ହଜିଲା ପତ୍ନୀଙ୍କୁ ପାଇବାକୁ ୨୪ ଦିନରେ ୬୦୦ କି. ମି. ସାଇକେଲ ଚାଳାଇଲେ ଓଡ଼ିଶାରେ କାମ କରୁଥିବା ଜଣେ ଶ୍ରମିକ
ଜାମ୍ସେଦ୍ପୁର: ଝାଡ଼ଖଣ୍ଡର ଜଣେ ୪୨ ବର୍ଷିୟ ଶ୍ରମିକ ପ୍ରାୟ ୬୦୦ କିଲୋମିଟର୍ ସାଇକେଲ୍ ଚଳାଇ ଗତ ସପ୍ତାହରେ ପଶ୍ଚିମବଙ୍ଗର ଖଡ଼ଗପୁରରେ ପାଇଲେ ତାଙ୍କ ହଜିଲା ପତ୍ନୀଙ୍କୁ।
ପତ୍ନୀଙ୍କୁ ଖୋଜି ଖୋଜି ମୁସାବଣି ଅନ୍ତର୍ଗତ ବାଲିଗୋଡ଼ା ଗାଁ’ର ମନୋହର ନାୟକ ୨୪ ଦିନରେ ଦୈନିକ ୨୫ କିଲୋମିଟର ବାଟ ସାଇକେଲ ଚଳାଇ ୬୫ଟି ଗାଁ ବୁଲିଛନ୍ତି। ମକର ସଂକ୍ରାନ୍ତିକୁ ଯାଇ ବାପଘର କୁମ୍ରାସୋଳ ଗାଁ’ର ତାଙ୍କ ପତ୍ନୀ ଅନୀତା ଗତ ଜାନୁଆରି ୧୪ ତାରିଖରୁ ନିରୁଦ୍ଦେଶ ହୋଇଯାଇଥିଲେ।
ଓଡ଼ିଶାରେ ଦିନ ମଜୁରିଆ କାମ କରୁଥିବା ମନୋହର କହନ୍ତି: ଦୁଇ ଦିନ ବିତି ଯିବା ପରେ ମଧ୍ୟ ସେ ନ ଫେରିବାରୁ ମୁଁ ମୁସାବଣି ଏବଂ ଦୁମାରାଇ ଥାନାରେ ଅଭିଯୋଗ ଦାଏର କଲି। ପୁଲିସ କିଛି ଅଗ୍ରଗତି କରି ନ ପାରିବାରୁ ମନୋହର ସ୍ଥିର କଲେ ରାଜ୍ୟ ସାରା ବୁଲି ପତ୍ନୀ ଅନୀତାଙ୍କୁ ଖୋଜିବାକୁ। କଳଙ୍କିଲଗା ସାଇକେଲ୍ଟିକୁ ସଜାଡ଼ି ମୁଁ ଗାଁ’ରୁ ଗାଁ ବୁଲିଛି। କେତେ ବାଟ ବୁଲିଛି ତାହା ମୁଁ ଜାଣେନା।
ବାସ୍ତବରେ ଅନୀତାଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିବାରୁ ସେ ଠିକ୍ ଭାବେ କଥା କହି ପାରନ୍ତି ନାହିଁ। ବହୁ ଖୋଜାଖୋଜି ପରେ ତାଙ୍କୁ ନ ପାଇବାରୁ ସ୍ଥାନୀୟ ଖବରକାଗଜଗୁଡ଼ିକର ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସ୍ତମ୍ଭରେ ପତ୍ନୀଙ୍କ ଫଟୋ ଛାପାଇଲେ।
ଶେଷର ତାଙ୍କ ଉଦ୍ୟମ ସଫଳ ହେଲା। ଫଟୋ ଦେଖିଥିବା କିଛି ଲୋକ ଅନୀତାଙ୍କୁ ଖଡ଼ଗପୁର ରାସ୍ତାକଡ଼ର ଗୋଟିଏ ଖାବାର ଦୋକାନରେ ବସିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖଡ଼ଗପୁର ପୁଲିସ ସେମାନଙ୍କ ମୁସାବଣି ପ୍ରତିପକ୍ଷଙ୍କ ନିକଟକୁ ହ୍ଵାଟ୍ସ୍ଆପ୍ ଜରିଆରେ ତାଙ୍କର ଫଟୋ ପଠାଇଲେ। ଚିହ୍ନଟ ପାଇଁ ମୁସାବଣି ପୁଲିସ ମନୋହରଙ୍କୁ ଡକାଇଲେ।
ଆଉ କାଳ ବିଳମ୍ବ ନ କରି ଉଭୟଙ୍କ ଆଧାର କାର୍ଡ ଧରି ଖଡ଼ଗପୁର ଯିବା ପାଇଁ ଆମେ ମନୋହରଙ୍କୁ କହିଲୁ। ଫେବ୍ରୁଆରି ୧୦ ତାରିଖ ଦିନ ପତିପତ୍ନୀଙ୍କର ପୁର୍ନମିଳନ ହେଲା ବୋଲି କହନ୍ତି ମୁସାବଣି ଏସ୍ଏଚ୍ଓ ସୁରେଶ ଲିଣ୍ଡା। ଫେବ୍ରୁଆରି ୧୧ ତାରିଖରେ ଦୁହେଁ ଘରକୁ ଫେରିଛନ୍ତି।