ସ୍ମାର୍ତ୍ତଦର୍ଶନ ଓ ପୂଜାପଦ୍ଧତି ଅନୁସାରେ, ଯେକୌଣସି ପୂଜା ଅନୁଷ୍ଠାନର ପ୍ରାରମ୍ଭରେ ପ୍ରଥମେ “ଗଣେ ନାରାୟଣେ ଅମ୍ବିକେ ଭାସ୍କରେ ଶିବେ” ଭାବରେ ପଞ୍ଚଦେବତା- ଗଣେଶ, ନାରାୟଣ, ଶିବ, ଅମ୍ବିକା ଓ ଭାସ୍କରଙ୍କୁ ଆବାହନ କରାଯାଇଥାଏ। କିନ୍ତୁ ଏହି ପଞ୍ଚଦେବତାଙ୍କର ନିବାସ ସ୍ଥାନ ସ୍ୱତନ୍ତ୍ର। ନାରାୟଣ ଅଧିବାସ କରନ୍ତି ଜଳରେ, ଗିରିଜା, ଗଣେଶ ଓ ଶଙ୍କରଙ୍କର ଅଧିଷ୍ଠାନ ଭୂଧର ଶିଖରରେ ଏବଂ ସୂର୍ଯ୍ୟ ଆକାଶମଣ୍ଡଳରେ ପରିବ୍ୟାପ୍ତ। ସମଗ୍ର ପୃଥିବୀରେ ଏମାନଙ୍କର ଚଳାଚଳ। ଏମାନେ ପ୍ରତ୍ୟେକେ ସ୍ୱତନ୍ତ୍ର ମନ୍ଦିରର ସ୍ୱତନ୍ତ୍ର ବେଦିକା ଉପରେ ଅଧିଷ୍ଠିତ ହୋଇ ପୂଜିତ ହୋଇଥାଆନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଓଡ଼ିଶାର ଷୋଳନମ୍ବର ଜାତୀୟ ରାଜପଥର ଚଣ୍ଡୀଖୋଲ ଠାରୁ ମାତ୍ର ଅଳ୍ପ ଦୂରରେ, ପ୍ରାୟ ତିନି କିଲୋମିଟର ଧରି ପ୍ରଲମ୍ବିତ ବରୁଣେଇ ପର୍ବତ (ଯାହାକୁ ସାରଳା ଦାସ ବାରୁଣାବନ୍ତ ବୋଲି ଉଲ୍ଲେଖ କରିଛନ୍ତି)ରେ ପ୍ରତିଷ୍ଠିତ ମହାବିନାୟକ ମନ୍ଦିରର ଗର୍ଭଗୃହରେ ଏକ ପଦ୍ମପୀଠ ଉପରେ ଏହି ପଞ୍ଚଦେବତା ଏକତ୍ର ପୂଜିତ ହୁଅନ୍ତି। ଏହି ମନ୍ଦିର କେବେ ଓ କିପରି, କାହାଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ତାହାର ନିର୍ଦ୍ଦିଷ୍ଟ ପ୍ରମାଣ ନ ମିଳିଲେ ମଧ୍ୟ, ଏହା ଦର୍ପଣୀର ରାଜପରିବାର ଦ୍ୱାରା ପୂଜିତ ବୋଲି ଜଣାଯାଏ। ଏହି ପର୍ବତର ପାଦଦେଶରେ ରହିଛି ଚଣ୍ଡୀଙ୍କ ମନ୍ଦିର ଏବଂ ମଧ୍ୟଦେଶରେ ମହାବିନାୟକ (ଶିବ) ଓ ବିନାୟକ ଗଣେଶଙ୍କର ସୁଦୃଶ୍ୟ ମନ୍ଦିର।

Advertisment

ଏହି ମନ୍ଦିରକୁ ନେଇ ଅନେକ ପ୍ରାଚୀନ କାହାଣୀ ଶୁଣିବାକୁ ମିଳେ। ‘ସାରଳା ମହାଭାରତ’ର ବର୍ଣ୍ଣନା ଅନୁଯାୟୀ, ଏଠାରେ କୁନ୍ତୀ ଓ ଗାନ୍ଧାରୀ ଉଭୟ ଆସି ବିରଜେଶ୍ୱରଙ୍କୁ ପୂଜନ କରୁଥିଲେ। (ମହାଦେବଙ୍କ ନିକଟରେ ବୈତରଣୀ ତଟରେ ବିରଜା ଥିବାରୁ ବିନାୟକର ଶିବଙ୍କୁ ବିରଜେଶ୍ୱର କୁହାଯାଇଛି।) କିନ୍ତୁ ପ୍ରଥମେ ପୂଜା ସାରିଦେଉଥିବାରୁ ଗାନ୍ଧାରୀ କୁନ୍ତୀଙ୍କ ସହିତ କଳହ କଲେ। ଏହା ଦେଖି ସ୍ୱୟଂ ଶିବ ସର୍ତ୍ତ ରଖିଲେ, କାଲି ପ୍ରଭାତରେ ଯିଏ ପ୍ରଥମେ ସହସ୍ର ଚମ୍ପାରେ ମୋର ଲିଙ୍ଗ ପୂଜା କରିବ ସେ ହିଁ ପ୍ରଥମ ପୂଜାର ଅଧିକାର ପାଇବ। ଏଥିରେ କୁନ୍ତୀ ଦୁଃଖିତା ଏବଂ ଗାନ୍ଧାରୀ ଆନନ୍ଦିତା ହେଲେ। କିନ୍ତୁ ପରଦିନ, କୁନ୍ତୀଙ୍କ ପାଇଁ, ଇନ୍ଦ୍ରଙ୍କ ଆଦେଶରେ କୁବେର ଶତ ସହସ୍ର ସ୍ୱର୍ଣ୍ଣଚମ୍ପାରେ ମନ୍ଦିର ପୂର୍ଣ୍ଣ କରିଦେଲେ। ଦୁଃଖିନୀ କୁନ୍ତୀ ଆନନ୍ଦରେ ଶିବ ପୂଜା କଲେ। ମତ୍ତଗର୍ବିଣୀ ଗାନ୍ଧାରୀ ଏହା ଦେଖି ଲଜ୍ଜିତା ହେଲେ।

କୁହାଯାଏ, ଏହି ଯେଉଁ ଚାରିମୂର୍ତ୍ତି ଓ ଏକ ନାରୀ ମୂର୍ତ୍ତି, ଏମାନେ ଚାରି ପାଣ୍ଡବ ଓ ମାତା କୁନ୍ତୀ। ଏମାନେ ବାରୁଣାବନ୍ତର ରାଜା ଥିଲେ ଏବଂ ସହଦେବ ଯେହେତୁ ଯୁଧିଷ୍ଠିରଙ୍କର ମନ୍ତ୍ରୀ ଥିଲେ ତେଣୁ ସେ ଛତିଆରେ ରହୁଥିଲେ। କାରଣ ଦର୍ପଣୀଗଡ଼ର ରାଜା ମହାବିନାୟକ ପର୍ବତର ନିମ୍ନରେ ରହୁଥିଲେ ଏବଂ ତାଙ୍କ ମନ୍ତ୍ରୀଙ୍କ ନିବାସ ଥିଲା ଛତିଆ।

ପୁରାଣ ଓ ଇତିହାସର ସୁନ୍ଦର ସମନ୍ୱୟ ମହାବିନାୟକ ପର୍ବତ। ଏହାର ସ୍ୱଚ୍ଛ ଝରଣା ଜଳ ଅତ୍ୟନ୍ତ ନିର୍ମଳ। ଜାଗର ମହାବିନାୟକଙ୍କର ସବୁଠାରୁ ବଡ଼ପର୍ବ। ଏଠାରେ ଯେଉଁ ନୈବେଦ୍ୟ ବଢ଼ାଯାଏ ତାହା ତିନି ଥାଳିରେ ବିଭକ୍ତ। ଗଣେଶ ଓ ସୂର୍ଯ୍ୟଙ୍କର ଗୋଟିଏ, ଶିବ ଓ ବିଷ୍ଣୁଙ୍କର ଗୋଟିଏ ଏବଂ ଦୁର୍ଗାଙ୍କର ଗୋଟିଏ- ଏହିପରି ତିନିଟି ଥାଳି ନୈବେଦ୍ୟ ବଢ଼ାଯାଇଥାଏ।
-ଡକ୍ଟର ତୁଳସୀ ଓଝା