ରାଉରକେଲା(ରୀନା ରାମ ଭୂୟାଁ): ଜୀବନରେ ଅନେକ ଝଡ଼ଝଞ୍ଜା ଆସିଥାଏ। ଏଭଳି ପରିସ୍ଥିତିରେ କିଏ ହାର ମାନି ଯାଇଥାଏ ତ ଆଉ କିଏ ଧୈର୍ଯ୍ୟର ସହ ସମସ୍ତ ଦୁଃଖକଷ୍ଟକୁ ସହି ଆଗକୁ ମାଡ଼ି ଚାଲି ଯାଇଥାଆନ୍ତି। କିନ୍ତୁ କାହା ଉପରେ ବୋଝ ହୋଇ ରହି ନଥାଆନ୍ତି।
ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମହି ସାହୁ। ବୟସ ପାଖାପାଖି ୭୪ବର୍ଷ ହେବ। ଯେଉଁମାନେ ଜୀବନରେ ହାର ମାନି ଯାଇଛନ୍ତି ଏହି ବୃଦ୍ଧଙ୍କ ଧୈର୍ଯ୍ୟ ଓ ସାହସ ନିଶ୍ଚିତ ଭାବେ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ।
ମହି ସାହୁ ରାଉରକେଲାର ନୂଆଗାଁ ବ୍ଲକ ଖୁଟଗାଁରେ ପରିବାର ସହିତ ବସବାସ କରନ୍ତି। ଯାହାକି ରାଉରକେଲା ସହରରୁ ୧୫/୧୬କିମି ଦୂରରେ ଅବସ୍ଥିତ। ମହି ସାହୁଙ୍କ ଜୀବନ ଖୁବ ସଂଘର୍ଷଭରା। ବାପା ଓ ମା’ଙ୍କର ଏକ ମାତ୍ର ପୁଅ ଥିବା ମହି ସାହୁ ପିଲାଟି ଦିନରୁ ଦୃଷ୍ଟିଶକ୍ତି ହରାଇ ଦେଇଥିଲେ। ଅର୍ଥ ଅଭାବ ହେତୁ ଚିକିତ୍ସା ବି କରାଇ ପାରିଲେ ନାହିଁ କି ପାଠ ବି ପଢ଼ିଲେ ନାହିଁ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି। ୯/୧୦ବର୍ଷ ବୟସରୁ ସେ ନିଜଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରିଥିଲେ।
ମହି ସାହୁଙ୍କ କହିବାନୁସାରେ, ‘ମୁଁ ବାପା ଓ ମା’ଙ୍କ ଏକମାତ୍ର ପୁଅ ଥିଲି। ବାପା ଓ ମା’ଙ୍କ ଛଡ଼ା ମୋ ପରିବାରରେ ଆଉ କେହି ନଥିଲେ। ପିଲାଟି ଦିନରୁ ଆଖିକୁ ଠିକ ଭାବେ ଦିଶୁ ନଥିବାରୁ ମୁଁ ପାଠ ବି ପଢ଼ି ପାରିଲି ନାହିଁ। ମୋତେ ୯/୧୦ବର୍ଷ ହେବା ପରେ ମୁଁ ବାପାଙ୍କ ସହିତ ବିଲବାଡ଼ିରେ କାମ କରିଲି। ଧୀରେଧୀରେ ବିଲରୁ ଯାହା ପରିବା ଚାଷ ହେଉଥିଲା ତାହାକୁ ବିକିବା ଆରମ୍ଭ କରିଲି।
ବହୁତ କଷ୍ଟରେ ଏକ ସାଇକେଲ କିଣି ପାଖଆଖ ଗାଁରେ ବୁଲିବୁଲି ପରିବା ବିକ୍ରି କରିଲି। ଆଖିକୁ ଠିକ ଭାବେ ଦେଖାଯାଉ ନଥିବାରୁ ଅନେକ ସମୟରେ ଅସୁବିଧାରେ ସମ୍ମୁଖୀନ ବି ହୋଇଛି। ତଥାପି ହାର ମାନି ନଥିଲି। ମନକୁ ଦମ୍ଭ କରି ମୁଁ ମୋ କର୍ମରେ ଆଗେଇ ଚାଲିଲି। ଗତ ୬୦ବର୍ଷ ହେବ ମୁଁ ଏପରି ଭାବେ ପରିବାର ବିକ୍ରି କରି ମୋର ପରିବାର ପୋଷି ଆସୁଛି। ହାତଗୋଡ଼ ଚାଲୁଥିବା ଯାଏଁ ମୁଁ ଏହାକୁ ଜାରି ରଖିବି।
ସକାଳ ୫ଟାରୁ ଚାଷ ଜମିରୁ ଯାହାବି ପରିବା ଆସିଥାଏ(ଶାଗ, କଖାରୁ, ଅମୃତଭଣ୍ଡା, ବାଇଗଣ, ଲଙ୍କା, ଲେମ୍ବୁ, ବିଲାତିବାଇଗଣ ଇତ୍ୟାଦି ସହିତ ଋତୁ ଅନୁଯାୟୀ ଆସୁଥିବା ପରିବା) ତାହାକୁ ସାଇକେଲରେ ଲଦି ମୁଁ ଖରା, ବର୍ଷା ଓ ଶୀତକୁ ଖାତିର ନକରି କରି ମୋ କର୍ମକୁ ବାହାରି ଯାଇଥାଏ। ମୋର ଏ ଅବସ୍ଥା ଦେଖି ଅନେକ ଗ୍ରାହକ ପରିବାର କିଣିବା ସହିତ ପ୍ରତିଦିନ କିଛି ଖାଇବାକୁ ଦେଇଥାଆନ୍ତି। ଉକ୍ତ ଖାଦ୍ୟକୁ ଖାଇ ମୁଁ ପରିବାର ବିକ୍ରି କରି ଅପରାହ୍ନରେ ଘରକୁ ଫେରି ଯାଇଥାଏ।’
ପ୍ରତିଦିନ ବୃଦ୍ଧଙ୍କ ଠାରୁ ପରିବା କିଣୁଥିବା ଗ୍ରାହକମାନେ ନିଜନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମେ ଏ ବୃଦ୍ଧଙ୍କ ମନବଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥାଏ। ଖରା, ବର୍ଷା ଓ ଶୀତରେ ଆମେ ବାହାରକୁ ବାହାରି ପାରୁ ନଥିବା ବେଳେ ମହି ସାହୁ ଧଳା ଧୋତି ଓ ସାର୍ଟ ଖଣ୍ଡେ ପିନ୍ଧି ଆଖିକୁ ସ୍ପଷ୍ଟ ଭାବେ ଦେଖା ଯାଉ ନଥିବା ବେଳେ ଭଙ୍ଗା ସାଇକେଲ ଧରି ଦୀର୍ଘ ୧୬/୧୭କିମି ପଥ ଅତିକ୍ରମ କରି ପରିବା ବିକ୍ରି କରିବା ପାଇଁ ଲୋକଙ୍କ ଦ୍ବାର ନିକଟରେ ଆସି ପହଞ୍ଚି ଯାଇଥାଆନ୍ତି। ଧନ୍ୟ ତାଙ୍କ ସାହସ... ଧନ୍ୟ ତାଙ୍କ ଧୌର୍ଯ୍ୟ। ଭଗବାନ ମାହି ସାହୁଙ୍କୁ ସାହା ହୋଇଥାଆନ୍ତୁ।’