ପିତାମହ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର

ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ଏପ୍ରିଲ ୨୬ ବୈଶାଖ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିଥିଲେ। ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ପାଇଁ ତତ୍କାଳୀନ ମାନ୍ଦ୍ରାଜ ଗଲେ। ଅଧ୍ୟକ୍ଷ ମରିସନ୍ ସାହେବ ଓ ଅଧ୍ୟାପକ ମି.ଡି.ଲାହେ, ନିଉଲଣ୍ଡନ କଲେଜରେ ତାଙ୍କର ଶିକ୍ଷକ ଥିଲେ। ମାନ୍ଦ୍ରାଜରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ପିତା ଗୌରଚନ୍ଦ୍ର ନାରାୟଣ ଦେବଙ୍କର ସ୍ୱର୍ଗବାସ ହୋଇଥିଲା। ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ। ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ। କୃଷ୍ଣଚନ୍ଦ୍ର ଦେବଙ୍କର ଦୁଇ ପୁଅ। ପାଟରାଣୀଙ୍କର ଅକାଳ ବିୟୋଗ ଯୋଗୁଁ ବୈବାହିକ ଜୀବନ ତାଙ୍କର ଦୀର୍ଘସ୍ଥାୟୀ ହୋଇ ନଥିଲା। ତେବେ, ସେ ଦ୍ୱିତୀୟ ବିବାହ କରି ନଥିଲେ। ୨୫ ମଇ ୧୯୭୪ରେ ତାଙ୍କର ପରଲୋକ ହୋଇଥିଲା।

ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର
ବ୍ରିଟିଶ ପାର୍ଲାମେଣ୍ଟରେ ୧୯୩୫ ମସିହା ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଗଲା। ପ୍ରତି ପ୍ରଦେଶର ବିଧାନ ସଭା ପାଇଁ ନିର୍ବାଚନ ହେଲା। ଓଡ଼ିଶା ବିଧାନସଭାରେ ୬୦ଟି ଆସନରୁ ୩୬ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦ୍ବାରା ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ଟି ଆସନ ଥିଲା। ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା। ମାତ୍ର ତତ୍କାଳୀନ ରାଜ୍ୟପାଳମାନଙ୍କ ସ୍ୱତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ ଶାସନ ଦାୟିତ୍ୱ ନେଲେ ନାହିଁ। ଏଣୁ ଓଡ଼ିଶାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ୍‌ ବର୍ଷକ ପରେ ଅର୍ଥାତ ୧୯୩୭ ମସିହା ଏପ୍ରିଲ୍ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍ ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ। ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

ପାରଳା ରାଜସିଂହାସନ କିଏ କେବେ
୧୫୬୫-୧୫୯୦ : ରାଜାସାହେବ ଶିବଲିଙ୍ଗ ନାରାୟଣଦେବ
୧୫୯୦-୧୬୩୦ : ରାଜା‌ସାହେବ ସୁବର୍ଣ୍ଣକେଶରୀ ଗୋବିନ୍ଦ ଗଜପତି ନାରାୟଣ ଦେବ
୧୬୩୦-୧୬୫୬ : ରାଜାସାହେବ ମୁକୁନ୍ଦ ରୁଦ୍ର ଗଜପତି ନାରାୟଣ ଦେବ
୧୬୫୬-୧୬୭୪ : ରାଜାସାହେବ ମୁକୁନ୍ଦ ଦେବ
୧୬୭୪-୧୬୮୬ : ରାଜାସାହେବ ଅନନ୍ତ ପଦ୍ମନାଭ ଗଜପତି ନାରାୟଣଦେବ
୧୬୮୬-୧୭୦୨ : ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବ
୧୭୦୨-୧୭୨୯ : ରାଜାସାହେବ ନରହରି ନାରାୟଣ ଦେବ
୧୭୨୯-୧୭୪୮ : ରାଜାସାହେବ ବୀରପଦ୍ମନ‌‌ାଭ ନାରାୟଣ ଦେବ ଦ୍ବିତୀୟ
୧୭୪୮-୧୭୫୧ : ରାଜାସାହେବ ପ୍ରତାପରୁଦ୍ର ଗଜପତି ନାରାୟଣ ଦେବ
୧୭୫୧-୧୭୭୦ : ରାଜା ସାହେବ ଜଗନ୍ନାଥ ଗଜପତି ନାରାୟଣ ଦେବ
୧୭୭୧-୧୮୦୨ : ରାଜା ସାହେବ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ
୧୮୦୨-୧୮୦୫ : ରାଜା ସାହେବ ପୁରୁଷୋତ୍ତମ ଗଜପତି ନାରାୟଣ ଦେବ
୧୮୨୧-୧୮୫୧ : ରାଜା ସାହେବ ଜଗନ୍ନାଥ ଗଜପତି ନାରାୟଣ ଦେବ ଦ୍ବିତୀୟ
୧୮୫୧-୧୮୮୫ : ରାଜା ସାହେବ ଶ୍ରୀଶ୍ରଶ୍ରୀ ପ୍ରତାପରୁଦ୍ର ଗଜପତି ନାରାୟଣ ଦେବ ଦ୍ବିତୀୟ
୧୮୮୫-୧୯୦୪ : ରାଜା‌ ସାହେବ ଶ୍ରୀଶ୍ରୀଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଦ୍ବିତୀୟ
୧୯୧୩-୧୯୭୪ : କ୍ୟାପ୍ଟେନ ମହାରାଜା ସାହେବ ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
୧୯୭୪-୨୦୨୦ : ରାଜା ସାହେବ ଶ୍ରୀଶ୍ରୀଶ୍ରୀ ଗୋପୀନାଥ ଗଜପତି ନାରାୟଣ ଦେବ

ସମ୍ବନ୍ଧିତ ଖବର