ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା କନ୍ସାସର ଜଣେ ବ୍ୟକ୍ତି ମଇ ୨୯ ତାରିଖରେ ଥିବା ‘ମେମୋରିୟଲ ଡେ’ଦିନ ମାଛ ଧରିବାକୁ ସ୍ଥିର କରିଥିଲେ। ଏଥିପାଇଁ ସେ ଚେନି ହ୍ରଦକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏଭଳି ଜିନିଷ ପଡ଼ିଥିଲା ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

୪୫ବର୍ଷୀୟ ଜାନ ମୁନ୍ସ ଏହି ଘଟଣାକୁ ନେଇ କହିଛନ୍ତି, ‘ମୁଁ ଚେନି ହ୍ରଦକୁ ମାଛ ଧରିବାକୁ ବାହାରିଥିଲି। ଏହି ସମୟରେ ପବନ ବହୁତ ଜୋରରେ ହେଉଥିଲା। ମାଛ ଧରିବା ସ୍ଥାନ ଖୋଜୁଥିଲି। ଏଥିପାଇଁ ହ୍ରଦ ନିକଟରେ ଥିବା ଏକ ବନ୍ଧ ନିକଟକୁ ଯାଇଥିଲି। ମୋତେ ପାଣି ଭିତରେ କିଛିଗୋଟେ ଥିବା ଦେଖିବାକୁ ମିଳିଥିଲା। ମୁଁ ତାହାକୁ ବଡ଼ ମାଛ ବୋଲି ଭାବିଥିଲି। ତେଣୁ ଲାଇଭସ୍କୋପକୁ ପାଣିରେ ପକାଇଥିଲି।

ଏଥିରୁ ଦେଖିବାକୁ ପାଇଥିଲି କି ଏକ ଜିପ ପାଣି ଭିତରେ ପଡ଼ିଛି। ତେଣୁ ତାହାକୁ ବାହାର କରିବା ପାଇଁ ମୁଁ ଜାଲ ପକାଇଥିଲି। ମୋ ଜାଲଟି ଶକ୍ତ ଥିଲା। ତେଣୁ ମୁଁ ମାଛ ଧରା ଜାଲ ସାହାଯ୍ୟରେ ହ୍ରଦ ଭିତରେ ଫସିଥିବା ଜିପକୁ ବାହାର କରି ଆଣିଥିଲି। ଆଉ ସ୍ଥାନୀୟ ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲି। ସେମାନେ ପ୍ରଥମେ ଘଟଣାକୁ ବିଶ୍ବାସ କରି ନଥିଲେ। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ ସବୁକିଛି ସ୍ପଷ୍ଟ ହୋଇଥିଲା।’

ତେବେ ଯାଞ୍ଚରୁ ଜଣାପଡ଼ିଛି କି ଏହି ଜିପଟି ୧୯୯୦ ମସିହାରେ ଚୋରି ହୋଇଯାଇଥିଲା। ବୋଧ ହୁଏ ଚୋର ଏହି ଜିପକୁ ଚୋରି କରିବା ପରେ ଏହି ହ୍ରଦରେ ଫିଙ୍ଗି ଦେଇଥିଲା ବୋଲି ଅନୁମାନ କରାଯାଉଛି।