ତ୍ରେତୟା ଯୁଗ ଥିଲା ତପସ୍ୟାର ଯୁଗ। ଏହି ଯୁଗରେ ମୁନିଋଷିମାନେ ଘଞ୍ଚ ଅରଣ୍ୟକୁ ଯାଇ, କୁଟୀର ସ୍ଥାପନ କରି, ତପସ୍ୟାରେ ମଗ୍ନ ରହୁଥିଲେ। ‘ବାଲ୍ମୀକି ରାମାୟଣ’ରେ ସେମାନଙ୍କର ଦୀର୍ଘ ବର୍ଣ୍ଣନା ଦେଖାଯାଏ। ସେମାନଙ୍କ ମଧ୍ୟରୁ ଅନେକ ଥିଲେ ବୈଖାନସ, ବାଳଖିଲ୍ୟ, ସମ୍ପ୍ରକ୍ଷାଳ, ମରୀଚିପ, ପତ୍ରାହାର, ବାୟୁଭକ୍ଷ, ଉର୍ଦବାସ୍ୟ, ଆକାଶନିଳୟ, ତପୋନିଷ୍ଠ, ପଞ୍ଚାଗ୍ନିସେବୀ ଇତ୍ୟାଦି। ଏମାନେ ସମସ୍ତେ ଊର୍ଦ୍ଧ୍ୱରେତା ଓ ବ୍ରହ୍ମଜ୍ଞାନୀ। ଏମାନଙ୍କ ମଧ୍ୟରୁ ମହାମୁନି ଶରଭଙ୍ଗ ଅନ୍ୟତମ।
ଶରଭଙ୍ଗଙ୍କ ସଂପର୍କରେ କୁହାଯାଏ, ସେ ଥିଲେ ଦେବତୁଲ୍ୟ, ପ୍ରଭାବଶାଳୀ ଓ ତପସିଦ୍ଧ। ଶରଭଙ୍ଗ ଶବ୍ଦର ଅର୍ଥ- ଯିଏ କୌଣସି ମାରଣାସ୍ତ୍ରକୁ ନିଜର ଶକ୍ତିଦ୍ୱାରା ପ୍ରତିହତ କରିବାର ଶକ୍ତି ସଂପନ୍ନ। ବନବାସ କାଳରେ ରାମଚନ୍ଦ୍ର ଯେତେବେଳେ ଚିତ୍ରକୂଟ ପରିତ୍ୟାଗ କରି ଦଣ୍ଡକାରଣ୍ୟକୁ ଯିବାକୁ ନିଶ୍ଚୟ କଲେ, ସେତେବେଳେ ଶରଭଙ୍ଗଙ୍କ ଆଶ୍ରମକୁ ଯାଇ ତାଙ୍କୁ ଦର୍ଶନ ଦେବାକୁ ମହର୍ଷିି ଅତ୍ରି ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ରାମଚନ୍ଦ୍ର ଶରଭଙ୍ଗଙ୍କ ଆଶ୍ରମରେ ପହଞ୍ଚି ଦେଖିଲେ- ଆକାଶମାର୍ଗରେ ଏକ ଦିବ୍ୟରଥରେ ବହୁ ଦେବଦେବୀ ଶୋଭିତ ହୋଇ ରହିଛନ୍ତି ଏବଂ ଜଣେ ଦିବ୍ୟପୁରୁଷ ମୁନିଙ୍କ ଆଶ୍ରମରୁ ଶୀଘ୍ରପଦରେ ଯାଇ ସେହି ରଥରେ ଆରୋହଣ କରି ଆକାଶ ମାର୍ଗରେ ଚାଲିଗଲେ। ରାମଚନ୍ଦ୍ର ସେହି ଦିବ୍ୟପୁରୁଷଙ୍କ ସଂପର୍କରେ ପଚାରିବାରୁ ଶରଭଙ୍ଗ ତାଙ୍କୁ ସୂଚନା ଦେଲେ, ଯେ ସେହି ରଥ ଦେବରାଜ ଇନ୍ଦ୍ରଙ୍କର। ମୋର ଆୟୁ ପୂର୍ଣ୍ଣ ହୋଇଯାଇଥିବାରୁ ମୋତେ ବ୍ରହ୍ମଲୋକଙ୍କୁ ନେଇଯିବାପାଇଁ ସେ ଆସିଥିଲେ। କିନ୍ତୁ ମୁଁ ଆପଣଙ୍କ ଅପେକ୍ଷାରେ ଥିବାରୁ ତାଙ୍କୁ ଫେରାଇଦେଲି। ଏବେ ମୁଁ ଆପଣଙ୍କୁ ଦର୍ଶନ କଲି। ମୋର ଯାଗ, ଯଜ୍ଞ, ତପ, ଜପ, ସବୁକିଛି ଆପଣଙ୍କୁ ସମର୍ପଣ କରିଦେଉଛି। ମୋତେ କେବଳ ଆପଣ ଆପଣଙ୍କ ପ୍ରତି ଭକ୍ତି ଦିଅନ୍ତୁ। ମୁଁ ଯୋଗାଗ୍ନିରେ ମୋର ଏହି ହାଡ଼ମାଂସର ଶରୀରକୁ ନିଃଶେଷ କରିଦେଉଛି। ଆପଣ କେବଳ ମୋର ଗନ୍ତବ୍ୟ ପଥରେ କୃପାଦୃଷ୍ଟି ରଖିଥାନ୍ତୁ। ଏହା କହି ଶରଭଙ୍ଗ ନିଜକୁ ଯୋଗାଗ୍ନିରେ ଲୀନ କରି ବୈକୁଣ୍ଠକୁ ଗମନ କଲେ।
ଶରଭଙ୍ଗ ବିଷ୍ଣୁଲୋକ ଗମନ କଲା ପରେ, ରାମଚନ୍ଦ୍ର ତାଙ୍କର ଅନ୍ତିମ ସଂସ୍କାର କରିବା ନିମିତ୍ତ ଆକାଶଗଙ୍ଗାଙ୍କୁ ଏକ କୁଣ୍ଡ ମଧ୍ୟକୁ ଆବାହନ କରି ସେଥିରେ ଶରଭଙ୍ଗଙ୍କର ଅସ୍ଥି ବିସର୍ଜନ କରିଦେଲେ। ଆକାଶଗଙ୍ଗାଙ୍କର ଜଳସ୍ରୋତ ସେହି ଅସ୍ଥିକୁ ନେଇ ମନ୍ଦାକିନୀଙ୍କୁ ସମର୍ପଣ କରିଦେଲେ।
ଚିତ୍ରକୂଟଠାରୁ ପ୍ରାୟ ୫୦ କି.ମି. ଦୂରରେ, ରାମପଥ ପରିକ୍ରମା ମାର୍ଗରେ ଶରଭଙ୍ଗଙ୍କର ଆଶ୍ରମ। ସେଠାରେ ରାମ ଯେଉଁ କୁଣ୍ଡ ସ୍ଥାପନ କରିଥିଲେ, ସେ କୁଣ୍ଡର ଜଳ ପ୍ରବାହିତ ହୋଇଯାଇ ମନ୍ଦାକିନୀରେ ମିଳିତ ହୋଇଛି। ସେହି କୁଣ୍ଡ ସର୍ବଦା ଜଳପୂର୍ଣ୍ଣ ରହିଥାଏ। କେବେ ବି ତାହାର ଜଳସ୍ତର ହ୍ରାସ ପାଏ ନାହିଁ। ଏହି ଜଳ ପାପନାଶକ। ତେଣୁ ଶ୍ରଦ୍ଧାଳୁମାନେ ଏହାକୁ ପାନ କରିଥାନ୍ତି। ତେଣୁ କୁହାଯାଏ “ବାରମ୍ବାର ଗଙ୍ଗା, ତୋ ଏକବାର ଶରଭଙ୍ଗା।”
ଅଷ୍ଟମ ଓ ନବମ ଶତାବ୍ଦୀରେ ନିର୍ମିତ ଏଠାର ଏକ ମନ୍ଦିରରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ପୂଜାପାଉଛନ୍ତି।
-ଡକ୍ଟର ତୁଳସୀ ଓଝା