ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ : ଶିଳ୍ପ ମହାକୁମ୍ଭ

୨୦୦ କଳାକାର, ୫୦ ଟେକ୍ନିସିଆନ୍‌

ଭୁବନେଶ୍ବର : ‘ସୁନାର ମାଟିରେ ହୀରାର କାହାଣୀ
ମାଟି ତଳେ କେତେ ସପନର ଖଣି
ରତ୍ନଗର୍ଭା ମା’ ତୁ
କହୁଛି ଆଜି ତୋ କାହାଣୀ…’
ଏହି ଗୀତ ଉପସ୍ଥିତ ଦର୍ଶକଙ୍କ ମନରେ ରୋମାଂଚ ଭରି ଦେବା ପାଇଁ ଯଥେଷ୍ଟ ଥିଲା। ଆଖି ଝଲସାଇଦେବା ଭଳି ଆଲୋକ ସହିତ ଅତି ସୁମଧୁର ସଙ୍ଗୀତ ଏବଂ ଶବ୍ଦ ଲୋକମାନଙ୍କୁ ଏକ ସ୍ବପ୍ନର ଦୁନିଆକୁ ନେଇଯାଇଥିଲା। ଯେଉଁ ଠାରେ ସେମାନେ ଦେଖିଥିଲେ ଏକ ସ୍ବପ୍ନ ରାଇଜକୁ। ଉପଭୋଗ କରିଥିଲେ ଏହାର ପ୍ରତିଟି ସୌନ୍ଦର୍ଯ୍ୟକୁ। ଆତ୍ମହରା ହୋଇପଡ଼ିଲେ ଏହାର ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟ ଦେଖି। ଓଡ଼ିଶା ମାଟିକୁ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ଭାବେ ଉପସ୍ଥାପନ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନରେ ରୋମାଂଚ ଭରିଦେଇଥିଲା। ଓଡ଼ିଶା ମାଟିରେ ଥିବା ବିପୁଳ ସମ୍ଭାବନାକୁ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତି ନିଖୁଣ ଭାବେ କଳାକାରମାନେ ପରିବେଷଣ କରିଛନ୍ତି। ‘ମୁଁ ଓଡ଼ିଶା’ ବିଷୟ ବସ୍ତୁ ଉପରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ କଳାକାର ଭାଗ ନେଇଥିଲେ। ୫୦ ଜଣ ଟେକ୍ନିସିଆନ୍ ସେମାନଙ୍କ ପରିଶ୍ରମ ବଳରେ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ଓଡ଼ିଶା ଡ୍ୟାନ୍ସ ଏକାଡେମି, କଟକର ମୋକ୍ଷ, ଦେବଦାସୀ ଓ ନୃ୍ତ୍ୟ ନୈବେଦ୍ୟ ଭଳି ସଂସ୍ଥାର କଳାକାରମାନେ ଏଥିରେ ସାମିଲ ହୋଇଥିଲେ। ଆକାଶ ମାର୍ଗରୁ ଏକ ଚକ ଉପରେ ଠିଆ ହୋଇ ଜଣେ କଳାକାର ମଞ୍ଚରେ ପ୍ରବେଶ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଲେଜର୍‌ ଲାଇଟ୍‌କୁ ଅତି ସୁନ୍ଦର ଭାବେ ବ୍ୟବହାର କରାଯାଇଥିଲା ଯାହା ନୃତ୍ୟ ପରିବେଷଣକୁ ଆହୁରି ଚମତ୍କାର କରିପାରିଥିଲା। କଳାକାରମାନେ ଓଡ଼ିଶା ଚିଙ୍ଗୁଡ଼ି ଠାରୁ ଆରମ୍ଭ କରି ଖଣିଜ ପଦାର୍ଥ, ବୟନ ଶିଳ୍ପ, ଜଙ୍ଗଲ, ମନ୍ଦିର, ପକ୍ଷୀ, ଶିକ୍ଷା କ୍ଷେତ୍ର, ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ବକପ୍, ସ୍କିଲଡ୍‌ ଇନ୍ ଓଡ଼ିଶା, ରୋବୋଟିକ୍ସ ଓ ମାନୁଫାକ୍‌ଚରିଂ ଶକ୍ତିକୁ ଚମତ୍କାର ଭାବେ ପରିବେଷଣ କରିଥିଲେ।

ଆଖି ଝଲ୍‌ସାଇଦେଲା ଲେଜର ସୋ’

ଭୁବନେଶ୍ବର : ଆଜି ‘ମେକ୍‌ ଇନ୍‌ ଓଡ଼ିଶା-୨୦୧୮’ କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ ସନ୍ଧ୍ୟାର ‘ଦେଓମାଳି’ ଗମ୍ବୁଜରୁ ସୁଦୃଶ୍ୟ ଲେଜର ସୋ’ ଆଖି ଝଲସାଇ ଦେଇଥିଲା। ପ୍ରକୃତରେ ଓଡ଼ିଶାର ଭୂଗୋଳ, ପର୍ଯ୍ୟଟନ, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଙ୍ଗଲ ସଂପଦ, ବେଳାଭୂମି, ହେନ୍ତାଳ ଜଙ୍ଗଲ, ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ମନ୍ଦିରକୁ ନେଇ ଏଭଳି ଏକ ରଙ୍ଗିନ୍‌ ସୋ’ କରାଯାଇପାରେ, ତାହା କଳ୍ପନା ବାହାରେ ଥିଲା। ଲେଜର୍‌ ମାଧ୍ୟମରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, କୃଷି, ଏଗ୍ରି ମାର୍କେଟିଂ, କ୍ରୀଡ଼ା, ଜଙ୍ଗଲ ସଂପଦ, ଜଳସଂପଦ, ଐତିହ୍ୟ, ସଂସ୍କୃତି, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍‌ ଶିଳ୍ପ, ସୂଚନା ପ୍ରଯୁକ୍ତି, ବିମାନ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ, ହସ୍ତତନ୍ତ, ଖଣ୍ଡଗିରି, ରତ୍ନଗିରି, ଧଉଳି, ଚିଲିକା, ଶିମିଳିପାଳ, ସମୁଦ୍ର ବେଳାଭୂମିକୁ ଏଭଳି ଆକର୍ଷଣୀୟ ଶୈଳୀରେ ଦେଖାଯାଇଥିଲା, ତାହା ଉପସ୍ଥିତ ଶିଳ୍ପପତି, ‌କର୍ପୋରେଟ୍‌ ସଂସ୍ଥାର ଅଧିକାରୀଙ୍କ ମନରେ ରୋମାଞ୍ଚ ଭରି ଦେଇଥିଲା। ପ୍ରକୃତରେ ଏଭଳି ଏକ ଲେଜର ସୋ’ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଶିଳ୍ପ ପ୍ରତି ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିଥିଲା। ସବୁଠୁ ବଡ଼ ଆକର୍ଷଣୀୟ ଥିଲା ଏହାର ଶବ୍ଦ ଓ ଆଲୋକ। ଅର୍ଦ୍ଧ ଗୋଲାକାର ଗମ୍ବୁଜ ଶୈଳୀରେ ନିର୍ମିତ ହୋଇଥିବା ‘ଦେଓମାଳି’ ଉପରେ ଦର୍ଶକଙ୍କ ନଜର କିଛି ସମୟ ପାଇଁ ସ୍ଥିର ହୋଇଯାଇଥିଲା।

ଶାଢ଼ି ପିନ୍ଧା ରୋବଟ୍‌

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ର ଏକ୍ସପୋ ଉଦଘାଟନ ପାଇଁ ମଞ୍ଚରେ ଅନ୍ୟ ଅତିଥିମାନଙ୍କ ସହିତ ଉପସ୍ଥିତ ଥିଲା ଏକ ହ୍ୟୁମାନଏଡ ରୋବଟ୍। ଓଡ଼ିଶାର ପାରମ୍ପରିକ ଶାଢ଼ି ପିନ୍ଧି ଉକ୍ତ ରୋବଟ୍‌ଟି ହାତରେ ଏକ ଥାଳିରେ କଇଁଚି ଧରି ରହିଥିଲା। ମଞ୍ଚ ପରିଚାଳିକା ଏକ୍ସପୋକୁ ଉଦଘାଟନ କରିବା ପାଇଁ ଘୋଷଣା କରିବା ପରେ ରୋବଟ୍‌ଟି ମୁଖ୍ୟମନ୍ତ୍ରୀଙ୍କ ହାତକୁ ଫିତାକାଟିବା ପାଇଁ କଇଁଚି ବଢ଼ାଇ ଦେଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଫିତା କାଟି ଏକ୍ସପୋକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ସାକ୍ ରୋବଟିକ୍ସ ପକ୍ଷରୁ ଏହି ହ୍ୟୁମାନଏଡ ରୋବଟଟି ପ୍ରସ୍ତୁତ କରାଯାଇଛି। ଏହି ଦୃଶ୍ୟ ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥିଲା।

ଅନେକ ଭାଷା

ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଦେଶବିଦେଶର ପ୍ରତିନିଧିମାନେ ଯୋଗଦେଇଥିବାରୁ ଏଠାରେ ସେମାନଙ୍କୁ ଭିନ୍ନ ଅନୁଭୂତି ଦେବା ପାଇଁ ଓ ସେମାନେ ସହଜରେ ବୁଝିପାରିଲା ଭଳି ବିଭିନ୍ନ ଭାଷାରେ ଏକ୍ସପୋ ହ୍ୟାଙ୍ଗରରେ ସ୍ବାଗତଂ ଲେଖାଯାଇଛି।

ସମ୍ବନ୍ଧିତ ଖବର