ଡ ଦାନ କରାଯାଏ। ସଂକ୍ଷେପରେ ଏହା ‘ଶ୍ରାଦ୍ଧ’। ଏଥିପାଇଁ ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତିଥି ପ୍ରଶସ୍ତ। ସେଥିପାଇଁ ଏହାର ନାମ ପିତୃପକ୍ଷ।

ପାରମ୍ପରିକ ବିଧାନ ଅନୁସାରେ, ଯେଉଁଦିନ ପିତୃପୁରୁଷଙ୍କର ମୃତ୍ୟୁ ହୋଇଥାଏ, ସେହିଦିନ ତାହାଙ୍କୁ ପିଣ୍ଡଦାନ କରାଯାଏ। ଯେଉଁ ତିଥିରେ ପିତୃପୁରୁଷଙ୍କର ମୃତ୍ୟୁ ହୋଇଥାଏ, ଆଶ୍ୱିନ ମାସର ପିତୃପକ୍ଷରେ ମଧ୍ୟ ସେହି ତିଥିରେ ସେମାନଙ୍କର ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ। ତାହା ନ କରି ପାରିଲେ, ମହାଳୟା ଅର୍ଥାତ୍ ଆଶ୍ୱିନ ଅମାବାସ୍ୟାରେ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଇଥାଏ। ଏହା ମହାଳୟା ଶ୍ରାଦ୍ଧ ଭାବରେ ପ୍ରସିଦ୍ଧ।

ଆଶ୍ୱିନ ଅମାବାସ୍ୟା ବା ମହାଳୟା ଦିନ ପିତୃପକ୍ଷ ଶେଷ ହୁଏ ଏବଂ ଶୁକ୍ଳ ପ୍ରତିପଦ୍ ଦିନ ଦେବୀପକ୍ଷ ଆରମ୍ଭ ହୁଏ। ଲୋକବିଶ୍ୱାସ ଅଛି, ଯେ ପିତୃପକ୍ଷ ଅପବିତ୍ର ଓ ଦେବୀପକ୍ଷ ପବିତ୍ର। କିନ୍ତୁ ଯେଉଁ ପକ୍ଷରେ ପିତୃପୁରୁଷଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରି ପିଣ୍ଡଦାନ ଓ ତର୍ପଣ ଆଦି କରାଯାଏ, ତାହା ଅପବିତ୍ର ହେବ ବା କାହିଁକି?
ମହାଳୟାର ପରଦିନ, ଅର୍ଥାତ୍ ଶୁକ୍ଳପକ୍ଷ ପ୍ରଦିପଦ୍‌ରୁ ଦେବୀ ପକ୍ଷର ଆରମ୍ଭ ହୁଏ। କାରଣ, ଶରତ୍ ଋତୁରେ ଦେବୀ ଦୁର୍ଗାଙ୍କର ଯେଉଁ ଧରାବତଣ ହୁଏ, ସେଥିପାଇଁ ଦେବୀ କୈଳାସ ପର୍ବତରୁ ଏହିଦିନ ତାଙ୍କର ଯାତ୍ରାରମ୍ଭ କରନ୍ତି। ଲୋକ ବିଶ୍ୱାସ ଏହି, ଯେ ଦେବୀଙ୍କୁ ସ୍ୱାଗତ କରିବାପାଇଁ ଧରିତ୍ରୀ ଏହି ଋତୁରେ ସବୁଠୁ ସ୍ୱଚ୍ଛ ଓ ସବୁଠୁ ପବିତ୍ର ହୋଇଥାଏ।

ସମ୍ବନ୍ଧିତ ଖବର