ମୁମ୍ବାଇ: କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି କୌଣସି ବି କାର୍ଯ୍ୟରେ ସଫଳତା ଦେଇପାରେ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ୩୪ ବର୍ଷିୟ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌ ଛାତ୍ର ଶିତଲ ସୂର୍ଯ୍ୟବଂଶୀ। ପରିବାରର ବିରୋଧ ସତ୍ତ୍ବେ ନିଜ ଉପରେ ଥିବା ଆତ୍ମବିଶ୍ବାସକୁ ସାଥିରେ ଧରି ଚାକିରି ଛାଡ଼ି ପିଜୁଳି ଚାଷ କରିବାର ନିଷ୍ପତ୍ତି ନେଇଥି‌ଲେ ଶିତଲ। ସବୁଠାରୁ ଖୁସିର କଥା ହେଉଛି, ସେ ଚାକିରି କରି ଯେତିକି ଟଙ୍କା ଦରମା ଆକାରରେ ପାଉଥିଲେ ପିଜୁଳି ଚାଷ କରି ଏବେ ତାହାର ଦ୍ବିଗୁଣ ରାଶି ଉପାର୍ଜନ କରୁଛନ୍ତି।

Advertisment

ସେ ୨୦୦୯-୧୦ରେ ଏକ ଘରୋଇ କଲେଜରୁ ସ୍ନାତକ ହାସଲ କରିବା ପରେ ୨୦୧୫ରେ ଏକ ମଲଟିନେସ୍‌ନାଲ୍‌ କମ୍ପାନିରେ ଚାକିରି ପାଇଥିଲେ। ମାତ୍ର ଏକ ପାରମ୍ପରିକ କୃଷି ପରିବାରରୁ ଆସିଥିବା ଶିତଲ ଚାକିରିରେ ନିଜକୁ ସନ୍ତୁଷ୍ଟ କରିପାରିଲେ ନାହିଁ। ତାଙ୍କ ମୁଣ୍ଡରେ ଚାଷ କରିବାର ନିଶା ପଶିଲା।

publive-image betterindia

ପୂର୍ବରୁ ତାଙ୍କ ପରିବାର ଆଖୁ ଚାଷ କରି ଆସୁଥିବା ବେଳେ ସେ ଚିନ୍ତା କଲେ ଯେ ଆଖୁ ଫସଲ ଭଲ ଅମଳ ପାଇଁ ପ୍ରଚୁର ଜଳ ଆବଶ୍ୟକ କରେ। ଚାଷ କରିବାର ପ୍ରାୟ ୧୭-୧୮ ମାସ ପରେ ଫସଲ ଅମଳ ହୁଏ, ଯାହାକି ଏକ ଖୁବ୍ ଦୀର୍ଘ ସମୟ ନେଇଥାଏ। ଉତ୍ପାଦ କାରଖାନାରେ ବିକ୍ରି ହେବାର ପ୍ରାୟ ୩-୪ ମାସ ପରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଟଙ୍କା ଆସେ। ପ୍ରଥମେ ସେ ଅଙ୍ଗୁର ଚାଷ କରିବେ ବୋଲି ଚିନ୍ତା କଲେ। ପରେ ଅହମ୍ମଦାବାଦ୍‌ର ତାଙ୍କର ଜଣେ ବନ୍ଧୁ ତାଙ୍କୁ ପିଜୁଳି ଚାଷ କରିବାକୁ ପରାମର୍ଶ ଦେଲେ।

publive-image betterindia

ସେ ପିଜୁଳି ଚାଷ କରି ଏବେ ଦିନକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଆଖପାଖ ଅଞ୍ଚଳରେ ପିଜୁଳିର ଖୁବ୍ ଚାହିଦା ଥିବାରୁ ତାଙ୍କୁ ସଫଳତା ମିଳିବାକୁ ବିଶେଷ ଡେରି ଲାଗି ନଥିଲା। ସେ କହନ୍ତି କି ‘ମୋ ବାପା ଏକ ନୂଆ ଚାଷ କରିବାକୁ ମୋତେ ଜମି ଦେବାକୁ ରାଜି ନଥିଲେ। ତାଙ୍କ ଭୟ କାରଣରୁ ମୁଁ ଆମର ୧୦ ଏକର ଜମିରୁ ମାତ୍ର ୨ ଏକର ଜମିରେ ପିଜୁଳି ଚାଷ କରିଥିଲି। ବାକି ୮ ଏକର ଜମିରେ ପୂର୍ବ ପରି ଆଖୁ ଚାଷ ହୋଇଥିଲା। ଏବେ ମୋର ପିଜୁଳି ଚାଷରେ ପରିବାର ଲୋକ ଖୁବ୍‌ ଅନନ୍ଦିତ।’