ହିନ୍ଦୁଧର୍ମ ଓ ସଂସ୍କୃତିର ମାନ୍ୟତା ଅନୁସାରେ, ସାଧାରଣତଃ ଦୁଇ ବା ତିନି ନଦୀର ମିଳନ ସ୍ଥଳକୁ ପବିତ୍ର ତୀର୍ଥ ଭାବରେ ଗଣନା କରାଯାଏ। ସମଗ୍ର ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି। କିନ୍ତୁ ତିନି ସମୁଦ୍ର ଏକତ୍ର ହୋଇଥିବାର ସ୍ଥାନ ଅନ୍ୟତ୍ର ଦେଖାଯାଏ ନାହିଁ। ଭାରତର ଦକ୍ଷିଣବର୍ତ୍ତୀ ଶେଷ ବିନ୍ଦୁରେ ଆରବସାଗର, ଭାରତ ମହାସାଗର ଓ ବଙ୍ଗୋପସାଗର ମିଳିତ ହୋଇ ମହାପୁଣ୍ୟପ୍ରଦ, ମହାତୀର୍ଥ ରଚନା କରିଛନ୍ତି। ସେ ସ୍ଥାନଟି ହେଉଛି ତାମିଲନାଡ଼ୁର କନ୍ୟାକୁମାରୀ ଜିଲାରେ ଅବସ୍ଥିତ କନ୍ୟାକୁମାରୀଙ୍କର ଅବସ୍ଥାନ ସ୍ଥଳ।

Advertisment

ପୁରାଣର ବର୍ଣ୍ଣନା ଅନୁସାରେ, ଏକଦା ବାଣାସୁର ନାମରେ ଏକ ଦୈତ୍ୟ ବ୍ରହ୍ମାଙ୍କୁ ତପସ୍ୟା କରି, ବର ପ୍ରାପ୍ତ ହୋଇଥିଲା, ଯେ ଏକ କୁମାରୀ କନ୍ୟା ହିଁ ତାକୁ ବଧ କରିପାରିବ। ଏହା ଅସମ୍ଭବ ଜାଣି ସେ ରାକ୍ଷସ ଦେବତାମାନଙ୍କୁ ପୀଡ଼ିତ କଲା। ତାର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ ବିଷ୍ଣୁଙ୍କ ପାଖରେ ଗୁହାରି କଲେ। ବିଷ୍ଣୁଙ୍କ ପରାମର୍ଶରେ ସେମାନେ ଏକ ଯଜ୍ଞ କରି ମହାମାୟାଙ୍କୁ ଆବାହନ କଲେ। ସେହି ପ୍ରାର୍ଥନାରେ ମହାମାୟା ଏକ କିଶୋରୀ କନ୍ୟା ଭାବରେ ଆବିର୍ଭୂତ ହେଲେ ଏବଂ ଦକ୍ଷିଣାଭିମୁଖୀ ହୋଇ ସମୁଦ୍ରତଟସ୍ଥିତ ଏକ ପର୍ବତ ଶିଖରରେ ବସି ଶିବଙ୍କୁ ତପସ୍ୟା କଲେ। କ୍ରମଶଃ ସେ ଯୁବତୀରେ ପରିଣତ ହେଲେ। ଦେବଦେବ ମହାଦେବ ତାଙ୍କର ଅଲୌକିକ ସୌନ୍ଦର୍ଯ୍ୟରେ ବିମୁଗ୍‌ଧ ହୋଇ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ। ଦେବୀ ସମ୍ମତ ହେବାରୁ ରାତ୍ରିର ଦ୍ୱିତୀୟ ପ୍ରହରରେ ବିବାହ ଲଗ୍ନ ସ୍ଥିର ହେଲା।

ସେହି ବିବାହ ଆୟୋଜନ ଦେଖି ଦେବତମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ। ଯଦି ଶିବ ଓ ମହାମାୟାଙ୍କର ବିବାହ ହୁଏ, ତେବେ ବାଣାସୁର ବଧ ହେବ କିପରି? ଏହାର ସମାଧାନ ପାଇଁ ନାରଦ ଏକ ଉପାୟ ଚିନ୍ତା କଲେ। ଶିବ ବରବେଶ ହୋଇ ବାହାରିଲା ବେଳକୁ ସେ ଏକ କୁକୁଡ଼ା ହୋଇ ଡାକଦେଲେ। ଶିବ ସକାଳ ହୋଇଗଲା ଭାବି, ଆଉ ବିବାହ କରିବାକୁ ଗଲେ ନାହିଁ। ଦେବୀ କନ୍ୟା (ମଙ୍ଗୁଳା କନିଆ) ବେଶ ହୋଇ ପ୍ରତୀକ୍ଷା କରି ରହିଲେ। ଏହି ସମୟରେ ବାଣାସୁର ସେଠାରେ ପହଞ୍ଚି ଦେବୀଙ୍କୁ ବିବାହ କରିବାକୁ ଚାହିଁବାରୁ ଦେବୀ କ୍ରୋଧିତ ହୋଇ ତାକୁ ବଧ କଲେ।

ଦେବୀ ସେହିଠାରେ ସେହିପରି କନ୍ୟାବେଶରେ ସଜ୍ଜିତ ହୋଇ ଶିବଙ୍କୁ ଅପେକ୍ଷା କରି ରହିଲେ। ଦେବୀଙ୍କର ସେହି ଦୃଢ଼ ତପସ୍ୟା ଦେଖି ଭଗବାନ ପର୍ଶୁରାମ କୁମାରୀ ପର୍ବତ ଉପରେ ଦେବୀଙ୍କର ଏକ ମୂର୍ତ୍ତି ସ୍ଥାପନ କରିଥିଲେ। ପରବର୍ତ୍ତୀ କାଳରେ କୁମାରୀ ପର୍ବତ କନ୍ୟାକୁମାରୀ ଭାବରେ ପ୍ରସିଦ୍ଧ ହେଲା। ପାପୀ ବାଣାସୁରର ପ୍ରାର୍ଥନା ଅନୁସାରେ, ଦେବୀ ତାର ଶରୀରକୁ ପାପମୁକ୍ତ କରି ସମୁଦ୍ରରେ ନିକ୍ଷେପ କଲେ। ସେହିଦିନଠାରୁ ସେଠାରେ ସମୁଦ୍ରସ୍ନାନ ସର୍ବପାପହର ବୋଲି ବିଶ୍ୱାସ ରହିଛି। କନ୍ୟାକୁମାରୀଠାରେ ବିଜୟ ନଗରର ରାଜା ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ସେଠାରେ ଦେବୀ ପୂଜିତ ହୋଇଛନ୍ତି।

-ଡକ୍ଟର ତୁଳସୀ ଓଝା