୨୦୨୪ ମସିହା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କର ଦ୍ୱିଶତାବ୍ଦୀ ବର୍ଷ। କାରଣ, ତାଙ୍କର ଆବିର୍ଭାବ ଘଟିଥିଲା ୧୮୨୪ ମସିହା, ଫେବ୍ରୁଆରୀ ମାସ ୧୨ ତାରିଖରେ। ସେ ଭାରତବର୍ଷର ବିଶିଷ୍ଟ ବିଦ୍ୱାନ ଓ ଚିନ୍ତକ। ସେ ମଧ୍ୟ ଆର୍ଯ୍ୟସମାଜର ସଂସ୍ଥାପକ।
ମହର୍ଷି ଦୟାନନ୍ଦଙ୍କର ପିଲାଦିନର ନାଆଁ ଥିଲା ମୂଳଶଙ୍କର। କାରଣ, ମୂଳା ନକ୍ଷତ୍ରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମରାଶି ଥିଲା ଧନୁ। ତାଙ୍କ ସଂପର୍କରେ ଏକ ଉଲ୍ଲେଖନୀୟ ତଥ୍ୟ ହେଉଛି- ତାଙ୍କର ମାତା ବୈଷ୍ଣବୀ ଥିଲେ ମଧ୍ୟ, ପିତା ଥିଲେ ଶୈବ। ମାତ୍ର ଦୟାନନ୍ଦ ବୈଦିକ ଜ୍ଞାନ ଆହରଣରେ ହିଁ ଆଗ୍ରହୀ ହୋଇଥିଲେ। ବୈଦିକ ଜ୍ଞାନକୁ ସେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ସେ ଯେଉଁ ଦର୍ଶନର ପ୍ରଚାର ପ୍ରସାରରେ ବ୍ରତୀ ହୋଇଥିଲେ, ତାହାର ମୂଳ ମନ୍ତ୍ର ଥିଲା- “ବେଦକୁ ଫେରିଚାଲ”। ତାଙ୍କର ପିତା ଶୈବ ଥିବାରୁ ଶିବରାତ୍ରି ବ୍ରତ ନିଷ୍ଠାର ସହ ପାଳନ କରୁଥିଲେ। ପୁତ୍ରକୁ ମଧ୍ୟ ସେହି ବ୍ରତ ପାଳନ କରିବାପାଇଁ ସେ ପ୍ରରୋଚିତ କରୁଥିଲେ। ୧୮୪୫ ମସିହା ଶିବରାତ୍ରିର କଥା। ପିତାଙ୍କ ନିର୍ଦ୍ଦେଶରେ ଦୟାନନ୍ଦ ଶିବ ମନ୍ଦିରରେ ରହି ବ୍ରତ ପାଳନ କରୁଥାନ୍ତି। ଦେଖିଲେ, ମୂଷାମାନେ ଶିବଲିଙ୍ଗ ଉପରେ ଦୌଡ଼କୁଦ କରୁଛନ୍ତି। ସେଥିରୁ ତାଙ୍କର ଅବବୋଧ ହେଲା, ଯେ ଯେଉଁ ଶିବଙ୍କ କଥା ଶାସ୍ତ୍ରଗ୍ରନ୍ଥରେ କୁହାଯାଇଛି, ସେ ଶିବ ଭିନ୍ନ। ସେ ଶିବ ଏକ ମହତ୍ତର ସତ୍ୟ। ଫଳରେ ସେ ମନ୍ଦିରରୁ ଘରକୁ ଫେରିଗଲେ ଏବଂ ସେହି ସତ୍ୟ ଶିବଙ୍କ ସନ୍ଧାନରେ ପ୍ରବୃତ୍ତ ହେଲେ। ତାହା ତାଙ୍କୁ ବୈଦିକ ଜ୍ଞାନ ଓ ସନାତନ ଧର୍ମ ପ୍ରତି ଆଗ୍ରହୀ କଲା। ସେହି ସତ୍ୟ ଓ ସନାତନର ସନ୍ଧାନରେ ସେ ଜୀବନପଥରେ ଅଗ୍ରସର ହେଲେ।
ମହର୍ଷି ଦୟାନନ୍ଦଙ୍କର ପିଲାଦିନର ନାଆଁ ଥିଲା ମୂଳଶଙ୍କର। କାରଣ, ମୂଳା ନକ୍ଷତ୍ରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମରାଶି ଥିଲା ଧନୁ। ତାଙ୍କ ସଂପର୍କରେ ଏକ ଉଲ୍ଲେଖନୀୟ ତଥ୍ୟ ହେଉଛି- ତାଙ୍କର ମାତା ବୈଷ୍ଣବୀ ଥିଲେ ମଧ୍ୟ, ପିତା ଥିଲେ ଶୈବ।
ମହର୍ଷି ଦୟାନନ୍ଦଙ୍କର ଶିକ୍ଷକ ତଥା ଗୁରୁ ଥିଲେ ବିରଜାନନ୍ଦ ଦଣ୍ଡବାଗୀଶ। ସେ ତାଙ୍କୁ ପାଣିନିଙ୍କ ବ୍ୟାକରଣ, ପାତଂଜଳ ଯୋଗସୂତ୍ର ଏବଂ ବେଦ ବେଦାଙ୍ଗ ଆଦି ଅଧ୍ୟୟନ କରାଇଥିଲେ। ଶିକ୍ଷା ସମାପ୍ତ ହେବା ପରେ ଯେତେବେଳେ ଗୁରୁଦକ୍ଷିଣା ଦେବା କଥା ଆସିଲା, ଗୁରୁ କହିଲେ- ଯେଉଁ ବିଦ୍ୟା ଅର୍ଜନ କରିଛ, ତାହାକୁ ସାର୍ଥକ କରି ଦେଖାଅ; ପରୋପକାର କର; ଜନ ସମାଜରୁ ମତ-ମତାନ୍ତରର ଅଜ୍ଞାନତା ହଟାଅ। ବେଦର ଆଲୋକରେ ସବୁ ଅଜ୍ଞାନ ଅନ୍ଧକାର ଦୂର କର। ଏହାହିଁ ମୋ’ପାଇଁ ତୁମର ଶ୍ରେଷ୍ଠ ଗୁରୁଦକ୍ଷିଣା ହେବ।
ସେଦିନ ଗୁରୁଙ୍କର ସେହି ଉପଦେଶର ସୁଫଳ ହେଉଛନ୍ତି ମହର୍ଷି ଦୟାନନ୍ଦ ସରସ୍ୱତୀ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ। ତାଙ୍କର ଦ୍ୱିଶତାବ୍ଦୀ ଅବସରରେ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପ୍ରବର୍ତ୍ତିତ ମାର୍ଗ, ଆମକୁ ସେହି ଆଲୋକପଥ ପ୍ରତି ଆକର୍ଷିତ କରୁ!