ବ୍ରହ୍ମପୁରାଣର ବର୍ଣ୍ଣନା ଅନୁଯାୟୀ-
“ଗଙ୍ଗାତୁଲ୍ୟା ମହାସ୍ରୋତା ଦକ୍ଷିଣାର୍ଣ୍ଣବ ଗାମିନୀ
ମହାନଦୀତି ନାମ୍ନାସା ପୁଣ୍ୟତୋୟା ସରଦିବରା”
ଅର୍ଥାତ୍, ଦକ୍ଷିଣ ସମୁଦ୍ରକୁ ପ୍ରବାହିତ ହେଉଥିବା ଗଙ୍ଗାନଦୀ ସଦୃଶ, ମହାସ୍ରୋତସ୍ୱିନୀ ଶ୍ରେଷ୍ଠା ସରିତାର ନାମ ମହାନଦୀ। ‘ରାମାୟଣ’, ‘ମହାଭାରତ’, ‘ବିଷ୍ଣୁପୁରାଣ’ ଓ ‘ଭାଗବତ’ ଆଦି ପୁରାଣରେ ମଧ୍ୟ ମହାନଦୀର ଉଲ୍ଲେଖ ଦେଖାଯାଏ। ପ୍ରାଚୀନ କାଳରେ ଆଜିର ଛତିଶଗଡ଼ ପ୍ରଦେଶର ନାମ ଥିଲା ଦକ୍ଷିଣକୋଶଳ। ଏହା ଦଣ୍ଡକାରଣ୍ୟର ଏକ ଅଂଶ ଥିଲା। ଏହି ପ୍ରଦେଶର ଧମତରୀ ଜିଲାରେ ସ୍ଥିତ ସିହାବା ନାମକ ଏକ ନାତିକ୍ଷୁଦ୍ର ପାହାଡ଼ର ଏକ ଜଳାଶୟ ମଧ୍ୟରୁ ଏହାର ଉଦ୍ଗମ। ଆଶ୍ଚର୍ଯ୍ୟର କଥା, ଯେ ଏକ କ୍ଷୁଦ୍ର ପାହାଡ଼ ଶ୍ରେଣୀ ମଧ୍ୟରୁ ନିର୍ଗତ ହୋଇ ଏହା ଭାରତର ତୃତୀୟ ବୃହତ୍ତମ ନଦୀର ମାନ୍ୟତା ପ୍ରାପ୍ତ ହୋଇଛି। ରାମାୟଣର ବର୍ଣ୍ଣନା ଅନୁସାରେ, ଈକ୍ଷ୍ୱାକୁ ବଂଶୀୟ ରାଜାମାନେ ଏହାର ତଟଦେଶରେ ନିଜର ରାଜ୍ୟ ସ୍ଥାପନ କରିଥିଲେ। ସେତେବେଳେ ଏହି ନଦୀର ନାମ ଥିଲା କନକନନ୍ଦିନୀ। ଏହା ପରବର୍ତ୍ତୀ କାଳରେ ନୀଳୋତ୍ପଳା, ଚିତ୍ରୋତ୍ପଳା ଓ ମହାନନ୍ଦା ହୋଇ ପରିଶେଷରେ ମହାନଦୀ ହୋଇଛି।
କଥିତ ଅଛି, ଏହି ନଦୀର ଉଦ୍ଗମ ସ୍ଥଳରେ ଶୃଙ୍ଗୀ ମୁନିଙ୍କର ଆଶ୍ରମ ଥିଲା। ଏଠାରେ ମହାରାଜ ଦଶରଥ ଏକଦା ପୁତ୍ରେଷ୍ଟି ଯଜ୍ଞ କରିଥିଲେ। ଯଜ୍ଞ ସମାପନାନ୍ତେ ଶୃଙ୍ଗୀ ମୁନିଙ୍କର କମଣ୍ଡଳୁ ସ୍ଥିତ ଗଙ୍ଗାଜଳ ମହାନଦୀ ଜଳରେ ପଡ଼ିଯାଇଥିଲା। ଫଳରେ ଏହି ନଦୀର ଜଳ ଗଙ୍ଗାଜଳରେ ପରିଣତ ହୋଇଥିଲା। ଋଷିଙ୍କର ପ୍ରିୟ ଶିଷ୍ୟା ମହାନନ୍ଦାଙ୍କର ନାମାନୁସାରେ କନକନନ୍ଦିନୀ ମହାନନ୍ଦାରେ ପରିଣତ ହୋଇଥିଲା। ଦଣ୍ଡକାରଣ୍ୟ ମଧ୍ୟ ଦେଇ ଏହା ପ୍ରବାହିତ ହୋଇଥିବାରୁ ରାମଚନ୍ଦ୍ର ବନବାସ କାଳରେ ଏହି ନଦୀ ତୀରରେ ଆଶ୍ରମ କରିଥିବାର ବିଶ୍ୱାସ କରାଯାଏ। ଆସାମର ପ୍ରସିଦ୍ଧ ମହାପୁରୁଷ ଶଙ୍କରଦେବ ‘ଓରେଷା ବର୍ଣ୍ଣନ’ ଗ୍ରନ୍ଥରେ ମହାନଦୀର ପ୍ରଶସ୍ତି ଗାନ କରି ଏହା ଗଙ୍ଗା ସମାନ ବୋଲି ବର୍ଣ୍ଣନା କରିଛନ୍ତି। ଛତିଶଗଡ଼ ଅଞ୍ଚଳ ଦେଇ ପ୍ରବାହିତ ହେଲାବେଳେ ଏହି ନଦୀ ତୀରରେ ଶବରୀ ନାରାୟଣ, ଲକ୍ଷ୍ମଣ ମନ୍ଦିର, ଗନ୍ଧେଶ୍ୱର, ରାଜୀବଲୋଚନ ମନ୍ଦିର ଆଦି ରହିଥିବା ସ୍ଥଳେ, ଓଡ଼ିଶା ପ୍ରବେଶ କଲା ପରେ ଏହାର ତୀରଦେଶରେ ଅନେକ ତୀର୍ଥ ସ୍ଥାନ ରହିଛି। ଓଡ଼ିଶାର ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ମହାନଦୀ ତୀରରେ ଅବସ୍ଥିତ। ଏସିଆର ବୃହତ୍ ହୀରାକୁଦ ଜଳଭଣ୍ଡାର ମହାନଦୀ ମଧ୍ୟରେ ନିର୍ମିତ। ଓଡ଼ିଶାରେ ପ୍ରବାହିତ ବହୁ ନଦୀର ଜନନୀ ମହାନଦୀ। ଓଡ଼ିଶାର ଧର୍ମୀୟ, ସାଂସ୍କୃତିକ ଜୀବନ ସହିତ ଘନିଷ୍ଠ ଭାବରେ ସଂପୃକ୍ତ ଏହି ନଦୀ ଏକଦା ବହିର୍ବାଣିଜ୍ୟର ମୁଖ୍ୟ ଆଧାର ଥିଲା। ତାହାର ସ୍ମୃତିରେ ଆଜି କଟକରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ବିଶ୍ୱାସ ଅଛି, ଏହାର ପବିତ୍ର ଜଳକୁ ଶ୍ରାବଣ ମାସରେ ଗ୍ରହଣ କରିବା ପାଇଁ ମହାପ୍ରଭୁ ଲୋକନାଥ ଉତ୍କଣ୍ଠିତ ଥାଆନ୍ତି।
-ଡକ୍ଟର ତୁଳସୀ ଓଝା
Advertisment
Sambad is now on WhatsApp
Join and get latest news updates delivered to you via WhatsApp