‘ମାଜଣା ଜାଗା’ ଶ୍ରୀକ୍ଷେତ୍ର ପୁରୀର ଏପରି ଜାଗା, ଯାହାର ରହିଛି ଅନେକ ଇତିହାସ। ସେ ଇତିହାସ ସହିତ ଶ୍ରୀଜଗନ୍ନାଥ ଓ ତାଙ୍କ ରଥଯାତ୍ରାର ଇତିହାସ ଜଡ଼ିତ। କିନ୍ତୁ ଶ୍ରୀଜଗନ୍ନାଥଙ୍କ ରଥର ପଥ ବଡ଼ଦାଣ୍ଡର କାୟା ପରିବର୍ତ୍ତନ ସହିତ, ସେ ଇତିହାସ କ୍ରମେ ଯେମିତି ବିସ୍ମୃତି ଗର୍ଭରେ ହଜିଯାଇଛି।

Advertisment

‘ମାଜଣା’ର ଅର୍ଥ ଦେବୀ ଓ ଦେବତାଙ୍କର ସ୍ନାନାଦି ନୀତି। ଏହାର ସଂସ୍କୃତ ଶବ୍ଦ ‘ମାର୍ଜନା’। ସେଇଥିରୁ ଆସିଛି ‘ମାଜିବା’ ବା ଘଷି ପରିଷ୍କାର କରାଇବାର ପ୍ରକ୍ରିୟା। ବିଶେଷ କରି ଦେବୀମାନଙ୍କୁ ହଳଦୀ, ଚୁଆ, ଚନ୍ଦନ ଆଦିରେ ଘଷି, ସେମାନଙ୍କୁ ସ୍ନାନ କରାଇବାର ବିଧି ଅର୍ଥରେ ଏହା ବିଶେଷ ଭାବରେ ପ୍ରଯୁକ୍ତ ହୋଇଥାଏ। ଏ ଦୃଷ୍ଟିରୁ କେତେକ କହନ୍ତି, ପ୍ରତି ଗୁରୁବାର ଦିନ ଦେବୀ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଏଠାକୁ ମାଜଣା ନିମନ୍ତେ ଆସୁଥିବାରୁ ଏହାର ଅତୀତ ନାମ ‘ମାଜଣା ଜାଗା’ (ପୁରୀ ଭାଷାରେ ‘ମାଜଣା ଯାଗା’) ଥିଲା। କିନ୍ତୁ ଶ୍ରୀମନ୍ଦିର ପରିସରରେ, ବେହରଣ ଦ୍ୱାର ନିକଟରେ ଏଥିପାଇଁ ସ୍ୱତନ୍ତ୍ର ‘ମାଜଣା ମଣ୍ଡପ’ ଥିବାବେଳେ, ଦେବୀ ଲକ୍ଷ୍ମୀ ଏଠାକୁ ମାଜଣା ନିମନ୍ତେ ଆସୁଥିବା ଆଦୌ ଗ୍ରହଣଯୋଗ୍ୟ ମନେହୁଏ ନାହିଁ।

ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଶ୍ରୀମନ୍ଦିର ପରମ୍ପରାରେ, ଦେବୀ ଓ ଦେବତାଙ୍କର ନୀତିପାଇଁ ଯେଉଁସବୁ ସ୍ଥାନ ନିର୍ଦ୍ଧାରିତ ହୋଇଛି, ତାହା ‘ମଣ୍ଡପ’ ବା ‘ବେଦୀ’ ଭାବରେ ନାମିତ। ‘ଜାଗା’ (ବା ଯାଗା) ସହିତ ସେପରି ଦେବନୀତି ପ୍ରାୟ ନାହିଁ। ଏ ଦୃଷ୍ଟିରୁ ‘ମାଜଣା ଜାଗା’ ସ୍ୱତନ୍ତ୍ରତା ବହନ କରେ।
ପୁରୀ ବଡ଼ଦାଣ୍ଡର ବଳଗଣ୍ଡିଠାରେ ଅଛି ଏହି ମାଜଣା ଜାଗା। ଯେତେବେଳେ ବଡ଼ଦାଣ୍ଡକୁ ଦୁଇଭାଗ କରି ମାଳିନୀ ନଦୀ ପ୍ରବାହିତ ହେଉଥିଲା, ସେତେବେଳେ ପୁରୀରେ ଛଅରଥ ହେଉଥିଲା। ଶ୍ରୀଗୁଣ୍ଡିଚାଦିନ ତିନି ରଥ ଆସି ବଳଗଣ୍ଡିଠାରେ ରହୁଥିଲା ଏବଂ ସେଠାରୁ ନଦୀ ପାର ହେବା ପରେ, ଆଉ ତିନିଟି ରଥରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ସେହିପରି ବାହୁଡ଼ାଯାତ୍ରାରେ ଫେରିବା ବେଳେ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ସେପଟର ତିନିରଥରେ ଆସି, ନଦୀ ପାରି ହେବା ପରେ, ଏପଟର ତିନି ରଥରେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଆସୁଥିଲେ। ତେଣୁ ନଦୀର ଏ ପଟରେ ହେଉ ବା ସେପଟରେ, ରଥକୁ ତଥା ରଥ ସହ ଠାକୁରମାନଙ୍କୁ ଦୀର୍ଘ ସମୟ ଅଟକି ରହିବାକୁ ପଡ଼ୁଥିଲା। ଅନେକ ସମୟରେ ରାତି ରହଣି ବି ସେହିଠାରେ ହେଉଥିଲା। ସେତେବେଳେ ସେଠାରେ ଥିବା କୂଅରୁ ଠାକୁରମାନଙ୍କର ସ୍ନାନାଦି ନୀତି ନିମନ୍ତେ ଜଳ ଅଣାଯାଉଥିଲା। ସେହି ଅନୁସାରେ, ସେହି ଜାଗାର ନାମ ‘ମାଜଣା ଜାଗା’ ହୋଇଛି। ସେଠାରେ ଥିବା କୂଅ ମଧ୍ୟ ‘ମାଜଣା କୂଅ’ ନାମରେ ପରିଚିତ ହେଉଛି।

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ଏହି ଜାଗାସହ ଜଡ଼ିତ। ଐତିହାସିକ ସୂତ୍ରରୁ ଜଣାଯାଏ ଯେ ସେତେବେଳେ ରଥ ଉପରେ ନିସଙ୍ଖୁଡ଼ି ଭୋଗ ହେଉଥିଲା; ଅର୍ଥାତ୍ ଅନ୍ନଭୋଗ ହେଉ ନଥିଲା। ତେଣୁ ପିଠାଭୋଗ ଆଦିର ରନ୍ଧନ ପାଇଁ ସେଠାରେ ମନ୍ଦିରର କିଛି ରୋଷ ଚୁଲି ରହିଥିଲା। ଏବେ ସେଠାରେ ଆଉ ରଥ ରହିବାର ପ୍ରୟୋଜନ ନାହିଁ। କିନ୍ତୁ ଏକଦା ଯେ ସେଠାରେ ଥିବା ଚୁଲିରେ ଭୋଗସାମଗ୍ରୀର ରନ୍ଧନ କାର୍ଯ୍ୟ ହେଉଥିଲା, ତାହାର ପ୍ରମାଣ ମିଳୁଛି।

ମାଜଣା ଜାଗାର ଜଣେ କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାଯାଇଛି, ଯେ ରଥଯାତ୍ରା ଦିନ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ବେଳେ, ସେଠାରେ ତିନିରଥ ପାଇଁ ପନ୍ତି ଭୋଗ ହୋଇଥାଏ। ଏହି ପନ୍ତି ଭୋଗରେ ପ୍ରତି ରଥ ପାଇଁ ୨୧ ସରା ଓ ୨୧ ଓଳି- ଏହିପରି ୪୨ ମୂର୍ତ୍ତି ଲେଖାଏଁ ପନ୍ତିଭୋଗ ବଢ଼ାଯାଏ। ଏପରିକି, ହେରାପଞ୍ଚମୀରେ ଦେବୀ ଲକ୍ଷ୍ମୀ ଶରଧାବାଲିର ନନ୍ଦିଘୋଷ ରଥ ତଥା ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ବେଳେ, ସେଠାରେ ପନ୍ତିଭୋଗ ଖାଇ ଯାଇଥାଆନ୍ତି। ବାହୁଡ଼ାଯାତ୍ରାରେ ଠାକୁରମାନେ ଫେରିବାବେଳେ, ମନ୍ଦିରରୁ ସୁଆର ସେବକ ଆସି ସେଠାର କୂଅପାଣିରେ ରୋଷେଇ କରନ୍ତି। ତାହାକୁ ‘ବଣଭୋଜି’ କୁହାଯାଏ। ଏହା ଅତୀତର ଛଅରଥ ସମୟରେ ପ୍ରଚଳିତ ଥିବା ପରମ୍ପରାର ଅବଶେଷ ବୋଲି ଅନୁମିତ ହୁଏ।

ସେହି ମାଜଣା ଜାଗାକୁ ଲାଗି ଏକ ପୁଷ୍କରିଣୀ ରହିଛି। ସେତେବେଳେ ରଥ ସହିତ ଯାଉଥିବା ସେବକମାନେ, ସେଠାରେ ରଥର ରହଣି ବେଳେ, ସେହି ପୁଷ୍କରିଣୀରେ ସ୍ନାନ, ଶୌଚାଦି କରୁଥିଲେ।

ଶ୍ରୀକ୍ଷେତ୍ର ପୁରୀର, ବିଶେଷକରି ଶ୍ରୀମନ୍ଦିରର ଓ ରଥର ସୁରକ୍ଷା ସହିତ ମଧ୍ୟ ଏହି ମାଜଣା ଜାଗା ଜଡ଼ିତ। ଯେତେବେଳେ ବଡ଼ଦାଣ୍ଡକୁ ଦୁଇ ଭାଗ କରି ମାଳିନୀ ନଦୀ ପ୍ରବାହିତ ହେଉଥିଲା, ସେତେବେଳେ ତାହା ଥିଲା ଶ୍ରୀମନ୍ଦିର ପଟର ବା ଉତ୍ତର ଦିଗର ସୀମା। ସେଠାରେ ଥିଲା ‘ବଳବତ୍ତର ଗଣ୍ଡ’। ସେଥିରୁ ବଳଗଣ୍ଡ ବା ବଳଗଣ୍ଡି ନାମଟି ଆସିଛି। ‘ମାଜଣା ଜାଗା’ରେ ରହିଛି ଅଭୟ ମହାବୀରଙ୍କର ଏକ ମନ୍ଦିର। ସେହି ମନ୍ଦିରରେ ପୂଜିତ ମହାବୀରଙ୍କ ମୂର୍ତ୍ତିର ନିମ୍ନଦେଶରେ ରହିଛି ଏକ ଗଣ୍ଡରାକ୍ଷସ ମୂର୍ତ୍ତି। ସେହି ଗଣ୍ଡରାକ୍ଷସକୁ ଅଭୟ ମହାବୀର ବଧ କରିଥିଲେ ବୋଲି କଥିତ ଅଛି। ସେଠାରେ ଥିଲା ଶ୍ରୀମନ୍ଦିରର ଉତ୍ତର ସୀମାର ଦ୍ୱାର। ତାହା ‘ବଡ଼ଦ୍ୱାର’ ଭାବରେ ନାମିତ ଥିଲା। ସେଠାରେ ଶ୍ରୀମନ୍ଦିର ନିରାପତ୍ତା ପାଇଁ ସୁରକ୍ଷା ବ୍ୟବସ୍ଥା ରହୁଥିଲା। ବକ୍ସି ପାତ୍ରଙ୍କ ନେତୃତ୍ୱରେ, ବଡ଼ଦାଣ୍ଡର, ଶ୍ରୀମନ୍ଦିରର ଓ ରଥର ସୁରକ୍ଷାପାଇଁ କୁଣ୍ଢାଇବେଣ୍ଟ ସାହି ଆଖଡ଼ା ଅଧୀନରେ ଥିଲା ୨୨ ମେଳର ଅନ୍ତର୍ଭୁକ୍ତ ମାଜଣା ଜାଗା। ସେହି ‘ଯାଗା ଆଖଡ଼ା’ରେ ଭେଣ୍ଡିଆମାନେ ଶରୀର ସାଧନା କରିବା ସହିତ, ‘ବଡ଼ଦ୍ୱାର’ଠାରୁ ‘ଚାଉଳିଆ ମଠ’ ପର୍ଯ୍ୟନ୍ତ, ରଥମାନଙ୍କର ସୁରକ୍ଷା ଦାୟିତ୍ୱ ନେଉଥିଲେ। ସେଠାରେ ମଧ୍ୟ ସେହି ସୁରକ୍ଷା ବ୍ୟବସ୍ଥାର ଅସ୍ତ୍ରଶସ୍ତ୍ରମାନ ମହଜୁଦ୍ ରହୁଥିଲା। ଏବେ ରାମନବମୀଠାରୁ ହେଉଥିବା ସାହିଯାତ ସମୟରେ ଏହି ‘ଯାଗା’ କୁଣ୍ଢାଇବେଣ୍ଟ ସାହି ପକ୍ଷରୁ ଯୁଦ୍ଧକୌଶଳ ପ୍ରଦର୍ଶନ କରିବାର ପରମ୍ପରା ରହିଛି। ସାହିଯାତର ପୂର୍ବଦିନ ଏହି ‘ଯାଗା’ରୁ ଅସ୍ତ୍ରଶସ୍ତ୍ରର ଏକ ମାଜଣା ପଟୁଆର ବାହାରି ରଜାଘର ଦୁଆରକୁ ଆସିବାର ପରମ୍ପରା ମଧ୍ୟ ଅତୀତରେ ଥିଲା। ନିକଟରେ ରହିଛି ନିମ ଆଖଡ଼ା ମଠ। କଥିତ ଅଛି ଯେ ତାହା ଜଣେ ନାଗା ସନ୍ନ୍ୟାସୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ତେଣୁ ପ୍ରତିବର୍ଷ ଦଶହରାରେ ସେଠାରେ ଏକ ବୃହତ୍ ନାଗାମୂର୍ତ୍ତି ନିର୍ମିତ ହୋଇଥାନ୍ତି।

ଏହିପରି ଭାବରେ, ଶ୍ରୀକ୍ଷେତ୍ରର, ରଥର ପଥ ବଡ଼ଦାଣ୍ଡର ଏବଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅତୀତ ଇତିହାସ ସହିତ ‘ମାଜଣା ଜାଗା’ର ଇତିହାସ ଜଡ଼ିତ। ଶ୍ରୀକ୍ଷେତ୍ରର ସେଦିନର ଇତିହାସ ଓ ଭୂଗୋଳ ଅବଶ୍ୟ ବଦଳିଯାଇଛି- କିନ୍ତୁ ମାଜଣା ଜାଗା ତଥାପି ସେହି ବିସ୍ମୃତ ଐତିହ୍ୟର ସ୍ମାରକୀ ହୋଇ ରହିଛି।

ମୋ: ୯୩୩୭୩ ୮୮୮୦୬