ମଞ୍ଚ ଉପରେ ମହାରଥୀ କହିଥିଲେ…କଥା ଦେ କାନ୍ଦିବୁନି…

ଭୁବନେଶ୍ବର:  ମଞ୍ଚ ଉପରେ କହିଥିଲେ ‘କଥା ଦେ କାନ୍ଦିବୁନି’। ଆଜି କିନ୍ତୁ ତାଙ୍କ କଥା ରହିଲାନି। ଅନେକଙ୍କୁ କନ୍ଦେଇ ଆରପାରିକୁ ଚାଲିଗଲେ ଯାତ୍ରାରଥୀ ପ୍ରଦୀପ ମହାରଥୀ। ରାଜ୍ୟ ରାଜନୀତିରେ ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ପରିଚିତ ପ୍ରଦୀପ ମହାରଥୀ ରଙ୍ଗମଞ୍ଚରେ ବି ନିଜ ନିର୍ଦ୍ଦେଶନାରେ ଭେଟି ଦେଇଥିଲେ କିଛି ଚର୍ଚ୍ଚିତ ନାଟକ। ସବୁବେଳେ ସ୍ପଷ୍ଟ ଓ ନିର୍ଭୀକ ମତ ରଖୁଥିବା ମହାରଥୀ ଯେ ମଞ୍ଚ ଉପରେ ଏତେ ସୁନ୍ଦର ନିର୍ଦ୍ଦେଶନା ଦେଇପାରନ୍ତି, ତାହା ‘କଥା ଦେ କାନ୍ଦିବୁନି’ ନାଟକ ଦେଖି ଲୁହ ଝରାଉଥିବା ଯାତ୍ରା ଦର୍ଶକ ସେଇଦିନ ବୁଝି ନେଇଥିଲେ। ତା’ ପରେ ତାଙ୍କୁ ନେଇ କେବେ ନାଟକ ଲେଖାଗଲା ତ, ପୁଣି କେବେ ସେ ନିଜେ କିଛି ନାଟକ ନିର୍ଦ୍ଦେଶନା ଦେବାକୁ ଆଗେଇ ଆସିଲେ।

କର୍ମ ସିନା ରାଜନୀତି ସହ ଜଡ଼ିତ ଥିଲା କିନ୍ତୁ ‘କଳିଙ୍ଗ ଗଣନାଟ୍ୟ’ ଥିଲା ମାନସ ସନ୍ତାନ। ତାଙ୍କ ନିର୍ଦେଶିତ ନାଟକ ମଧ୍ୟରେ ଆଉ ଏକ ଚର୍ଚ୍ଚିତ ନାଟକ ଥିଲା ‘ଗୁଡ୍‌ ମର୍ଣ୍ଣିଂ ଅଙ୍କଲ୍‌’। ଏହାର ଲେଖକ ଥିଲେ ବିଚିତ୍ରାନନ୍ଦ ସାହୁ। ୨୦୦୫-୦୬ ମସିହାରେ ଯେବେ ତାଙ୍କ ନିର୍ଦେଶିତ ଏହି ନାଟକ ରାଜଧାନୀର ରୁପାଲି ଛକରେ ମଂଚସ୍ଥ ହୋଇଥିଲା, ଗୋଟେଦିନ ସେ ୬ ଜଣ ମନ୍ତ୍ରୀଙ୍କୁ ଆଣି ଏ ନାଟକ ଦେଖାଇଥିଲେ। ରାଜ୍ୟ ରାଜନୀତିର ଚାଣକ୍ୟ ବୋଲାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କୁ ନେଇ ସେ ଭେଟି ଦେଇଥିଲେ ଏହି ନାଟକ। ସେହି ନାଟକରେ ଅଭିନେତା ପ୍ରମୋଦ ଶତପଥୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ରାଜନୀତିକୁ ନେଇ ସେ ନିଜ ନିର୍ଦ୍ଦେଶନାରେ ଭେଟି ଦେଇଥିଲେ ‘ଲାଲୁ ଶାସନରେ ଭାଲୁ ରାଜା’। ସେଥିରେ ପ୍ରଶାସକମାନେ କିଭଳି ରାଜନୀତି କ୍ଷେତ୍ରକୁ ନିୟନ୍ତ୍ରଣ କରୁଛନ୍ତି ନିଜ ଅଭିଜ୍ଞତାକୁ ଉପଯୋଗ କରି ତାହା ଚିତ୍ରଣ କରିଥିଲେ।

ଯାତ୍ରା ମାଲିକ ସଂଘର ସାମ୍ବାଦିକ ସମ୍ମଳିଳନୀରେ ମହାରଥୀ

ଏହା ବ୍ୟତୀତ ତାଙ୍କୁ କେନ୍ଦ୍ର କରି ତିଆରି ହୋଇଥିଲା ଦୁଇଟି ସଫଳ ନାଟକ। ନାଟକର ଶୀର୍ଷକ ଥିଲା ‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’। ‌ସବୁବେଳେ ସ୍ପଷ୍ଟ ମତ ରଖୁଥିବା ରାଜନୀତି ଜଗତର ମହାରଥୀଙ୍କ ମୁହଁରେ ଏହି ସଂଳାପ ଥିଲା ଚିରାଚରିତ। ଏଥିସହ ତାଙ୍କୁ ଆଧାର କରି ନିର୍ମିତ ହୋଇଥିଲା ‘ସରିନାହିଁ ରାଜନୀତି, ହାରିନାହିଁ ମହାରଥୀ’। ମାତ୍ର ଦୀର୍ଘ ଦଶନ୍ଧି ରଥୀ ଭାବେ ରାଜ୍‌ କଲା ପରେ ତାଙ୍କ ରାଜନୀତି ସରିଗଲା। ଆଉ ସେ ଜୀବନ ଯୁଦ୍ଧରେ ହାରିଗଲେ। ସେତେବେଳେ ତାଙ୍କ ନିର୍ଦ୍ଦେଶିତ ଏ ନାଟକ ବି ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଥିଲା ବୋଲି ‘କଳିଙ୍ଗ ଗଣନାଟ୍ୟ’ର ମ୍ୟାନେଜର୍‌ ମଧୁ କହିଛନ୍ତି। ନାଟକ ପ୍ରତି ଭାରି ସଉକ ଥିଲା। ଟିକେ ଫୁର୍‌ସତ ପାଇଲେ ଆଖଡ଼ା ଘର ଚାଲିବା ବେଳେ ସେଠାକୁ ସନ୍ଧ୍ୟାରେ ଯାଇ ନାଟକ ଦେଖି ମନ୍ତବ୍ୟ ଦେବାକୁ ଭୁଲୁ ନ ଥିଲେ। ଯେବେ ଚୂଡ଼ାନ୍ତ ରିହର୍ସାଲ ହେଉଥିଲା, ସେତେବେଳେ ପତ୍ନୀ ପ୍ରତିଭା ମହାରଥୀଙ୍କ ସହ ବସି ନାଟକ ଦେଖି ମନ୍ତବ୍ୟ ରଖୁଥିଲେ। ଖଣ୍ଡଗିରି ବେଳେ କଳିଙ୍ଗ ଗଣନାଟ୍ୟ ଏକମାତ୍ର ଯାତ୍ରା ଦଳ ଭାବେ ଦୁଇଟି ସୋ’ ଭେଟିଦେବା ପଛରେ ମହାରଥୀ ହିଁ ଥିଲେ ପ୍ରକୃତ ନାୟକ। ଖଣ୍ଡଗିରିରେ ଯାତ୍ରା ପରିବେଷଣ ବେଳେ କେବେକେବେ ନିଜ ଝିଅ ସହ ଯାଇ ଯାତ୍ରା ଉପଭୋଗ କରନ୍ତି ବୋଲି ଦୀର୍ଘ ଦିନ ହେଲା କଳିଙ୍ଗ ଗଣନାଟ୍ୟରେ ଗିଟାର ବାଦକ ଭାବେ କାର୍ଯ୍ୟରତ ଅଜିତ କୁମାର ଆଚାର୍ଯ୍ୟ କହିଛନ୍ତି।

ଅଭିନେତା ବାପି ପଣ୍ଡା କହିଛନ୍ତି, ପ୍ରଦୀପ ସାର୍‌ ରାଜନୀତି କରୁଥିଲେ ବି ଭାରି କଳାପ୍ରେମୀ ବ୍ୟକ୍ତି ଥିଲେ। ହୃଦୟ ଖୋଲି କଳାକାରମାନଙ୍କ ସହ ଆଲୋଚନା କରିବା ସହ ଟିକିନିଖି କଥା ପଚାରି ବୁଝୁଥି‌ଲେ। ଜଣେ ଯାତ୍ରା ମାଲିକ ଭାବେ ତାଙ୍କର ଏହି ନିଆରାପଣ ଆମମାନଙ୍କୁ ପ୍ରେରଣା ଯୋଗାଉଥିଲା‌ ବୋଲି କହିଛନ୍ତି। ପ୍ରଦୀପ ମହାରଥୀଙ୍କ ବିୟୋଗ ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତ୍ୟାରୀ ପଣ୍ଡା, ଜେ.କେ ହୀରାଲାଲ୍‌, ଅଭିନେତ୍ରୀ ରାନୀ ପଣ୍ଡା, ଗୀତିକାର ନିଗମ ମିଶ୍ର ଓ ଅନ୍ୟ କଳାକାରବୃନ୍ଦ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର