ମାଆଙ୍କ ମଙ୍ଗଳସୂତ୍ର ବିକି ଜରିମାନା ଦେବାକୁ ପହଞ୍ଚିଲେ ଯୁବକ, ନିଜ ଦରମା ଟଙ୍କା ଦେଇ ସାହାଯ୍ୟ କଲେ ଏଆର୍‌ଟିଓ

ଲକ୍ଷ୍ନୌ: ବେଳେ ବେଳେ ଟଙ୍କା ଖୁବ୍‌ ସାନ ହୋଇଯାଏ ମଣିଷପଣିଆ ଆଗରେ। ଉତ୍ତରପ୍ରଦେଶରେ ଜଣେ ଯୁବକ ନିଜ ମାଆଙ୍କ ମଙ୍ଗଳସୂତ୍ର ବିକ୍ରି କରି ଚାଲାଣ ଭରିବାକୁ ଆସିଛନ୍ତି ବୋଲି ଶୁଣିବା ପରେ ଏଆର୍‌ଟିଓ ଯାହା କଲେ ତାହା ସମସ୍ତଙ୍କ ପାଇଁ ଏକ ବିରାଟ ଉଦାହରଣ।

ଯୁବକଙ୍କ ଅଟୋ ଉପରେ ଚାଲାଣ କାଟି ୨୪,୫୦୦ ଟଙ୍କାର ଜରିମାନା ଲଗାଇଥିଲା ପରିବହନ ବିଭାଗ । ଅର୍ଥାଭାବ ହେତୁ ଅଟୋଚାଳକ ତାଙ୍କ ମାଆଙ୍କ ମଙ୍ଗଳସୂତ୍ର ବିକ୍ରି କରିବା ପରେ ବି ମାତ୍ର ୧୩ ହଜାର ଟଙ୍କା ଯୋଗାଡ଼ କରିବାକୁ ସମର୍ଥ ହୋଇଥିଲେ। ଯୁବକଙ୍କ ମୁହଁରୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଓ ନିଜ ଉପରେ ଥିବା ଦାୟିତ୍ବ ବିଷୟରେ ଶୁଣିବା ପରେ ଜରିମାନା ଆଦାୟ ଦାୟିତ୍ବରେ ଥିବା ଏଆର୍‌ଟିଓଙ୍କ ମନ ତରଳି ଯାଇଥିଲା ଓ ସେ ବାକି ଟଙ୍କା ନିଜ ଦରମାରୁ ଦେଇ ଚାଲାଣ ଭରି ଦେଇଥିଲେ।

ଘଟଣାଟି ହେଉଛି ମହାରାଜଗଞ୍ଜ ସହରର। ମହାରାଜଗଞ୍ଜ  ଆରଟିଓ କାର୍ଯ୍ୟାଳୟରେ ବୁଧବାର ଘଟଣାଟି ଘଟିବା ପରେ ସଭିଏଁ ଏବେ ଏଆର୍‌ଟିଓଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ଏଆର୍‌ଟିଓ ଶୁଣିବାକୁ ପାଇଥିଲେ ଯେ ଯୁବକ ଜଣକ ଖୁବ୍‌ ଗରିବ। ତାଙ୍କ ବାପାଙ୍କ ଆଖିକୁ ଭଲ ଦିଶେ ନାହିଁ। ତାଙ୍କ ମୁଣ୍ଡ ଉପରେ ୬ ଭଉଣୀଙ୍କ ବୋଝ। ଏପରି ପରିସ୍ଥିତି ଦେଇ ଗତି କରୁଥିବା ଯୁବକଙ୍କ ଅଟୋ ଉପରେ ୨୪,୫୦୦ ଜରିମାନା ଲାଗିବା ପରେ ତାଙ୍କ ମୁଣ୍ଡରେ ଯେପରି ଚଡ଼କ ପଡ଼ିଥିଲା। ସେ କିପରି ଏତେ ଟଙ୍କା ଯୋଗାଡ଼ କରିବେ ଭାବି ଭାବି ଶେଷରେ ମାଆଙ୍କ ମଙ୍ଗଳସୂତ୍ର ବିକିବାର ନିଷ୍ପତ୍ତି ନେଇଥିଲେ। ହେଲେ ବି ପୂରା ଟଙ୍କା ଯୋଗାଡ଼ କରି ପାରି ନଥିଲେ। ତାଙ୍କ ସମସ୍ୟା ଶୁଣିବା ପରେ ନିଜ ଦରମାରୁ ବାକି ଟଙ୍କା ଦେଇ ଯୁବକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚା ପାଲଟିଛନ୍ତି ଏଆର୍‌ଟିଓ।

ସମ୍ବନ୍ଧିତ ଖବର