ନୂଆଦିଲ୍ଳୀ: କୁହାଯାଏ ପରିବାରର ସମର୍ଥନ ଥିଲେ ବଡ଼ରୁ ବଡ଼ ପରୀକ୍ଷା ବି ଛୋଟ ଲାଗେ। ସଫଳତା ମିଳିବା‌କୁ ସମୟ ଲାଗେ ନାହିଁ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସୁନୀଲ ଖଚକଡ଼। ଜଣେ ଦିନ ମଜୁରିଆଙ୍କ ପୁଅ ହୋଇ ମହାରାଷ୍ଟ୍ରର ଏମ୍‌ପିଏସ୍‌ସି ପୁଲିସ୍‌ ସବ୍‌ ଇନ୍‌ସ୍ପେକ୍ଟର ପରୀକ୍ଷାରେ ଟପ୍‌ କରି ନିଜ ବାପାମାଆଙ୍କ ସ୍ବପ୍ନ ପୂରା କରିଛନ୍ତି।

Advertisment

‘ଦ ବେଟର୍‌ ଇଣ୍ଡିଆ’କୁ ନିଜର ସାକ୍ଷାତ୍‌କାର ଦେଇ ସୁନୀଲ କହିଛନ୍ତି ଯେ ସେ ପରୀକ୍ଷ‌ାରେ ଉତ୍ତୀର୍ଣ୍ଣ ହୋଇଛନ୍ତି କି ନାହିଁ ଦେଖିବା ପାଇଁ ୱେବ୍‌ସାଇଟ୍‌ ଖୋଲିଥିଲେ। ହେଲେ ଯେତେବେଳେ ‌ଟପ୍‌ ତାଲିକାରେ ନିଜ ନାଁ ଦେଖିଲେ ତ କିଛି ସମୟ ପାଇଁ ଚୁପ୍‌ ହୋଇ ଯାଇଥିଲେ। ତାହା ତାଙ୍କ ପାଇଁ ସବୁଠାରୁ ବଡ଼ ଖୁସି ଥିଲା।

୨୮ ବର୍ଷୀୟା ଏହି ଯୁବକ ଜଣକ ସଫଳତା ପାଇବା ପୂର୍ବରୁ ନିଜ ଜୀବନରେ ଖୁବ୍ ସଂଘର୍ଷ କରିଛନ୍ତି। ଏତେ ସଂଘର୍ଷ ପରେ ମିଳିଥିବା ସଫଳତା ତାଙ୍କ ଆଖିରେ ଖୁସିର ଲୁହ ଆଣି ଦେଇଥିଲା। ତାଙ୍କର ସେ ମୁହୂର୍ତ୍ତକୁ ବର୍ଣ୍ଣନା କରି ସୁନୀଲ କହିଛନ୍ତି, ‘ସେହି ମୁହୂର୍ତ୍ତକୁ ବର୍ଣ୍ଣନା କରିବାକୁ ମୋ ନିକଟରେ କିଛି ଶବ୍ଦ ନାହିଁ। ଆମେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି କାନ୍ଦୁଥିଲୁ। ମୁଁ କଦାପି କଳ୍ପନା କରି ନ ଥିଲି ଯେ ମୁଁ ଟପ୍‌ କରିିବି ବୋଲି।’

ଏହି ଫଳାଫଳ ସାତ ବର୍ଷର କଠିନ ପରିଶ୍ରମର ଏକ ପ୍ରମାଣ। ତାହା ପୁଣି କେବଳ ସୁନୀଲଙ୍କ ପାଇଁ ନୁହେଁ ବରଂ ପୂରା ପରିବାର ପାଇଁ। ସୁନୀଲ ମହାରାଷ୍ଟ୍ରର ୱାସିମ୍‌ର ରଣଜିତ ନଗର ନାମକ ଏକ ଗାଁରେ ବଢ଼ିଥିଲେ। ପାଞ୍ଚ ପିଲାଙ୍କ ମଧ୍ୟରେ ସେ ଥିଲେ ଦ୍ୱିତୀୟ। ତାଙ୍କର ପାଠ ଭଲ ହେଉଥିବାରୁ ତାଙ୍କ ସ୍ବପ୍ନକୁ ସକାର କରିବାକୁ ସୁନୀଲଙ୍କ ବାପାମାଆ ଦିନ ଯାକ ଏକ ଚାଷ ଜମିରେ ପରିଶ୍ରମ କରୁଥିଲେ।

ସୁନୀଲ ତାଙ୍କ ଗାଁରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ଏବଂ ପରେ ବିଏ ପାସ୍‌ କରିଥିଲେ। ସେ ପିଲାଟି ଦିନରୁ ହିଁ ପୁଲିସ୍‌ ହେବାକୁ ଚାହୁଁଥିଲେ। ହେଲେ ନିଜର ସ୍ବପ୍ନକୁ ପୂରା କରିବାର ନିଶା ମନରେ ରଖିବା ସହ ବାପାମାଆଙ୍କୁ ବି ଜମି କାମରେ ସାହାଯ୍ୟ କରୁଥିଲେ। ୨୦୧୬ ମସିହାରେ ସୁନୀଲ ନିଜର ସବ୍‌-ଇନ୍‌ସ୍ପେକ୍ଟର ହେବାର ସ୍ବପ୍ନ ପୂରା କରିବାକୁ ଔରଙ୍ଗାବାଦର ସାମ୍ବାଜୀ ନଜର ଯାଇଥିଲେ। ସେଠାରେ ପୁଲିସ୍‌ ପାଇଁ ବହୁତ ଭଲ କୋଚିଂ ଦିଆଯାଉଥିବା ବ‌େଳେ ସେ କିନ୍ତୁ କ୍ଲାସ୍‌ ପାଇଁ ଟଙ୍କା ପାଇନଥିଲେ। ବନ୍ଧୁମାନଙ୍କଠାରୁ ପଢ଼ି ପଢ଼ି ସେ ନିଜର ସ୍ବପ୍ନ ପୂରା କରି ପାରିଛନ୍ତି।

ସେଠାରେ ରହିବା ପାଇଁ ମାସକୁ ତାଙ୍କର ପ୍ରାୟ ୩-୫ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ସେହି ଟଙ୍କା ବହନ କରିବାକୁ ତାଙ୍କ ବାପାମାଆ ସଡ଼କ କାମରେ ଦିନ ମଜୁରିଆ‌ ଭାବେ କାମ କରୁଥିଲେ। ସେ କୁହନ୍ତି କି ଥରେ ତାଙ୍କ ସାହାଯ୍ୟ କରିବାକୁ ତ‌ାଙ୍କ ବନ୍ଧୁମାନେ ୧୦ ହଜାର ଟଙ୍କା ଦେଇଥିଲେ।