ମୁମ୍ବାଇ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଚେଷ୍ଟା ଥିଲେ ଆମେ ସମସ୍ତ ସଫଳତା ହାସଲ କରିପାରିବା। ମହାରାଷ୍ଟ୍ରର ଜଣେ କୃଷକଙ୍କ ପତ୍ନୀ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରି ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି। ସୋଲାପୁରର ଜଣେ କୃଷକଙ୍କ ପତ୍ନୀ କ୍ରାନ୍ତି ପାୱାର ଯାଦବ ଏମପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସବ୍ ଇନ୍‌ସ୍ପେକ୍ଟର ଚାକିରି କରିଛନ୍ତି।

Advertisment

ଏବେ ପର୍ଯ୍ୟନ୍ତ କ୍ରାନ୍ତି ପୁଲିସ୍‌ ଫୋର୍ସରେ ଜଣେ କନଷ୍ଟେବଲ୍‌ ଥିଲେ। ପାଠ ପଢ଼ିବାକୁ ସୁବିଧା ହେବ ବୋଲି ସେ ଗାର୍ଡ ଡ୍ୟୁଟି କରୁଥିଲେ। ନିରନ୍ତର ଅଧ୍ୟୟନ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସେ ଆଜି ନିଜ ସ୍ବପ୍ନ ସାକାର କରି ପାରିିଛନ୍ତି।
ସଫଳତା ପାଇବା ପରେ କ୍ରାନ୍ତି କହନ୍ତି କି ତାଙ୍କ ସ୍ବାମୀ ହିଁ ତାଙ୍କୁ ଏମ୍‌ପିଏସ୍‌ସି ପରୀକ୍ଷା ଦେବାକୁ ବାଧ୍ୟ କରିଥିଲେ। ଶଶୁରଘର ଲୋକଙ୍କର ମଧ୍ୟ ପୂର୍ଣ୍ଣ ସମର୍ଥନ ଥିଲା। ସ୍ବାମୀଙ୍କ ବ୍ୟତୀତ ତାଙ୍କ ଶାଶୂ, ଭାଇ ଭଉଣୀ ମଧ୍ୟ ତାଙ୍କୁ ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିଥିଲେ। ଚାକିରିି କରି ପାଠ ପଢ଼ିବା ଖୁବ୍ କଠିନ୍‌ ଥିଲେ ବି ସେ ଏହା କରି ଦେଖାଇଛନ୍ତି।

ଏକ ସାଧାରଣ ପରିବାରର ବୋହୂ ହୋଇଥିବା ବେଳେ ଘର, ଚାକିରି ଓ ଛୁଆକୁ ସମ୍ଭାଳି ସଫଳତା ପାଇଥିବା କ୍ରାନ୍ତିଙ୍କୁ ବିଭିନ୍ନ ମହଲ‌ରେ ପ୍ରଶଂସା କରାଯାଉଛି। ସୋଲାପୁର ଗ୍ରାମୀଣ ପୁଲିସ ଫୋର୍ସ ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା କ୍ରାନ୍ତି ପାୱାର ଯାଦବଙ୍କୁ ମଙ୍ଗଲଭେଦା ପୁଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି।