ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ହେଉଥିବା ଭୋଗର ନାମ ମକର ଚଉରାଶୀ ଭୋଗ। ଚଉରାଶୀ ଆସିଛି ‘ଚତୁରଶୀତି’ ଶବ୍ଦରୁ। ଏହା ୮୪ ସଂଖ୍ୟାକୁ ବୁଝାଏ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ମକର ସଂକ୍ରାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଏବଂ ଏହିଦିନ ଶ୍ରୀମନ୍ଦିରର କୋଠଭୋଗ ରୋଷରେ ସର୍ବାଧିକ ୮୪ ପ୍ରକାରର ପିଠା ଆଦି ଭୋଗ ହୋଇଥାଏ। ତେଣୁ ଏହାର ନାମ ମକର ଚଉରାଶୀ ଭୋଗ। ଏହି ଅବସରରେ ହେଉଥିବା ବେଶର ନାମ ମଧ୍ୟ ମକର ଚଉରାଶୀ ବେଶ।
ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କର ଉତ୍ତରାୟଣର ଉଷାକାଳ। ଏଣୁ ଏହାର ଅନ୍ୟନାମ ‘ଉତ୍ତରାୟଣ ସଂକ୍ରାନ୍ତି’। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ହେଉଥିବା ଯାତ୍ରା ହେଉଛି ‘ଉତ୍ତରାୟଣ ଯାତ୍ରା’। ଏହା ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରାର ଅନ୍ତର୍ଗତ। ଏହିପରି ଅନ୍ୟ ଏକ ଯାତ୍ରା ହେଉଛି ‘ଦକ୍ଷିଣାୟନ ଯାତ୍ରା’। ଏହା ଯଥାକ୍ରମେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନକୁ ନେଇ ପାଳିତ ହୋଇଥାଏ। ଜ୍ୟୋତିଷିକ ଗଣନା ଅନୁସାରେ, ନିରକ୍ଷ ବୃତ୍ତର ୨୩ ଅଂଶ ଉତ୍ତରରେ ଥିବା ରେଖା ହେଉଛି କର୍କଟକ୍ରାନ୍ତି ଏବଂ ୨୩ ଅଂଶ ଦକ୍ଷିଣରେ ଥିବା ରେଖା ହେଉଛି ମକରକ୍ରାନ୍ତି। ସୂର୍ଯ୍ୟ ଯେଉଁଦିନ ଏହି ରେଖାକୁ ସ୍ପର୍ଶ କରନ୍ତି, ତାହା ମକର ସଂକ୍ରାନ୍ତିରୂପେ କଥିତ ହୁଏ। ଏହା ସୂର୍ଯ୍ୟଙ୍କର ଦକ୍ଷିଣଗତି ବା ଦକ୍ଷିଣାୟନର ଶେଷସୀମା। ଏହି ଦିନରୁ ସୂର୍ଯ୍ୟ ପୁଣି ଉତ୍ତରକୁ ଫେରନ୍ତି। ଧନୁରାଶିରୁ ମକରରାଶିକୁ ତାଙ୍କର ଚଳନ ହୁଏ। ଏଣୁ ଏହା ଉତ୍ତରାୟଣର ଉଷାକାଳ। ଏହା ଶୁଭକାଳ ରୂପେ ପରିଗଣିତ ହୋଇଥାଏ। ‘ମହାଭାରତ’ ଯୁଦ୍ଧରେ ସେଥିପାଇଁ ଇଚ୍ଛାମୃତ୍ୟୁ ବର ପାଇଥିବା ପିତାମହ ଭୀଷ୍ମ ଦେହତ୍ୟାଗ ନିମନ୍ତେ ଏହି ଉତ୍ତରାୟଣକୁ ହିଁ ଅପେକ୍ଷା କରି ରହିଥିଲେ।
ମକରସଂକ୍ରାନ୍ତିରେ ସାଧାରଣତଃ ଅପକ୍ୱ (ଅରୁଆ) ଚାଉଳ, ନୂଆ ଗୁଡ଼, ପାଚିଲା କଦଳୀ, ନଡ଼ିଆ, ଛେନା, ଘିଅ ଓ ଦୁଧ ଆଦି ମିଶାଇ ଭୋଗ ପ୍ରସ୍ତୁତ କରାଯାଏ ଏବଂ ଏହା ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ। ଏହାର ନାମ ‘ମକର ଚାଉଳ’। ଶିବ ଓ ବିଷ୍ଣୁ ମନ୍ଦିରରେ ମଧ୍ୟ ଏ ଭୋଗର ପ୍ରଚଳନ ଅଛି। ତେବେ, ଶ୍ରୀମନ୍ଦିରର ରୀତିନୀତିର ବିଶେଷତ୍ୱ ହେଉଛି, ଏହିଦିନ ଶ୍ରୀମନ୍ଦିରରେ ସର୍ବାଧିକ ସଂଖ୍ୟକ ପିଠାଭୋଗ ହୋଇଥାଏ।