ୱାସିମ୍: ଆପଣ କେବେ ଏପରି ସ୍କୁଲ୍ ଦେଖିଛନ୍ତି କି ଯେଉଁଟାରେ ଜଣେ ଛାତ୍ରକୁ ଜଣେ ଶିକ୍ଷକ ଥିବେ? ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାର ଗଣେଶପୁରରେ ଏକ ଏପରି ସ୍କୁଲ୍ ଅଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଏହି ସ୍କୁଲ୍ ଗୋଟାଏ ଛାତ୍ର ପାଇଁ ଚାଲୁଛି। ସରକାରୀ ସ୍କୁଲ୍ରେ ପଢ଼ିବାକୁ ସମସ୍ତେ ନାକ ଟେକୁଥିବା ବେଳେ କାର୍ତ୍ତିକ ପ୍ରତିଦିନ ସ୍କୁଲ୍ ଯାଇ ଉଦାହରଣ ସାଜିଛନ୍ତି।
ୱାସିମ ଜିଲ୍ଳାର ସବୁଠାରୁ ଛୋଟ ଗାଁ ହେଉଛି ଗଣେଶପୁର। ଏହି ଗାଁର ଜନସଂଖ୍ୟା ପ୍ରାୟ ୧୫୦ରୁ ୨୦୦ ହେବେ। ଏହି ଗ୍ରାମର ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲ୍ର ଚର୍ଚ୍ଚା ଏବେ ପୂରା ଜିଲ୍ଲାରେ ହେଉଛି। ଏହି ସ୍କୁଲ୍ରେ ପ୍ରଥମରୁ ୪ର୍ଥ ପର୍ଯ୍ୟନ୍ତ ଶ୍ରେଣୀ ଅଛି। ମାତ୍ର ସ୍କୁଲ୍ରେ ମାତ୍ର ଏକମାତ୍ର ଛାତ୍ର ରହିଛି। ଏହି ଛାତ୍ରକୁ ପଢ଼ାଇବା ପାଇଁ ସ୍କୁଲ୍ରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି।
ଜଣେ ଛାତ୍ର ଥିବା ସତ୍ତ୍ବେ ବି ପ୍ରତିଦିନ ଠିକ୍ ସମୟରେ ସ୍କୁଲ୍ ଖୋଲିଯାଏ। କାର୍ତ୍ତିକ ନାମକ ଏହି ବିଦ୍ୟାର୍ଥୀ ଜଣକ ପ୍ରତିଦିନ ଉଚିତ ସମୟରେ ସ୍କୁଲ୍ ପହଞ୍ଚିଯାଏ। କାର୍ତ୍ତିକ ତୃତୀୟ ଶ୍ରେଣୀର ଛାତ୍ର। ତାକୁ ପଢ଼ାଇବାକୁ ତା’ ଶିକ୍ଷକ ୧୨ କିଲୋମିଟର୍ ଦୂରରୁ ଆସିଥାନ୍ତି। ସ୍କୁଲ୍ରେ ପହଞ୍ଚିବା ପରେ ଉଭୟ ଶିକ୍ଷକ ଓ ଛାତ୍ର ଜାତୀୟ ସଂଗୀତ ଗାଇଥାନ୍ତି ଓ ପାଠ ପଢ଼ା ଆରମ୍ଭ କରିଥାନ୍ତି।
ଶିକ୍ଷକଙ୍କ ନାମ କିଶୋର ମାନକର। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ସ୍କୁଲ୍ ହେଉଛି ଗାଁର ଏକମାତ୍ର ସ୍କୁଲ୍।