ବେଲୁନ୍ ବିକାଳିରୁ ଇଣ୍ଟର୍ନେଟ୍ ସେନ୍ସେସନ୍: ରାତି ୪ଟାରୁ ଆରମ୍ଭ ହୋଇଥିଲା କିସ୍ବୁଙ୍କ ମେକ୍ଓଭର
କୋଚି: ଆପଣ ଜାଣିଥିବେ ନିଶ୍ଚୟ ବେଲୁନ୍ ବିକ୍ରି କରୁଥିବା ଯୁବତୀ କିସବୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ମେକଓଭର ଏବେ ଚର୍ଚ୍ଚାରେ ରହିଛି ଓ ସେ ରାତାରାତି ପାଲଟି ଯାଇଛନ୍ତି ଇଣ୍ଟର୍ନେଟ୍ ସେନ୍ସେସନ୍।
ତେବେ ଆପଣ ଜାଣିଛନ୍ତି ତାଙ୍କ ମେକ୍ ଆର୍ଟିଷ୍ଟ୍ କିସ୍ବୁଙ୍କ ମେକ୍ଓଭର୍କୁ ନେଇ କ’ଣ କୁହନ୍ତି? ଫଟୋ ସୁଟ୍ ପୂର୍ବରୁ ତାଙ୍କର ମେକ୍ଓଭର୍ ପାଇଁ ମେକ୍ଅପ୍ ଆର୍ଟିଷ୍ଟ୍ ପ୍ରଥମେ ପେଡିକ୍ୟୁୟର୍, ମେନିକ୍ୟୁୟର୍, ଫେସିଆଲ୍ ଆଦି କରିଥିଲେ ଓ ପରେ ଯାଇ ତାଙ୍କ ମୁହଁରେ ମେକ୍ଅପ୍ ଦେଇଥିଲେ ବୋଲି କହିଛନ୍ତି। ତାଙ୍କ ମେକ୍ଅପ୍ ରାତି ୪ଟାରୁ ଆରମ୍ଭ ହୋଇଥିଲା।
କିସବୁ ଏକ ରାଜସ୍ଥାନୀ ପରିବାରର। କିସ୍ବୁଙ୍କ ପରିବାର ଲୋକ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ଚାହିଁଥିଲେ ବି ଆର୍ଥିକ ଅବସ୍ଥା ପାଇଁ ସେ ବେଲୁନ୍ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ରାତାରାତି କିସ୍ବୁ ଏପରି ଚର୍ଚ୍ଚାର ପରିସରକୁ ଆସିବାରୁ ତାଙ୍କ ପାଠ ପଢ଼ିବା ପାଇଁ କିଛି ଏକ ରାସ୍ତା ନିଶ୍ଚୟ ବାହାରିବ ବୋଲି ତାଙ୍କ ପରିବାର ଲୋକ ଆଶା ପ୍ରକଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପେୟାନୁର ସ୍ଥିତ ଫଟୋଗ୍ରାଫର ଅର୍ଜୁନ କୃଷ୍ଣନ କନ୍ନୁର ଅଣ୍ଡାଲ୍ଲୁରକାଭୁ ପର୍ବରେ ଜଣେ ବେଲୁନ୍ ବିକ୍ରେତାଙ୍କୁ ଦେଖିଥିଲେ। ଆଉ ସେ ରାଜସ୍ଥାନର ଏହି ବେଲୁନ ବିକ୍ରି କରୁଥିବା ଯୁବତୀଙ୍କ ଫଟୋ ଉଠାଇଥିଲେ। ଏହି ଫଟୋ ଯେତେବେଳେ ଫଟୋଗ୍ରାଫର ଉକ୍ତ ଯୁବତୀ ଓ ତାଙ୍କ ମା’ଙ୍କୁ ଦେଖାଇଥିଲେ ସେମାନେ ଖୁସି ହୋଇଯାଇଥିଲେ।
ଦୁଇ ଦିନ ପରେ ଅର୍ଜୁନ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଥିଲେ। ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିଥିଲା। ଅର୍ଜୁନ କିଛିଦିନ ପରେ କିସବୁର ମେକଓଭର କରି ଫଟୋ ସୁଟ୍ କରିବାକୁ ସ୍ଥିର କରିଥିଲେ।
ଆଉ ଏହି ପ୍ରସ୍ତାବରେ କିସବୁ ବି ରାଜି ହୋଇଯାଇଥିଲେ। ଷ୍ଟାଇଲିଷ୍ଟ ରେମ୍ୟାଙ୍କ ସାହାଯ୍ୟରେ ଅର୍ଜୁନ କିସବୁଙ୍କର କିଛି ସୁନ୍ଦର ଫଟୋ ସୁଟ କରିଥିଲେ। ଏହି ଫଟୋ ଦେଖିବା ପରେ କିସବୁଙ୍କୁ ଅନେକ କାମର ଅଫର ଆସୁଛି।