ମମିତା ମେହେର ହତ୍ୟା ମାମଲା: ପୁଲିସକୁ ଗପ ଶୁଣାଇଲା ଗୋବିନ୍ଦ

ରାତିସାରା ଘନଘନ ଜେରା, କହିଲା କାଣ୍ଡ ନିଜେ ଭିଆଇଛି, ଜେଲ୍‌ରେ ରାଧେଶ୍ୟାମ

ବଲାଙ୍ଗୀର/ସିନ୍ଧେକେଲା/ବଙ୍ଗୋମୁଣ୍ଡା : ବହୁଚର୍ଚ୍ଚିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ରହସ୍ୟ ଧୀରେଧୀରେ ସାମ୍ନାକୁ ଆସିବାରେ ଲାଗିଛି। ଗୋଟିଏ ପଟେ ପୁଲିସ୍‌ ଦୃଢ଼ ପ୍ରମାଣ ଯୋଗାଡ଼ କରିବାରେ ବ୍ୟସ୍ତ ରହିଥିବାବେଳେ ଅନ୍ୟପଟେ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗପ ଶୁଣାଉଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

୫ ଦିନିଆ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ବୁଧବାର ରାତିସାରା ଓ ଗୁରୁବାର ଦିନବେଳା ପୁଲିସ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଥିଲା। କେମିତି ସେ ହତ୍ୟା କରିଥିଲା? କେଉଁ ସ୍ଥାନରେ ହତ୍ୟା କଲା? ହତ୍ୟା କରିବାପରେ ସେ କେମିତି ଶବକୁ ପୋଡ଼ିଥିଲା? କିଏ କିଏ ତାକୁ ସହାୟତା କରିଥିଲେ? ଏହିସବୁ ପ୍ରଶ୍ନ ପଚାରିଥିଲା ପୁଲିସ। ଖୋଦ୍‌ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସବୁ ପ୍ରଶ୍ନ ଗୋଟି ଗୋଟି କରି ପଚାରିଥିଲେ। ଉତ୍ତର ରଖିବା ସମୟରେ କାନ୍ଦି କାନ୍ଦି ସବୁର ବର୍ଣ୍ଣନା କରିଥିଲା ଗୋବିନ୍ଦ। କେମିତି ସେ ଜହ୍ଲାଦ ପାଲଟିଥିଲା, ତା’ର ସବିଶେଷ ବିବରଣୀ ମଧ୍ୟ ଦେଇଥିଲା। ସେ କହିଥିଲା ଯେ, ସବୁ କାରନାମା ସେ ନିଜେ କରିଛି ଏବଂ ଅନ୍ୟ କେତେଜଣଙ୍କୁ କାମରେ ଲଗାଇଛି। ଏଥିସହିତ, ଦିନ ୧୧ଟାରୁ ୧୧ଟା ୩୦ ପାଖାପାଖି ହତ୍ୟା କରିଥିଲା ବୋଲି ଗୋବିନ୍ଦ ପୁଲିସ ଆଗରେ ସ୍ବୀକାର କରିଥିବା ଜଣାପଡ଼ିଛି।

ଏ ନେଇ କିନ୍ତୁ ଡିଆଇଜି ସବିଶେଷ ସୂଚନା ଦେଇନାହାନ୍ତି। ପୁଲିସ ତଦନ୍ତ ଜାରି ରହିଥିବାରୁ ରିମାଣ୍ଡରେ କ’ଣ ସବୁ ଗୋବିନ୍ଦ ଗପିଛି, ତାହା ପୁଲିସ ବର୍ତ୍ତମାନ କହୁନାହିଁ। ହେଲେ ରାଧେକୁ କୋର୍ଟଚାଲାଣ କରିବା ପରେ ଏସବୁ ଘଟଣା ଏମିତି ହୋଇଥିବା ସୂଚନା ହସ୍ତଗତ ହୋଇଛି। ଅନ୍ୟପଟେ ରିମାଣ୍ଡରେ ସତ ଓଗାଳିବାପରେ ପୁଲିସ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଓରଫ ରାଧେ(୨୯)କୁ ଗୁରୁବାର ଅପରାହ୍ନରେ କୋର୍ଟଚାଲାଣ କରିଛି। ମମିତା ହତ୍ୟାକାଣ୍ଡ ପରେ ସବୁପ୍ରକାର ସହାୟତା ରାଧେ କରିଥିବା ପୁଲିସ ପ୍ରମାଣ ପାଇଛି। ଆଉ ଦୁଇଜଣ ଜେସିବି ଅପରେଟର ପୁଷ୍କର ଭୋଇ ଓ ମହାଲିଙ୍ଗ ମିନିଷ୍ଟାଡିୟମର ନିର୍ମାଣ କାମ ବୁଝାବୁଝି କରୁଥିବା ମୁନସି ଗୁପ୍ତେ ତାଣ୍ଡିକୁ ପୁଲିସ ପଚରାଉଚୁରା କରିଛି। । ଏହି ଦୁଇଜଣଙ୍କୁ ପୁଲିସ୍‌ ରାଜସାକ୍ଷୀ କରିବା ସହ ଗୁରୁବାର ଦିନ ଛାଡ଼ି ଦେଇଥିବା ଜଣାପଡ଼ିଛି।

କାହିଁକି ଓ କେମିତି ମାରିଲା?
ଶୁଣିବାକୁ ମିଳୁଛି, ଗତ ସେପ୍ଟେମ୍ବର ୨୧ ତାରିଖ ଦିନ ମମିତା ମହାଲିଙ୍ଗ କଲେଜ ତଥା ସନ୍‌ସାଇନ୍‌ ପବ୍ଲିକ ସ୍କୁଲକୁ ଯାଇଥିଲେ। ସେ ଲେଡିଜ୍‌ ହଷ୍ଟେଲକୁ ବି ଯାଇଥିଲେ। କାହାକୁ ଯିବାକୁ ମନାଥିବା ସ୍ଥାନ ସବୁକୁ ସେ ବୁଲିଥିଲେ। ଏହାକୁ ସହିପାରି ନଥିଲା ଗୋବିନ୍ଦ। କିନ୍ତୁ ତାଙ୍କ ଅନୈତିକ ସଂପର୍କ ବାବଦରେ ମମିତା ପ୍ରମାଣ ରଖିଥିବାରୁ ଗୋବିନ୍ଦ ଚୁପ୍‌ଚାପ୍‌ ରହିଥିଲା। ସେହିଦିନଠାରୁ ହିଁ ମନେମନେ ସେ ମମିତାଙ୍କୁ ରାସ୍ତାରୁ ସଫା କରିଦେବାକୁ ଉଦ୍ୟମ କରିଥିଲା। ଗତ ୬ ତାରିଖ ଦିନ ଯୋଜନା ଅନୁସାରେ ମିନି ଷ୍ଟାଡିୟମରେ ଏକ ଗାତ ଖୋଳିବାକୁ ସେ ଜେସିବି ଅପରେଟର ପୁଷ୍କରକୁ କହିଥିଲା। ଗାତ ବି ଖୋଳାଯାଇଥିଲା। ୭ ତାରିଖ ମିଟିଂ ଅଛି କହି ମମିତାଙ୍କୁ ସେ ଡାକିଥିଲା। କିନ୍ତୁ ହଠାତ୍‌ ସେ ୭ ବଦଳରେ ୮ ତାରିଖ ଦିନ ଆସିବାକୁ କହିଥିଲା। ମିଟିଂ ଘୁଞ୍ଚି ଯାଇଥିବା କହିଥିଲା। ମମିତା ବୈଠକକୁ ଆସିବା ପାଇଁ ୮ ତାରିଖ ବାହାରି ଚାନ୍ଦୋତରା ଯାଏ ବସ୍‌ରେ ଆସିଥିଲେ। ସେଠାରୁ ଗୋବିନ୍ଦ ନିଜ ୱାଗନର କାର୍‌ରେ ବସାଇ ଭବାନୀପାଟଣାକୁ ନେଇ ଯାଇଥିଲା। ମମିତାଙ୍କୁ ତା’ର ବିରୋଧରେ ଥିବା ସବୁ ଭିଡିଓ ଏବଂ ଫଟୋ କେବେବି କାହାକୁ କହିବ ନାହିଁ ସେ ନେଇ କହିଥିଲା। କିନ୍ତୁ ମମିତା ନିରବ ରହିଥିବାରୁ ସେ ମାଁ ମାଣିକେଶ୍ୱରୀ ମନ୍ଦିରରେ ଶପଥ କରିବାକୁ କହିଥିଲା। ହେଲେ ଶପଥ କରିବାକୁ ମନା କରିଦେଇଥିଲେ ମମିତା। କେଗାଁକୁ ଫେରିବା ବାଟରେ ଏ ନେଇ କଥାବାର୍ତ୍ତାରେ ଉଭୟଙ୍କ ଭିତରେ ଉଚ୍ଚବାଚ ହୋଇଥିଲା। ରାସ୍ତାରେ କୁରସୁର ନିକଟରେ ରାସ୍ତା କଡ଼ରେ ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ତଣ୍ଟିଚିପି ହତ୍ୟା କରିଥିଲା ଗୋବିନ୍ଦ।

ତଦନ୍ତ ପରିସରଭୁକ୍ତ ହେବେ କି ମନ୍ତ୍ରୀଙ୍କ ପିଏ?
ବଲାଙ୍ଗୀର : ମମିତା ମର୍ଡର ମିଷ୍ଟ୍ରି ଘଟଣାରେ ପୁଲିସ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାଭଳି ତଦନ୍ତ ଚଳାଇଛି ବୋଲି ସାଧାରଣରେ ଅଭିଯୋଗ କରାଯାଇଛି। କାରଣ ବି ସ୍ପଷ୍ଟ। ବାରବାର ପୁଲିସ ତଦନ୍ତ ସମୟରେ ବାଟ ହୁଡୁଛି। କେତେବେଳେ ଅଭିଯୁକ୍ତ ଫେରାର ତ କେତେବେଳେ ପୁଲିସ ଅଧା ତଦନ୍ତ କରି ପୁଣିଥରେ ତଦନ୍ତ କରିବାକୁ ଯାଉଛି। ଆଉ ମୁଖ୍ୟ ଅଭିଯୁକ୍ତକୁ ପ୍ରମାଣ ଲୁଚାଇବାକୁ ଏହି ମାମଲାରେ ଅନେକ ସମୟ ମିଳିଛି। ଏହିଭଳି ଏକ ସ୍ଥିତିରେ ମନ୍ତ୍ରୀଙ୍କ ପିଏଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ବୋଲି ପ୍ରଶ୍ନ ଉଠିଛି।

ପୂରା ଘଟଣାକ୍ରମକୁ ଦେଖିଲେ ୮ତାରିଖ ନିଖୋଜ ହୋଇଥିଲେ ମମିତା। ୯ ତାରିଖ ଦିନ ମମିତାଙ୍କ ପରିବାରବର୍ଗ କେଗାଁ ଥାନାକୁ ଆସିଥିଲେ। ପୁଲିସ କିନ୍ତୁ ଏତଲା ରଖିନଥିଲା। ଫଳରେ ସେମାନେ ନିଜେ ନିଜେ ପଚରାଉଚୁରା କରିବାରେ ଲାଗିଥିଲେ। ଆଉ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇ କହିଥିଲା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ସେ କଥା ହୋଇଛନ୍ତି। ମମିତାଙ୍କୁ ଖୋଜି ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଗୋବିନ୍ଦ କହିଥିଲା। ତାହା ହେଲା ମନ୍ତ୍ରୀଙ୍କ ପିଏ ସାଙ୍ଗରେ ସେ କଥା ହୋଇସାରିଛନ୍ତି ବୋଲି କହିଥିଲା। ଯାହାର କଲ୍‌ରେକର୍ଡ ମମିତାଙ୍କ ପରିବାରବର୍ଗ ପୁଲିସକୁ ଦେଇଛନ୍ତି। ହେଲେ ସେହି କଲ୍‌ରେକର୍ଡର ସତ୍ୟତା ଏ ପର୍ଯ୍ୟନ୍ତ ଅନୁସନ୍ଧାନ ହୋଇଛି ନା ନାହିଁ? ମନ୍ତ୍ରୀଙ୍କ ପିଏଙ୍କୁ ପୁଲିସ ସାମାନ୍ୟତମ ପଚରାଉଚୁରା ବି କରିନି। କଲ୍‌ ଡିଟେଲ୍ସ ଯାଞ୍ଚ ପୁଲିସ କରିଛି କି ନାହିଁ? ଏହା କ’ଣ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ ନୁହେଁ କି? ସାଧରଣରେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର