ମହାରଥୀ: ମନ୍ତ୍ରୀପଦରେ ଥିବା ବେଳେ ବିବାଦୀୟ ହୋଇ ଇସ୍ତଫା ଦେଇଥିଲେ

ଭୁବନେଶ୍ବର: ପୁରୀ ଜିଲ୍ଲାର ଟାଣୁଆ ନେତା ପ୍ରଦୀପ ମହାରଥୀ ପିପିଲିରୁ ୪ ଥର ବିଧାୟକ ଭାବେ ଜିତିବା ପରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ପ୍ରଥମ କରି ମନ୍ତ୍ରୀ କରିବା ସହ କୃଷି ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦେଇଥିଲେ। ମାତ୍ର ଏକ ନାଟକୀୟ ଘଟଣାକ୍ରମରେ ମହାରଥୀଙ୍କୁ ମନ୍ତ୍ରୀ ହେବାର ମାତ୍ର ୮ ମାସ ପରେ ଇସ୍ତଫା ଦେବାକୁ ପଡ଼ିଥିଲା। ପିପିଲିର ଜଣେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ୨୦୧୨ ମସିହାରେ ଏହି ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା। ଆଉ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।

ତେବେ ୨୦୧୪ରେ ବିଜେଡି ଅଧ୍ୟକ୍ଷ ତାଙ୍କ ଉପରେ ପୁଣି ଆସ୍ଥା କରି ତାଙ୍କୁ ପିପିଲି ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ। ଜୟୀ ହେବା ପରେ ସେ ପୁଣି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏଥର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଦାୟିତ୍ବ ଦିଆଯାଇଥିଲା। ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ୨୦୧୭ ମସିହାରେ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା। ପରେ କୃଷିମନ୍ତ୍ରୀ ଡ. ଦାମୋଦର ରାଉତଙ୍କ ଇସ୍ତଫା ପରେ ତାଙ୍କୁ ପୁଣି ନିଜ ବିଭାଗ ସହିତ କୃଷି ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସମୟରେ ୨୦୧୮ ମସିହା ଶେଷଭାଗରେ ପିପିଲି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ଦୁଇଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନ କୋର୍ଟରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି ଘଟଣାରେ ଶ୍ରୀ ମହାରଥୀଙ୍କ ବିବାଦୀୟ ବୟାନ ‘ବେବିନାର ଆତ୍ମାକୁ ନ୍ୟାୟ ମିଳିଲା’ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। ୨୦୧୯ ସାଧାରଣ ନିର୍ବାଚନୁ ଆଉ ମାତ୍ର ଅଳ୍ପ କେତେ ମାସ ବାକିଥିବାରୁ ଏହା ବିଜେଡି ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ପୁଣିଥରେ ବିବାଦୀୟ ପରିସ୍ଥିତିରେ ୨୦୧୯ ଜାନୁଆରି ମାସରେ ଶ୍ରୀ ମହାନ୍ତିଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ୨୦୧୯ ନିର୍ବାଚନରେ ସେ ପିପିଲିବାସୀଙ୍କ ହୃଦୟ ଜିଣିବା ସହ ୭ମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର