ପ୍ରକାଶ ପାଇଲା ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ଥିବା ପୁସ୍ତକ, ଗାନ୍ଧୀ ଜୀବନ-ମରଣ ଭିତରେ ଲଢ଼େଇ କରୁଥିଲେ

ନୂଆଦିଲ୍ଲୀ: ଜାତୀର ପିତା ମହାତ୍ମା ଗାନ୍ଧୀ ବ୍ୟାୟାମକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ସମସ୍ତେ ଜାଣନ୍ତି। ଏପରିକି ଏକ ପୁସ୍ତକରେ ମହାତ୍ମା ଗାନ୍ଧୀ କହିଥିବାର ଦେଖିବାକୁ ମିଳେ ଯେ ବ୍ୟାୟାମ ଶରୀର ଓ ମସ୍ତିଷ୍କ ପାଇଁ ଏପରି ଦରକାର ଯେପରି ଖାଦ୍ୟ। ପୁସ୍ତକଟି ହେଉଛି ‘ଗାନ୍ଧୀ ଆଣ୍ଡ୍‌ ହେଲ୍‌ଥ@୧୫୦’। ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ଏହାକୁ ପ୍ରକାଶ କରିଛି।

ଉକ୍ତ ପୁସ୍ତକରୁ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଆହୁରି ଗୁଡ଼ାଏ କଥା ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଖୁବ୍‌ ଖରାପ ଥିଲା। ଏପରିକି ତାଙ୍କର କେଉଁ ସମୟରେ ଜୀବନ ଯିବ ତାହାର କୌଣସି ନିର୍ଦ୍ଦିଷ୍ଟତା ନଥିଲା।

ସେ ତାଙ୍କ ଜୀବନକାଳ ଭିତରେ ଅନେକ ରୋଗରେ ପଡ଼ିଛନ୍ତି। କୋଷ୍ଠକାଠିନ୍ୟ, ମେଲେରିଆ, ରକ୍ତଚାପ ଆଦି ରୋଗରେ ପଡ଼ି ଗାନ୍ଧୀ ଖୁବ୍‌ ଦୁର୍ବଳ ହୋଇ ପଡ଼ିଥିଲେ।

ଗାନ୍ଧୀ ୧୯୨୫, ୧୯୩୬ ଏବଂ ୧୯୪୪ରେ ତିନି ଥର ମେଲେରିଆରେ ଆକ୍ରାନ୍ତ ହୋଇଥିଲେ। ଗାନ୍ଧୀ ତାଙ୍କ ସ୍ୱାସ୍ଥାବସ୍ଥା ଆୟତ୍ତରେ ରଖିବା ପାଇଁ ଲଣ୍ଡନରେ ଥିବା ବେଳେ ଦୈନିକ ୩୦ରୁ ୪୦ କିଲୋମିଟର ରାସ୍ତା ପାଦରେ ଚାଲୁଥିଲେ।

୭୦ ବର୍ଷ ବୟସ ବେଳକୁ ଗାନ୍ଧୀଙ୍କ ଓଜନ ୪୬.୭ କିଲୋ ଥିଲା। ବୟସ ତୁଳନାରେ ତାଙ୍କ ଓଜନ କମ ଅଛି ବୋଲି ଡାକ୍ତର ସେ ସମୟରେ କହିଥିଲେ।

୧୯୨୪-୪୭ ମସିହା ଭିତରେ ଗାନ୍ଧୀ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ୧୯୩୭ ମସିହା ମହିସାରେ ଗାନ୍ଧୀଙ୍କ ରକ୍ତଚାପ ୧୯୪/୧୩୦ ଥିବା ବେଳେ ୧୯୪୦ ମସିହାରେ ୨୨୦/୧୧୦ ଥିଲା। ୧୯୩୯ ମସିହାରେ ତଶଙ୍କ ଇସିଜି ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗାନ୍ଧୀଙ୍କର ହୃଦ୍‌ରୋଗ ମଧ୍ୟ ଥିଲା।

ସମ୍ବନ୍ଧିତ ଖବର