ପକେଟରେ ଥିଲା ମାତ୍ର ୩ ଟଙ୍କା, ବସଷ୍ଟପରୁ ନଗଦ ୪୦ ହଜାର ଟଙ୍କା ପାଇ ବି ଫେରାଇ ଦେବା ସହିତ ୫ ଲକ୍ଷ ଟଙ୍କାର ପୁରସ୍କାରକୁ ଏଡାଇ ଦେଲେ ଏହି ବ୍ୟକ୍ତି

ପୁଣେ: ପକେଟରେ ମାତ୍ର ତିନି ଟଙ୍କା ଥିବା ପରିସ୍ଥିତିର ସାମ୍ନାରେ ଯଦି ୪୦ହଜାର ଟଙ୍କା ମିଳିଯିବ ତେବେ ଯେତେ ଭଲ ଲୋକ ହୋଇଥିଲେ ବି ଏହି ଟଙ୍କା ପ୍ରତି ତ ନିଶ୍ଚୟ ଲୋଭ ଆସିବ! କିନ୍ତୁ, ଏଭଳି ପରିସ୍ଥିତିରେ ଥାଇ  ବି ସଚ୍ଚୋଟପଣିଆ ଦେଖାଇ  ମହାରାଷ୍ଟ୍ର ସତାରାର ଧାନଜି ଜଗଦାଲେ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ତେବେ ଖୁବ୍‌ କମ୍‌ ଟଙ୍କା ରୋଜଗାର କରି ବହୁତ କଷ୍ଟରେ ନିଜର ଗୁଜୁରାଣ ମେଣ୍ଟଉଥିବା ୫୪ବର୍ଷୀୟ ଧାନଜି ଜଗଦାଲେ ଦୀପାବଳିରେ ଏକ ବସଷ୍ଟପରୁ ନଗଦ ୪୦ହଜାର ଟଙ୍କା ପାଇଥିଲେ। ଏହି ଟଙ୍କାକୁ ସେ ଲୋଭ ନ କରି ଅସଲି ମାଲିକ ପର୍ଯ୍ୟନ୍ତ ଯାଇ ସେ ତାହାକୁ ପହଞ୍ଚାଇ ଦେଇଥିଲେ। ଜଗଦାଲେଙ୍କ ଏହି ସଚ୍ଚୋଟତା ଦେଖି ଟଙ୍କା ପାଇଥିବା ମାଲିକ ତାଙ୍କୁ ପୁରସ୍କାର ବାବଦରେ ୧୦୦୦ଟଙ୍କା ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ସମସ୍ତ ପୁରସ୍କାର ରାଶିକୁ ମଧ୍ୟ ଏଡାଇ ଦେଇ କେବଳ ୭ଟଙ୍କା ଗ୍ରହଣ କରିଥିଲେ। କାରଣ ତାଙ୍କ ପକେଟରେ କେବଳ ତିନି ଟଙ୍କା ହିଁ ଥିଲା। ୭ଟଙ୍କା ଗ୍ରହଣ କରିବା ପଛର କାରଣ ହେଉଛି ପିଂଗାଲି ଗ୍ରାମକୁ ଯିବା ପାଇଁ ବସ ଭଡା ଆକାରରେ ତାଙ୍କୁ ୧୦ଟଙ୍କାର ଆବଶ୍ୟକତା ଥିଲା।

ଜଗଦାଲେ ଏହି ଘଟଣାକୁ ନେଇ କହନ୍ତି, ମୁଁ କୌଣସି କାମରେ ଦୀପାବଳି ଦିନ ଦହିଓ୍ଵାଡି ଯାଇ ଫେରୁଥିବା ବେଳେ ବସ୍‌ଷ୍ଟପ୍‌ରେ ଟଙ୍କା ବିଡା ପାଇଥିଲି। ଟଙ୍କା ପାଇବା ପରେ ଆଖପାଖର ଲୋକମାନଙ୍କୁ ଏହି ଟଙ୍କା ବିଷୟରେ ପଚାରିଥିଲି। ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଖୋଜୁଥିବା ଦେଖିବାକୁ ପାଇଥିଲି। ଏହାପରେ ବୁଝି ଯାଇଥିଲି କି ଏହି ଟଙ୍କା ତାଙ୍କର ହିଁ ଥିଲା। ଟଙ୍କା ଦେବା ପରେ ଉକ୍ତ ବ୍ୟକ୍ତି ଜଣକ ଖୁସି ହୋଇଯାଇଥିଲେ ଓ ଧନ୍ୟବାଦ ଜଣାଇଥିଲେ। ସେ ଏହି ଟଙ୍କା ତାଙ୍କ ପତ୍ନୀଙ୍କ ଅସ୍ତ୍ରୋପଚାର ପାଇଁ ରଖିଥିବା କହିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସତାରାର ବିଜେପି ବିଧାୟକ ଶିବେନ୍ଦ୍ରରାଜେ ଭୋସଲେ, ପୂର୍ବତନ ସାଂସଦ ଉଦୟନ ରାଜେ ଓ ଅନ୍ୟ ସଙ୍ଗଠନ ଜଗଦାଲେଙ୍କୁ ସମ୍ମାନିତ କରିଥିଲେ। କିନ୍ତୁ ସେ କିଛି ବି ପୁରସ୍କାର ବାବଦରେ ଟଙ୍କା ନେବାକୁ ମନା କରି ଦେଇଥିଲେ। ଜିଲ୍ଲାର କୋରେଗାଓ୍ଵ ତହସିଲର ମୂଳ ନିବାସୀ ଓ ବର୍ତ୍ତମାନ ଆମେରିକାରେ ବସବାସ କରୁଥିବା ରାହୁଲ ବର୍ଗେ ଜଗଦାଲେଙ୍କୁ ପାଞ୍ଚ ଲକ୍ଷଟଙ୍କା ପୁରସ୍କାର ବାବଦରେ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଟଙ୍କା ରାଶିକୁ ନେବାକୁ ବି ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର