ମହାସଦାଶିବ ମୂର୍ତ୍ତି

ସାଧାରଣତଃ ଶିବ ମନ୍ଦିରମାନଙ୍କରେ ଶିବଙ୍କର ଲିଙ୍ଗ ହିଁ ପୂଜିତ ହୋଇଥାଏ। କିନ୍ତୁ ମନ୍ଦିରର ଅଳଂକରଣରେ, ଶିବଙ୍କର ଯେଉଁ ଚଉଷଠିଟି ରୂପ ବିନ୍ୟାସ ରହିଛି, ତାହାର ଚିତ୍ର ଦେଖାଯାଏ। କିନ୍ତୁ କେତେକ ଶୈବପୀଠରେ ଶିବଙ୍କର ମହାସଦାଶିବ ମୂର୍ତ୍ତି, ମୁଖଲିଙ୍ଗ ମୂର୍ତ୍ତି ଏବଂ ଅନ୍ୟାନ୍ୟ ଆସନ ମୂର୍ତ୍ତି, ଯଥା- ଚନ୍ଦ୍ରଶେଖର ମୂର୍ତ୍ତି, ସୁଖାସନ ମୂର୍ତ୍ତି, ସଂହାର ମୂର୍ତ୍ତି ଆଦି ପୂଜିତ ହେବାର ଦେଖାଯାଏ। ସେ ମଧ୍ୟରୁ ମହାସଦାଶିବ ମୂର୍ତ୍ତି ସଂପୂର୍ଣ୍ଣ ଭିନ୍ନ ଓ ଅନନ୍ୟ।

ଶିବ ଶବ୍ଦର ଅର୍ଥ- ଯିଏ ସ୍ଥାନ କି କାଳର ଅଧୀନ ନୁହନ୍ତି; ଯାହାଙ୍କର କୌଣସି ଆକାର ନାହିଁ। ଶୈବସିଦ୍ଧାନ୍ତ ଅନୁସାରେ, ଯେ ସର୍ବଶକ୍ତିମାନ, ସୂକ୍ଷ୍ମ, ଜ୍ୟୋତିର୍ମୟ, ପରଂବ୍ରହ୍ମ; ଯେ ଏକାଧାରରେ ପଞ୍ଚବ୍ରହ୍ମର ପ୍ରଣେତା; ସେ ଏକାଧାରରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ମହେଶ୍ୱର ଓ ସଦାଶିବ। ତେଣୁ ସେ ସୃଷ୍ଟି, ପାଳନ, ଧ୍ୱଂସ, ଅନୁଗ୍ରହ (ଜ୍ଞାନ, ଯୋଗ ଓ ମୁକ୍ତିଦାତା) ଓ ମହାକାଳ, ଏହିପରି ପଞ୍ଚକର୍ମର ଦାତା ହେତୁ ତାଙ୍କର ପଞ୍ଚମୁଖ, ଦଶହାତ, ତିନିଚକ୍ଷୁ ଇତ୍ୟାଦିର ପରିକଳ୍ପନା କରାଯାଇଛି। ପଞ୍ଚକର୍ମର ପ୍ରବର୍ତ୍ତା ହେତୁ ସେ ପଞ୍ଚମୁଖ; ଦଶଦିଗର ରକ୍ଷକ ହେତୁ ସେ ଦଶହାତ; ସୃଷ୍ଟି, ସ୍ଥିତି ଓ ପ୍ରଳୟରେ ନିସ୍ପୃହ ବୋଲି ସେ ତିନି ଯୋଗନେତ୍ର ଇତ୍ୟାଦି ‘କାମିକା ଆଗମ’, ‘ବିଷ୍ଣୁଧର୍ମୋତ୍ତର ପୁରାଣ’ ଆଦିରେ ବର୍ଣ୍ଣିତ।
କିନ୍ତୁ ମହାସଦାଶିବ ମୂର୍ତ୍ତି ଏ ସମସ୍ତଠାରୁ ସଂପୂର୍ଣ୍ଣ ଭିନ୍ନ। ଏହି ମୂର୍ତ୍ତିରେ ରହିଛି ଶିବଙ୍କର ପଚିଶ ମୁଖ, ପଚସ୍ତରୀ ଚକ୍ଷୁ ଏବଂ ପଚାଶ ହାତ। ଏହା ଶିବଙ୍କର ଚଉଷଠି ପ୍ରକାଶିତ ରୂପ ମଧ୍ୟରୁ ଗୋଟିଏ। ଏହା ଭଗବାନ ବିଷ୍ଣୁଙ୍କ ଅବତାର ପରି କୌଣସି ଅବତାର ନୁହେଁ ବରଂ ଏହା ମହାଯୋଗୀ ଶିବଙ୍କର ସାମଗ୍ରିକ ରୂପ। ଏହାର ଆଧାର ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚଭୂତ, ପଞ୍ଚତନ୍ମାତ୍ର, ପଞ୍ଚପ୍ରାଣ ଏବଂ ଏସବୁର ସମାହାରରେ ଥିବା ପଚିଶ ତତ୍ତ୍ୱ। ଏହି ତତ୍ତ୍ୱର ପ୍ରତୀକ ଭାବରେ ଶିବଲିଙ୍ଗ ଉପରେ ରହିଛି କରଣ୍ଡ ମୁକୁଟଶୋଭିତ ପଚିଶିଟି ଶିର; ଯାହାର ନିମ୍ନ ଦେଶରେ ପ୍ରଭାବଳୀ ଭାବରେ ରହିଥାଏ ଦୁଇଟି ପୁଷ୍ପ ହାର। ଏହି ପଚିଶ ମସ୍ତକ ଧାରୀ ଶିବଙ୍କର ତ୍ରୟମ୍ବକ ଆଧାରରେ ରହିଛି ପଚସ୍ତରୀଟି ଚକ୍ଷୁ ଏବଂ ପ୍ରତ୍ୟେକ ଚକ୍ଷୁ ଅର୍ଦ୍ଧନୀଳୋତ୍ପଳ ସଦୃଶ, ଅର୍ଥାତ୍ ଅର୍ଦ୍ଧ ପ୍ରସ୍ଫୁଟିତ ନୀଳକମଳ। ଏହି ମୂର୍ତ୍ତିରେ ପଚାଶଟି ବାହୁ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ। ମହାସଦାଶିବ ସର୍ବଦା ଯୋଗମୁଦ୍ରାରେ ରହିଥିଲେ ମଧ୍ୟ, ପଞ୍ଚଭୂତରେ ନିର୍ମିତ ଶରୀର ଯେଉଁ ଇନ୍ଦ୍ରିୟ ଓ ତନ୍‌ମାତ୍ରା ଦ୍ୱାରା ପୀଡ଼ିତ ହୋଇ ମୁକ୍ତି ପ୍ରାର୍ଥନା କରୁଥାଏ, ତାକୁ ଅଭୟ ଓ ଆଶିଷ ଦେବା ଲାଗି ସର୍ବଦା ପ୍ରସ୍ତୁତ ଥାଆନ୍ତି। ପଶ୍ଚିମ ଓ ଦକ୍ଷିଣ ଭାରତରେ ଏହି ମୂର୍ତ୍ତି ମୁଖ୍ୟ ଶିବ ମନ୍ଦିରଗୁଡ଼ିକରେ ବିଶେଷ ଭାବରେ ପୂଜିତ ହୋଇଥାଏ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର