ମହାନଦୀ ଜଳ ବିବାଦକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଶ୍ଚିତ ଆଲୋଚନା କରିବେ: ଭୂପିନ୍ଦର ଯାଦବ

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ସରକାରରେ ଗୁରୁତ୍ବପୂର୍ଣ୍ଣ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଦାୟିତ୍ବ ଅଲୱାର ସାଂସଦ ଭୂପିନ୍ଦର ଯାଦବଙ୍କୁ ପ୍ରଦାନ କରାଯାଇଛି। ପଦରେ ଅବସ୍ଥାପିତ ହେବା ପରେ ସଂପୂର୍ଣ୍ଣ ପାରଦର୍ଶିତା ଓ ନିରପେକ୍ଷତାର ସହ କର୍ତ୍ତବ୍ୟ ସଂପାଦନ ପାଇଁ ନିରବଚ୍ଛିନ୍ନ ପ୍ରୟାସ କରିବେ ବୋଲି ସେ ମତ ରଖିଛନ୍ତି। ଓଡ଼ିଶାରେ ବିଜେପି ସରକାରର ଦାୟିତ୍ବ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଭୁବନେଶ୍ବର ଆସିଥିବା ଅବସରରେ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର।

ମୋଦୀଙ୍କର କ୍ରମାଗତ ତୃତୀୟ ପାଳି ସରକାରରେ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଆପଣଙ୍କୁ ଅବସ୍ଥାପିତ କରାଯାଇଛି। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତ କିଭଳି ଭୂମିକା ନିର୍ବାହ କରୁଛି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମ ଦେଶ ବହୁ ନୂତନ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି। ପ୍ୟାରିସ୍ ରାଜିନାମା ଲକ୍ଷ୍ୟ ହାସଲ କରିବା ସକାଶେ ଧାର୍ଯ୍ୟ କରାଯାଇଥିବା ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଲକ୍ଷ୍ୟ ଭାରତ ନିର୍ଦ୍ଧାରିତ ସମୟର ନ’ବର୍ଷ ପୂର୍ବରୁ ହାସଲ କରିସାରିଛି। ଗତ ଦଶନ୍ଧିରେ ଉତ୍ସର୍ଜନହ୍ରାସ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଆମର ସଫଳତା ବି ଗୁରୁତ୍ବପୂର୍ଣ୍ଣ। ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ‘କପ୍୨୬’ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବଳର ବିଚାରବନ୍ତ ଉପଯୋଗକୁ ପ୍ରୋତ୍ସାହିତ କରିବା ସକାଶେ ‘ମିସନ୍ ଲାଇଫ୍’ର ଶୁଭାରମ୍ଭ କରିଥିଲେ। କ୍ରମାଗତ ବୃଦ୍ଧି ପାଉଥିବା ବିଶ୍ୱ ତାପମାତ୍ରା, ମରୁକରଣ ତଥା ଜୈବବିବିଧତା କ୍ଷୟ ଆଦି ସଂକଟର ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ କାର୍ଯ୍ୟକ୍ରମ ଗ୍ରହଣୀୟ ହୋଇଛି। ସେହିପରି ସୌରମୈତ୍ରୀ ପରି ଅନେକ ଅନ୍ତର୍ଜାତୀୟ ଜଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜଳବାୟୁ ପରିର୍ବତ୍ତନକୁ ପ୍ରାଧାନ୍ୟ ଦେଇ ଆମେ ବହୁ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ହାତକୁ ନେଇଛୁ। ପାରିବେଶିକ ଅନୁମତି ପ୍ରଦାନର ପ୍ରକ୍ରିୟାକୁ ଯଥାସମ୍ଭବ ସରଳ କରାଯାଇଛି। ଅଙ୍ଗାରକ ଉତ୍ସର୍ଜନହ୍ରାସ ଓ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ବଢ଼ାଇବା ଦିଗରେ ଆମର ସାମର୍ଥ୍ୟ ପ୍ରତିପାଦିତ କରିଛୁ।

ଅନ୍ତର୍ଜାତୀୟ ଜୀବାଶ୍ମ ଇନ୍ଧନ ଓ ଶୂନ୍ୟ ଉତ୍ସର୍ଜନ ମାନକ ପାଳନ କରିବା କ୍ଷେତ୍ରରେ ଭାରତ କେତେଦୂର ସକ୍ଷମ ହୋଇପାରିଛି?
ରାଷ୍ଟ୍ରସ୍ତରରେ ନିର୍ଦ୍ଧାରିତ ଅବଦାନଗୁଡ଼ିକ ମଧ୍ୟରୁ ଭାରତ ଦୁଇଟି ପରିମାଣାତ୍ମକ ଲକ୍ଷ୍ୟ ହାସଲ କରିସାରିଛି। ଏଥିରୁ ଗୋଟିଏ ହେଲା, ୨୦୦୫ ସ୍ତର ତୁଳନାରେ ୨୦୩୦ ସୁଦ୍ଧା ମୋଟ ଘରୋଇ ଉତ୍ପାଦ ସଂକ୍ରାନ୍ତ ଉତ୍ସର୍ଜନ ତୀବ୍ରତା ୩୩%ରୁ ୩୫% ପର୍ଯ୍ୟନ୍ତ ହ୍ରାସ କରିବା। ଅନ୍ୟ ଲକ୍ଷ୍ୟଟି ହେଲା, ୨୦୩୦ ସୁଦ୍ଧା ଦେଶର ମୋଟ୍‌ ଶକ୍ତି ଉତ୍ପାଦନ କ୍ଷମତାର ୪୦% ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ପୂରଣ କରାଯିବା। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଭାରତ ଏହି ଲକ୍ଷ୍ୟ ଦୁଇଟି ହାସଲ କରିସାରିଛି। ୨୦୩୦ ସୁଦ୍ଧା ଘରୋଇ ଉତ୍ପାଦ କ୍ଷେତ୍ରରେ ଉତ୍ସର୍ଜନ ତୀବ୍ରତା ୪୫% ହ୍ରାସ କରିବା ଏବେ ଭାରତର ଲକ୍ଷ୍ୟ ଏବଂ ୨୦୩୦ ସୁଦ୍ଧା ମୋଟ୍‌ ଶକ୍ତି ଉତ୍ପାଦନ କ୍ଷମତାର ୫୦% ଅଣ-ଜୀବାଶ୍ମ ଇନ୍ଧନରୁ ପୂରଣ କରାଯିବ। ୨୦୭୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ-ଶୂନ୍ୟ ଉତ୍ସର୍ଜନ ଅର୍ଥନୀତି ହେବ ବୋଲି ଭାରତ ପ୍ରତିଶ୍ରୁତି ଦେଇଛି।

ବିକଶିତ ଦେଶଗୁଡ଼ିକର ବ୍ୟାପକ ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ଏହାଦ୍ବାରା ହେଉଥିବା କ୍ଷତି ବିକାଶଶୀଳ ରାଷ୍ଟ୍ର ସହୁଛନ୍ତି। ଏହାର ଭରଣା ଲାଗି ଆର୍ଥିକ ସହାୟତା ମିଳିବାରେ ବିଳମ୍ବ ହେଉଛି କାହିଁକି?
ବିକଶିତ ରାଷ୍ଟ୍ରମାନେ ବିକାଶଶୀଳ ଦେଶଗୁଡ଼ିକୁ ବର୍ଷକୁ ୧୦୦ ବିଲିୟନ୍‌ ଡଲାର୍‌ ଅନୁଦାନ ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଯଥାଶୀଘ୍ର ପାଳନ କରିବା ଉଚିତ। ବିକଶିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ଆର୍ଥିକ ସହାୟତାକୁ ଦାତବ୍ୟ ସେବା ନୁହେଁ ବୋଲି ବୁଝିବା ଜରୁରି। ଏହା ବିକାଶଶୀଳ ରାଷ୍ଟ୍ରର ଅଧିକାର।

ସଂକ୍ଷେପରେ ଭୂପିନ୍ଦର
ରାଜସ୍ଥାନର ଅଲୱାର୍ ଲୋକସଭା ଆସନରୁ ନିର୍ବାଚିତ ୫୪ ବର୍ଷ ବୟସ୍କ ଭୂପିନ୍ଦର ଯାଦବ ଦ୍ବିତୀୟ ଥର ଲାଗି ଦେଶର ପରିବେଶ ମନ୍ତ୍ରୀ ହୋଇଛନ୍ତି। ୨୦୨୧ ଜୁଲାଇରେ ମୋଦୀ ସରକାରଙ୍କର ଦ୍ବିତୀୟ ପାଳିରେ ସେ ପ୍ରକାଶ ଜାୱଡେକରଙ୍କ ଠାରୁ ପରିବେଶ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଥିଲେ। ଗ୍ଲାସ୍‌ଗୋ ଓ ଦୁବାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଜଳବାୟୁ ଆଲୋଚନାରେ ସେ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବେ ଭାରତର କୋଇଲା ଉପରେ ନିର୍ଭରଶୀଳତାକୁ ଉପସ୍ଥାପନ କରିଥିଲେ। ତାଙ୍କ ଯୁକ୍ତି ବିଶ୍ୱସମୁଦାୟକୁ ଛୁଇଁ ପାରିଥିଲା।
ଶ୍ରୀ ଯାଦବ ପରିବେଶ ମନ୍ତ୍ରାଳୟର ନେତୃତ୍ବ ନେଉଥିବା ବେଳେ ଜଳବାୟୁ ସଂପର୍କିତ ଭାରତର କାର୍ଯ୍ୟକଳାପକୁ ୪ର୍ଥ ବଳିଷ୍ଠ କାର୍ଯ୍ୟକ୍ରମ ରୂପେ ବିବେଚନା କରାଯାଇଥିଲା। ୨୦୨୩ ମସିହାରେ ଜର୍ମାନ୍‌ୱାଚ୍ ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ପ୍ରଦର୍ଶନ ସୂଚକାଙ୍କ ଆଧାରରେ ଭାରତକୁ ଏହି ମାନ୍ୟତା ମିଳିଥିଲା।
ଭାରତରେ ଆନ୍ତର୍ଜାତିକ ଗୁରୁତ୍ବ ବହନ କରୁଥିବା ରାମସର ଆର୍ଦ୍ରଭୂମି ସଂଖ୍ୟା ବୃଦ୍ଧି କରିବା ଭଳି କାର୍ଯ୍ୟକ୍ରମ ତାଙ୍କ ସମୟରେ ହୋଇଥିଲା। ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାକୁ ଆର୍ଦ୍ରଭୂମି ବିକାଶ ପାଇଁ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଭୂପିନ୍ଦରଙ୍କ ପୂର୍ବ ଅବଧିରେ ଦେଶର ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ପରିବେଶ ଆଇନ ସଂଶୋଧିତ ହୋଇଥିଲା। ଏହି ସଂଶୋଧନ ପାଇଁ ତାଙ୍କୁ ବିରୋଧୀ ଦଳ ତଥା ପରିବେଶବିତ୍‌ଙ୍କ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା।

ବିକାଶ ପାଇଁ ପ୍ରକୃତିକୁ ବହୁମୂଲ୍ୟ ଦେବାକୁ ପଡୁଛି। ଆପଣଙ୍କ ମତ କ’ଣ?
ପରିବେଶ ଓ ବିକାଶ ଏକତ୍ର ଯିବ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆମେ ଏହାକୁ ଠୋସ୍ ଢଙ୍ଗରେ କାର୍ଯ୍ୟକାରୀ କରିବୁ। ବିକାଶ ଓ ପରିବେଶକୁ ଏକତ୍ର ଚଳାଇ ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା।

ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ଅବାଧ ଶିକାର, ଭିତରକନିକା ହେନ୍ତାଳବନର ଅବକ୍ଷୟ ଏବଂ ମହାନଦୀ ଜଳବିବାଦ ଆଦି ସମସ୍ୟା ସଂପର୍କରେ ଆପଣ ଅବଗତ?
ବର୍ତ୍ତମାନ ଆମ ସରକାର ଓଡ଼ିଶାବାସୀଙ୍କ ସେବା କରିବା ସହିତ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦେ‌େବ। ମୁଁ ଯେତିକି ଖବର ରଖିଛି, ବିଗତ ଦିନରେ ଶିମିଳିପାଳରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ଖବର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ଏଠାରେ ସରକାର କାର୍ଯ୍ୟ ପରିଚାଳନା ହାତକୁ ନେବା ପରେ ମୁଁ ଏସବୁ ପ୍ରସଙ୍ଗ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। ମୁଁ କହି ରଖିବାକୁ ଚାହେଁ, କୌଣସି ପରିସ୍ଥିତିରେ ଶିକାରୀଙ୍କୁ ଛଡ଼ାଯିବ ନାହିଁ। ଭିତରକନିକା ଓ ଚିଲିକା ଭଳି ପ୍ରାକୃତିକ ସ୍ଥାନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। ମହାନଦୀ ବିବାଦ ଯଦିଓ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ ରହିଛି, ତଥାପି ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ନିଶ୍ଚିତ ଆଲୋଚନା କରିବେ।

ଭାରତ ୨୦୨୨ରେ ଆରମ୍ଭ କରିଥିବା ଚିତା ସଂରକ୍ଷଣ ପ୍ରକଳ୍ପର ସଫଳତାକୁ ଆପଣ କିପରି ଦେଖୁଛନ୍ତି?
କୁନୋ ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ପ୍ରଗତିକୁ ନେଇ ଆମେ ସନ୍ତୁଷ୍ଟ ଏବଂ ସେଠାରେ ଏବେ ଚିତା ପରିବାର ବଢୁଛି। ଗାନ୍ଧୀ ସାଗର ଅଭୟାରଣ୍ୟରେ ପୁଣି ଥରେ ଚିତାବାଘ ପ୍ରବେଶ କରାଇବା ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଏହି ଅଞ୍ଚଳରେ ଚିତାସଂଖ୍ୟା ବଢ଼ାଇବା ସକାଶେ କାହ୍ନା ଜାତୀୟ ଉଦ୍ୟାନ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଚିତା ଅଣାଯାଇ ପୁଣିଥରେ ଛଡ଼ାଯାଇଛି। କାହ୍ନା ଓ ସାତପୁରା ବ୍ୟାଘ୍ର ଅଭୟାରଣ୍ୟରୁ ୫୦ଟି ଗୟଳ ସିନ୍ଧି ଜିଲ୍ଲାରେ ଥିବା ସଞ୍ଜୟ ବ୍ୟାଘ୍ର ଅଭୟାରଣ୍ୟରେ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର