କୁହାଯାଏ ଛୁଆଟିକୁ ଛୋଟବେଳୁ ଯେମିତି ଗଢ଼ିବା ସେ ସେପରି ଛାଞ୍ଚରେ ପଡ଼ିଥାଏ। ଏହି ସମୟରେ ହିଁ ତା’ ସ୍ୱାସ୍ଥ୍ୟର ବିକାଶ ତଥା ଭବିଷ୍ୟତର ମୂଳଦୁଆ ପଡ଼ିଥାଏ। ପ୍ରାରମ୍ଭିକ ବର୍ଷମାନଙ୍କରେ ମିଳିଥିବା ସ୍ନେହ ଓ ଯତ୍ନ ଶିଶୁର ବିକାଶରେ ବିଶେଷ ସହାୟକ ହୋଇଥାଏ। ଅନ୍ୟସମୟ ତୁଳନାରେ ଶିଶୁଟି ଏହି ସମୟରେ ଖୁବ୍‌ ଶୀଘ୍ର ଶିଖିଥାଏ। ସବୁ ବାପାମାଆ ପିଲାର ମାନସିକ, ବୌଦ୍ଧିକ ତଥା ଶାରୀରିକ ବିକାଶ ଚାହାନ୍ତି ଏବଂ ନିଜ ନିଜ ହିସାବରେ ଶିଶୁର ଲାଳନପାଳନ କରିଥାଆନ୍ତି।

Advertisment

ନିଜ ପିଲାର ଲାଳନପାଳନ ପାଇଁ ବାପା, ମା’ ‘ଅଥରେଟିଭ୍‌’, ‘ପର୍‌ମିସିଭ୍‌’, ‘ଜେଣ୍ଟେଲ୍‌’ ଭଳି ଅନେକପ୍ରକାର ପ୍ୟାରେଣ୍ଟିଂ ଷ୍ଟାଇଲ୍‌ ଆପଣାଇଥାଆନ୍ତି। ଆଜିକାଲି ଜେଣ୍ଟେଲ୍‌ ପ୍ୟାରେଣ୍ଟିଂ ପଦ୍ଧତିକୁ ଅଧିକ ଅନୁସରଣ କରୁଛନ୍ତି ନୂଆ କରି ବାପାମା’ ହୋଇଥିବା ଦମ୍ପତି। ପୂର୍ବରୁ ପିଲାଟି ମାଟିରେ ଗଡ଼ି ବଡ଼ ହେଉଥିଲା, ଗୁରୁଜନମାନଙ୍କଠାରୁ ମାଡ଼ ଖାଉଥିଲା, ଗାଳି ମନ୍ଦ ଶୁଣି ଠିକ୍‌ ବାଟକୁ ଯାଉଥିଲା। କିନ୍ତୁ ଏବେ ଲାଳନପାଳନର ତରିକା ବଦଳିଲାଣି। ପିଲାଙ୍କୁ ଜେଣ୍ଟଲ୍‌ ପ୍ୟାରେଣ୍ଟିଂ ଅର୍ଥାତ୍‌ ବିନା ଗାଳିମାଡ଼ରେ ବୁଝାଇବାକୁ ଚେଷ୍ଟା କରାଯାଉଛି।
ନିକଟରେ ଏକ ନୂଆ ପ୍ୟାରେଣ୍ଟିଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ଯାହାକୁ ‘ଫାଫୋ ପ୍ୟାରେଣ୍ଟିଂ’ କୁହାଯାଉଛି। ଏହି ପ୍ୟାରେଣ୍ଟିଂ ଷ୍ଟାଇଲ୍‌ ପିଲାଙ୍କୁ କଠୋରତା ମାଧ୍ୟମରେ ନୁହେଁ ବରଂ ଅଭିଜ୍ଞତା ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଏ। ‘ଫାଫୋ’ର ଅର୍ଥ ରୁକ୍ଷ ଲାଗୁଥିଲେ ମଧ୍ୟ ଏହା ପଛର ବିଚାରଧାରା ଗଭୀର ଓ ବ୍ୟାବହାରିକ ହୋଇଥାଏ। ଏଥିରେ ବାପାମା’ ଗାଳିମାଡ଼ ନଦେଇ ନିଜ ଅଭିଜ୍ଞତା ମାଧ୍ୟମରେ ପିଲାଙ୍କୁ ଶିଖିବାକୁ ଅନୁମତି ଦେଇଥାଆନ୍ତି।

ଏହି କ୍ଷେତ୍ରରେ ବାରମ୍ବାର ଯଦି ପିଲାଟି କଥା ନଶୁଣି ସେହି ଭୁଲ୍‌ କରିଥାଏ ତେବେ ଅଭିଭାବକ ସେମାନଙ୍କୁ ବୁଝାଇବା ଅପେକ୍ଷା ସେହି ପରିସ୍ଥିତିରେ ଛାଡ଼ିଦିଅନ୍ତି। ଏହାର ପରିଣାମ ପାଇସାରିଲା ପରେ ସେ ଆପେ ବୁଝିଯାଏ ତାହା ଠିକ୍‌ ନା ଭୁଲ୍‌। ବର୍ତ୍ତମାନ ଏହି ଟ୍ରେଣ୍ଡ୍‌ ଅ‌ଷ୍ଟ୍ରେଲିଆରେ ଚାଲିଛି। ଏହା ପିଲାମାନଙ୍କ ମଧ୍ୟରେ ଦାୟିତ୍ୱ ଓ ସ୍ୱାଧୀନତାକୁ ପ୍ରୋତ୍ସାହିତ କରେ ଏବଂ ବାପାମା’ଙ୍କ ଚାପ ମଧ୍ୟ ହ୍ରାସ କରେ। ରିପୋର୍ଟ ଅନୁସାରେ ଅନେକ ଲୋକ ଏହି ଶୈଳୀକୁ ପ୍ରଶଂସା କରୁଛନ୍ତି। ଏହି ପ୍ୟାରେଣ୍ଟିଂ ଷ୍ଟାଇଲ୍‌ ପିଲାମାନଙ୍କୁ ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରୁଥିବା କୁହାଯାଉଛି।

ଭାରତରେ ବାପାମା’ମାନେ ପ୍ରାୟତଃ ପିଲାମାନଙ୍କ ପାଳନପୋଷଣରେ ଅତ୍ୟଧିକ ହସ୍ତକ୍ଷେପ କରନ୍ତି। ଏପରିସ୍ଥଳେ ଫାଫୋ ପ୍ୟାରେଣ୍ଟିଂର ବାର୍ତ୍ତା ହେଉଛି, ସବୁ ସମୟରେ ପିଲାଙ୍କୁ ଉଦ୍ଧାର କରିବା ଅପେକ୍ଷା, ସେମାନଙ୍କର ଭୁଲ୍‌ରୁ ଶିଖିବାକୁ ଦେବା ଅଧିକ ଲାଭଦାୟକ। କିନ୍ତୁ ସବୁ‌କ୍ଷେତ୍ରରେ ଏହି ଷ୍ଟାଇଲ୍‌ ଠିକ୍‌ ନୁହେଁ। ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ସେମାନଙ୍କୁ ରୋକ୍‌ ଲଗାଇବା ନିହାତି ଦରକାର। ତେଣୁ ଯେଉଁ କାର୍ଯ୍ୟରୁ ସେମାନଙ୍କୁ କିଛି ଶିଖିବାର ଶିକ୍ଷା ମିଳିଥାଏ। ସେହି ସମୟରେ ଏହି ପ୍ୟାରେଣ୍ଟିଂକୁ ଆପଣେଇବା ପିଲାଙ୍କ ପାଇଁ ଶୁଭଙ୍କର ହୋଇଥାଏ।