ମୁସଲମାନଶୂନ୍ୟ ଗାଁରେ ମହରମ୍‌ ପର୍ବ

ବହୁବିଧ ଧାର୍ମିକ ସଂହତିରେ ଭରା ଭାରତୀୟ ସଂସ୍କୃତି ଯୁଗେ ଯୁଗେ ଅନନ୍ୟ ଭ୍ରାତୃଭାବର ନିଦର୍ଶନ ହୋଇ ରହି ଆସିଛି। କେଉଁଠି ମୁସଲମାନମାନେ ଦଶହରା ଓ ଗଣେଶ ପୂଜା ପରି ହିନ୍ଦୁ ପର୍ବପର୍ବାଣୀରେ ସାମିଲ ହେଉଛନ୍ତି ତ କେଉଁଠି ହିନ୍ଦୁମାନେ ଇଫ୍‌ତାର ପାର୍ଟି ମନାଇବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ କର୍ଣ୍ଣାଟକର ଏକ ଗାଁରେ ଆଦୌ କୌଣସି ମୁସଲମାନ ବସବାସ କରୁନଥିବା ବେଳେ ସେଠାରେ ହିନ୍ଦୁମାନେ ମହରମ୍‌ ପର୍ବକୁ ଅତି ଜାକଜମକରେ ପାଳନ କରିଆସୁଛନ୍ତି। ବେଲାଗାବି ଜିଲ୍ଲା ଅନ୍ତର୍ଗତ ସୌଦତ୍ତି ତାଲୁକର ହିରେବିଦାନୌର ଗାଁର ହିନ୍ଦୁମାନେ ମହରମ୍‌ ପର୍ବକୁ ଦୀର୍ଘ ପାଞ୍ଚ ଦିନ ଧରି ମହା ସମାରୋହରେ ମହୋତ୍ସବ ଭାବେ ପାଳନ କରିବା ସମଗ୍ର ଦେଶ ପାଇଁ ଉଦାହରଣ ହୋଇ ରହିଛି।

ଏହି ଗାଁରେ ବସବାସ କରୁଥିବା ୩ ହଜାର ହିନ୍ଦୁଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବାଲ୍ମୀକି ଓ କୁରୁବା ସମ୍ପ୍ରଦାୟର। ତେବେ ବହୁ ବର୍ଷ ତଳେ ସେଠାରେ ଦୁଇ ମୁସଲମାନ ଭାଇ ଫକୀରେଶ୍ବର ସ୍ବାମୀ ନାମରେ ଏକ ମସ୍‌ଜିଦ ନିର୍ମାଣ କରିଥିଲେ। ତେବେ ସେଠାରେ ଜଣେ ହିନ୍ଦୁ ପୂଜାରୀ ହିଁ ହିନ୍ଦୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଆସୁଛନ୍ତି। ଗ୍ରାମବାସୀ ମଧ୍ୟ ଉକ୍ତ ମସଜିଦ୍‌କୁ ଯାଇ ନିଜର ମାନସିକ କାମନା କରନ୍ତି। ମହରମ୍‌ ବେଳେ ପାଖ ଗାଁରୁ ଜଣେ ମୌଲବୀ ଆସି ମସଜିଦ୍‌ ଭିତରେ ସପ୍ତାହକ ପାଇଁ ରହିବା ସହ ମୁସଲମାନ ରୀତିରେ ପୂଜାପାଠ କରିଥାନ୍ତି। ସେହି ସମୟ ତକ ଏହି ହିନ୍ଦୁ ଗାଁର ଲୋକେ ମହରମ୍‌କୁ ମଧ୍ୟ ସେମାନଙ୍କର ଅନ୍ୟ ପର୍ବ ଭଳି ଏକ ବାର୍ଷିକ ଉତ୍ସବ ମଣି ଆନନ୍ଦ ଉଲ୍ଲାସର ସହ ପାଳନ କରିଥା’ନ୍ତି। ଏପରିକି ସେମାନେ କଷ୍ଟସାଧ୍ୟ ତାଜିଆ ଶୋଭାଯାତ୍ରା ମଧ୍ୟ କରିଥା’ନ୍ତି। ଦୀର୍ଘ ଶହେ ବର୍ଷରୁ ଅଧିକ କାଳ ଧରି ଏପରି ପ୍ରଥା ଚଳି ଆସୁଛି।

ସମ୍ବନ୍ଧିତ ଖବର