ଭାରତୀୟ ପୁରାଣମାନଙ୍କର ବର୍ଣ୍ଣନା ଅନୁସାରେ, ଭାରତରେ ସାତଟି କୁଳପର୍ବତ ରହିଛି। ସେମାନଙ୍କ ସହିତ ବହୁ ପୌରାଣିକ ତଥ୍ୟ ବିଜଡ଼ିତ। ଏହି ସାତ କୁଳପର୍ବତ ମଧ୍ୟରେ ମହେନ୍ଦ୍ରପର୍ବତ ବିଶେଷ ମର୍ଯ୍ୟାଦାର ଅଧିକାରୀ। ଏହି ପର୍ବତ ପୂର୍ବଘାଟ ପର୍ବତମାଳାର ଏକ ଅଂଶବିଶେଷ। ଗର୍ବର କଥା ହେଉଛି ଏହା ଓଡ଼ିଶାର ଗଜପତି ଜିଲାରେ ଅବସ୍ଥିତ। ‘ରାମାୟଣ’ ଓ ‘ମହାଭାରତ’ରେ ଏହାର ବର୍ଣ୍ଣନା ରହିଛି। ଏହି ପର୍ବତର ମହତ୍ତ୍ୱ ଏହି, ଯେ ବିଷ୍ଣୁଙ୍କର ଷଷ୍ଠ ଅବତାର ଚିରଂଜୀବୀ ପର୍ଶୁରାମଙ୍କର ଏହା ନିତ୍ୟ ତପସ୍ୟା କ୍ଷେତ୍ର। ପର୍ଶୁରାମ ଶ୍ରୀବିଷ୍ଣୁଙ୍କର ଏକମାତ୍ର ଅବତାର- ଯେ ଚାରି ଯୁଗରେ ବିଦ୍ୟମାନ ଏବଂ ରାମ ଓ କୃଷ୍ଣ ଉଭୟଙ୍କ ସହିତ ସେ ପୃଥିବୀରେ ବିଚରଣ କରିଛନ୍ତି। କଳ୍କୀ ଅବତାରରେ ମଧ୍ୟ ସେ ପ୍ରକଟ ହେବେ ବୋଲି କୁହାଯାଏ।
ହୈହୟ ସହସ୍ରାର୍ଜୁନଙ୍କୁ କ୍ରୋଧିତ ହୋଇ ବଧ କରିଥିବା ହେତୁ ପିତାଙ୍କ ନିର୍ଦ୍ଦେଶରେ ବିଭିନ୍ନ ତୀର୍ଥ ଭ୍ରମଣ କରି ପରିଶେଷରେ ମହେନ୍ଦ୍ର ପର୍ବତ ଆସି ସେଠାରେ ପର୍ଶୁରାମ ବାରବର୍ଷ ତପସ୍ୟା କରିଥିଲେ। କିନ୍ତୁ ଆଶ୍ରମ ପ୍ରତ୍ୟାବର୍ତ୍ତନ କରି ପିତା ଜମଦଗ୍ନିଙ୍କୁ ହୈହୟବଂଶୀୟ କ୍ଷତ୍ରୀୟମାନଙ୍କ ଦ୍ୱାରା ମୃତାହତ ହେବାର ଦେଖି, ସେ ପୁନର୍ବାର ପରଶୁ ଧାରଣ କରି ଏକୋଇଶବାର ସମଗ୍ର ଭାରତକୁ ନିକ୍ଷତ୍ରିୟ କରିଥିଲେ। ଏହାପରେ ସେ ଶାନ୍ତ ଚିତ୍ତରେ ଯାଇ ମହେନ୍ଦ୍ର ପର୍ବତରେ ନିବାସ କଲେ। ‘ମହାଭାରତ’ର ବର୍ଣ୍ଣନା ଅନୁସାରେ- ପର୍ଶୁରାମ କୁରୁଶ୍ରେଷ୍ଠ ଭୀଷ୍ମ, ଗୁରୁ ଦ୍ରୋଣ ଓ କର୍ଣ୍ଣଙ୍କର ଶସ୍ତ୍ରଗୁରୁ ଥିଲେ। କିନ୍ତୁ ସର୍ବଦା ସେ ମହେନ୍ଦ୍ର ଗିରିରେ ହିଁ ବାସ କରୁଥିଲେ। ଏହାର ସ୍ମାରକୀ ଭାବରେ ମହେନ୍ଦ୍ରଗିରିର ଶିଖର ଦେଶରେ ରାମତୀର୍ଥ ସରୋବର ରହିଛି। ବନବାସ କାଳରେ ପାଣ୍ଡବମାନେ ଏହି ପର୍ବତକୁ ଆସି ଶିବ ଆରାଧନା କରିଥିଲେ। ଏହି ପର୍ବତରେ ପ୍ରାୟ ଦୁଇଶହ ଗୁମ୍ଫା ରହିଛି। ଏହାକୁ ଅର୍ଜୁନ ଗୁମ୍ଫା କୁହାଯାଏ। କୁନ୍ତୀଙ୍କ ସହିତ ପାଣ୍ଡବ ପାଞ୍ଚ ଭାଇଙ୍କ ନାମରେ ଏଠାରେ ଛଅଟି ମନ୍ଦିର ଅଛି।
ରକ୍ତଚନ୍ଦନ ଓ ଔଷଧୀୟ ବୃକ୍ଷଲତା ନିମିତ୍ତ ମହେନ୍ଦ୍ରଗିରି ପ୍ରସିଦ୍ଧ। ମହେନ୍ଦ୍ରଗିରିର ପାଦଦେଶରେ ଗୋକର୍ଣ୍ଣେଶ୍ୱର ମନ୍ଦିର ରହିଛି। ଶିବରାତ୍ରିରେ ଏଠାରେ ବିରାଟ ମେଳା ହୁଏ। ମହେନ୍ଦ୍ରଗିରିର ଶାନ୍ତ ସ୍ନିଗ୍ଧ ପରିବେଶରେ ଆକୃଷ୍ଟ ହୋଇ, ଆଜି ମଧ୍ୟ ଏହି ପର୍ବତରେ ସିଦ୍ଧ, ସାଧକ, ଗନ୍ଧର୍ବ, ଚାରଣ ଆଦି ନିବାସ କରି ମଧୁର ସ୍ୱରରେ ଭଗବାନ ପର୍ଶୁରାମଙ୍କର ଚରିତ ଗାନ କରିଥାନ୍ତି ବୋଲି ବିଶ୍ୱାସ ଅଛି। କଥିତ ଅଛି, ସ୍ଥିରଚିତ୍ତରେ ଅର୍ଜୁନ ଗୁମ୍ଫାରେ କାନ ପାତିଲେ ମଧୁର ସ୍ୱରର ଗୁଂଜନ ଶୁଣଯାଏ। ଏଠାରେ ହନୁମାନ କୁଣ୍ଡ ନାମରେ ଏକ କୁଣ୍ଡ ରହିଛି। ଏହା ହନୁମାନଙ୍କର ପ୍ରିୟ ସ୍ଥାନ ବୋଲି କୁହାଯାଏ।
-ଡକ୍ଟର ତୁଳସୀ ଓଝା