ଢେଙ୍କାନାଳ: ଢେଙ୍କାନାଳ ସହରର ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗତ ୩ ତାରିଖରୁ ନବରାତ୍ର ପୂଜା ଆରମ୍ଭ ହୋଇ ଷୋଡ଼ଶ ଉପଚାରରେ ମା’ଙ୍କ ଆବାହନ କରାଯାଇଛି। ବିଭିନ୍ନ ଦିନରେ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ମା’ ଦର୍ଶନ ଦେଇଛନ୍ତି। ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍‌ସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ଆଜି ଅଷ୍ଟମୀ‌ରେ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି ମା’। ମନ୍ଦିରରେ ମା’ଙ୍କର ନବରାତ୍ରି ପୂଜା ହେଉଛି। ଏଥିପାଇଁ ପ୍ରତିଦିନ ମା’ଙ୍କର ମହାସ୍ନାନ, ଆଳତି, ବେଶ, ହୋମଯଜ୍ଞ ଆଦି ‌ହେଉଛି। ଅଷ୍ଟମୀ ଉପଲକ୍ଷେ ଆଜି ସକାଳେ ମଙ୍ଗଳ ଆଳତି, ମହାସ୍ନାନ, ଫୁଲହାର, ବସ୍ତ୍ର, ବିଭିନ୍ନ ପ୍ରକାରର ଭୋଗ ସହ ଆଳତି ଲାଗି କରାଯାଇଥିଲା। ମହାଷ୍ଟମୀ ପୂଜା ସହ ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି, ଯଜ୍ଞ ଅନୁଷ୍ଠିତ ହୋଇଛି। ମା’ଙ୍କଠାରେ ବିଭିନ୍ନ ପ୍ରକାରର ଭୋଗ, ଫଳ, ପିଠା, ଖିରି, ମିଠା ଲାଗି କରାଯାଇଥିଲା।

Advertisment

ଦେଉଳସାହି ଜୁବୁଲି ଟାଉନ୍‌ସ୍ଥିତ ମା’ କନକଦୁର୍ଗାଙ୍କ ମନ୍ଦିରରେ ଆଜି ମା’ଙ୍କର ଦୁର୍ଗାଦେବୀ ବେଶ କରାଯାଇଥିଲା। ପୀଠରେ ନବଦିନାତ୍ମକ ପୂଜା ଚାଲିଥିବାରୁ ବିଭିନ୍ନ ଦିନରେ ବିଭିନ୍ନ ‌ବେଶରେ ମା’ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ପୀଠରେ ଅଧିବାସ ପୂଜା, ମଣ୍ଡଳ ପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଷୋଡ଼ଶ ଉପଚାର ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି, ସନ୍ଧ୍ୟାରେ ଆଳତି, ପଣା ଓ ରାତିରେ ବଡ଼ସିଂହାର ଭୋଗ ଲାଗି ହୋଇଥିଲା। ବାଜିଚୌକସ୍ଥିତ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଆଜି ମହାଷ୍ଟମୀ ଉପଲକ୍ଷେ ମା’ ମହିଷାମର୍ଦ୍ଦିନୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଗତକାଲି ମା’ଙ୍କର କଳସ ଅଧିବାସ ପୂଜା ଓ ସପ୍ତମୀ ପୂଜା ହୋଇଥିଲା। ସକାଳୁ ସୂର୍ଯ୍ୟପୂଜା, ଗୋ-ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି, ମଧ୍ୟାହ୍ନ ସମୟରେ ମା’ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ସହିତ ମହିଷାମର୍ଦ୍ଦିନୀ ବେଶ କରାଯାଇଥିଲା। ପଣା ଓ ବିଭିନ୍ନ ପ୍ରକାରର ଫଳ ଭୋଗ ଲାଗି କରାଯାଇଥିଲା। କର୍ତ୍ତା ଉପେନ୍ଦ୍ର ମୋହନ ତ୍ରିପାଠୀ, ସନ୍ଧ୍ୟାରାଣୀ ପଣ୍ଡାଙ୍କ ଉପସ୍ଥିତିରେ ସନ୍ତୋଷ କୁମାର ଦେବତା ଯଜ୍ଞପୂଜା ସଂଚାଳନ କରିଥିବାବେଳେ ସଭାପତି ସଂଗ୍ରାମ କିଶୋର ପାଣି, ସମ୍ପାଦକ ଅଭୟ ସିଂ, ପୂଜକ ରାମଚନ୍ଦ୍ର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ମହାଦେବ ଦେହୁରୀ, ବିକାଶ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ। ଆଜି ମା’ଙ୍କର ମହାଷ୍ଟମୀ ପୂଜା ସହିତ ପୂର୍ଣ୍ଣ‌‌ାହୁତି ହୋଇଥିଲା।  

କୈବଲ୍ୟ ବଜାରସ୍ଥିତ ମା’ ବନଦୁର୍ଗା ପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗତକାଲି କଳସଯାତ୍ରା ସହ ମା’ଙ୍କ କଳସ ଅଧିବାସ ପୂଜା ଓ ସପ୍ତମୀ ପୂଜା ହୋଇଥିଲା। ସକାଳୁ ସୂର୍ଯ୍ୟପୂଜା, ଗୋ-ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି, ମଙ୍ଗଳ ଆଳତି, ନୂତନ ବସ୍ତ୍ର, ଫୁଲହାର, ପଣା ଓ ବିଭିନ୍ନ ପ୍ରକାରର ଫଳ ଭୋଗ ଲାଗି କରାଯାଇଥିଲା। ଆସନ୍ତାକାଲି ମା’ଙ୍କର ନବମୀ ପୂଜା ଅନୁଷ୍ଠିତ ହେବ। ସେହିପରି ବାଜିଚୌକସ୍ଥିତ ମା’ ବାଟମଙ୍ଗଳାଙ୍କ ମନ୍ଦିରରେ ଚଳିତବର୍ଷ ପ୍ରଥମକରି ନବରାତ୍ର ପୂଜା ଅନୁଷ୍ଠିତ ହେଉଛି। ଅଷ୍ଟମୀରେ ଆଜି ମା’ଙ୍କର ମହାଗୌରୀ ବେଶ କରାଯାଇଥିଲା। ପ୍ରତିଦିନ ସୂର୍ଯ୍ୟପୂଜା, ଗୋପୂଜା, ସପ୍ତଚଣ୍ଡୀ ପାଠ, ଷୋଡ଼ଶ ଉପଚାର ପୂଜା ହୋଇଥିଲା। ଆସନ୍ତା ୧୨ ତାରିଖରେ ପୂର୍ଣ୍ଣାହୁତି ହେବ। ପୂଜକ ବିଷ୍ଣୁଚରଣ ଆଚାର୍ଯ୍ୟ, କର୍ତ୍ତା ମେଘନାଦ ସାହୁ, ଭାସ୍କର ଚନ୍ଦ୍ର ସାହୁ, ସଂଗ୍ରାମ ସିଂ, ଜିତେନ୍ଦ୍ର କୁମାର ବେହେରା, ଶ୍ରୀକାନ୍ତ ରଣା, ସତ୍ୟଜିତ ରାଉତ ଓ କମିଟି ସଦସ୍ୟଙ୍କ ଉପସ୍ଥିତିରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି। ଏଥିସହିତ ମା’ ସୁନ୍ଦରସୁଣୀ, ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠ ସମେତ ଅନ୍ୟାନ୍ୟ ଦେବୀ ମନ୍ଦିରରେ ମା’ଙ୍କର ଅଷ୍ଟମୀ ପୂଜ‌ା ରୀତିନୀତି ଅନୁସାରେ ସଂପନ୍ନ ହୋଇଛି।