ମସ୍କୋ : ‘‘ମା’, ମୁଁ ୟୁକ୍ରେନରେ ଅଛି। ଏଠାରେ ଅସଲ ଯୁଦ୍ଧ ଚାଲିଛି। ମୋତେ ଭୟ ଲାଗୁଛି। ଆମେ ସମସ୍ତ ସହରକୁ ବୋମା ମାଡ଼ କରୁଛୁ। ଏପରିକି ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଛୁ। ଏହା ମୋତେ କଷ୍ଟ ଦେଉଛି।’’

Advertisment

ଏହି ଲେଖା ‌ୟୁକ୍ରେନର କୌଣସି ସୈନିକ ନୁହନ୍ତି ବରଂ ଆକ୍ରମଣ କରୁଥିବା ଜଣେ ଋଷ ସୈନିକ ନିଜ ମା’ଙ୍କୁ ଲେଖିଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଲା ଏହି ମେସେଜ ପଠାଇବାର କିଛି ସମୟ ପରେ ଋଷର ଏହି ସୈନିକଙ୍କ ମୃତ୍ୟୁ ହୋଇଛି।

ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲା। ହେଲେ ‌ଶେଷରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହେବାରୁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଫେରିଆସିଥିଲେ। ଏହାର କିଛି ଘଣ୍ଟା ପରେ ଅଟକି ରହିଥିବା ଋଷର ସେନା ପୁଣି ଥରେ ୟୁକ୍ରେନ ଆଡ଼କୁ ଅଗ୍ରସର ହେବା ଆରମ୍ଭ କରିଥିଲେ। ପୂର୍ବ ଅପେକ୍ଷା ଆକ୍ରମଣ ଆହୁୁରି ତୀବ୍ର ହୋଇଥିବା ବେଳେ ଋଷର ସେନା ଏବେ ୟୁକ୍ରେନ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଥିବା ଜଣାପଡ଼ିଛି। ଋଷର ଏହି ଯବାନଙ୍କ ଶେଷ ମେସେଜ ତାହା ସ୍ପଷ୍ଟ କରିଛି।

publive-image indiatoday

ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ମିଳିତ ଜାତିସଂଘର ସାଧାରଣ ସଭାର ଏକ ଜରୁରୀକାଳୀନ ଅଧିବେଶନରେ ୟୁକ୍ରେନର ରାଷ୍ଟ୍ରଦୂତ ଋଷର ସୈନିକ ତାଙ୍କ ମା’ଙ୍କ ନିକଟକୁ ପଠାଇଥିବା ଶେଷ ମେସେଜ ପଢ଼ିଥିଲେ। ମେସେଜର ଉତ୍ତର କାହିଁକି ଦେଉନାହୁଁ ବୋଲି ଯବାନଙ୍କ ମା’ ପଚାରିଥିବା ବେଳେ ମୁଁ ନିଜକୁ ଫାଶୀ ଦେବାକୁ ଚାହେଁ ବୋଲି କହିଥିଲେ ଋଷର ଯବାନ। ଏହା ପରେ ସେ ଯୁଦ୍ଧର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଥିବା କହିଥିଲେ। ମା’, ମୁଁ ୟୁକ୍ରେନରେ ଅଛି। ଏଠାରେ ଅସଲ ଯୁଦ୍ଧ ଚାଲିଛି। ମୋତେ ଭୟ ଲାଗୁଛି। ଆମେ ସମସ୍ତ ସହରକୁ ବୋମା ମାଡ଼ କରୁଛୁ। ଏପରିକି ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଛୁ। ଏହା ମୋତେ କଷ୍ଟ ଦେଉଛି ବୋଲି କହିଥିବା ବେଳେ ଏହାର କିଛି ସମୟ ପରେ ତାଙ୍କ ମୃତ୍ୟୁ ଖବର ଘରେ ପହଞ୍ଚିଥିଲା।