ମଣିଷ ଭୁଲିଛି ମଣିଷ ପଣିଆ

କରୋନା କଷ୍ଟଠୁ ବଳି ଗଲାଣି ଜୀବନ ଯନ୍ତ୍ରଣା। ସାମାଜିକ ଦୂରତା ରକ୍ଷା ପାଇଁ କୁହାଯାଉଛି ସିନା, ଏଣେ କିନ୍ତୁ ମଣିଷ ଭିତରେ ଯୋଜନ ଯୋଜନ ଦୂରତା ବଢ଼ିଗଲାଣି। ଶବକୁ କାନ୍ଧ ମିଳୁନି। ଗୁରୁତର ରୋଗୀକୁ ହସ୍ପିଟାଲ୍‌ ମିଳୁନି। ବାପର ଜୁଇରେ ପୁଅ ନିଆଁ ଦେଇପାରୁନି। କମ୍ପାନି କର୍ମଚାରୀଙ୍କୁ ଛଟେଇ କରିଦେଉଛି। ଘର ଭଡ଼ା ଦେଇ ନପାରିବାରୁ ଘର ମାଲିକ ଘରୁ ବାହାର କରିଦେଉଛି। କରୋନା କାଳରେ ହଜି ଯାଉଥିବା ମଣିଷପଣିଆର ଏମିତି କିଛି ଛାତିଥରା କାହାଣୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ବାପାଙ୍କ ଶେଷକୃତ୍ୟ କଲେନି, ମା’ଙ୍କୁ ବି ଘରେ ପୂରାଇଲେନି
ମାନବିକତା ଓ ଆତ୍ମୀୟତାକୁ ମାରିଦେଇଛି କରୋନା। ରିପୋର୍ଟ ନେଗେଟିଭ୍‌ ଥିଲେ ବି ନିଜ ବାପାଙ୍କ ଶବ ଗ୍ରହଣ କଲେନି କି ଅନ୍ତିମ ସଂସ୍କାର କଲେନି ଦୁଇ ପୁଅ। ଏମିତିକି ତାଙ୍କ ଶୁଦ୍ଧିକ୍ରିୟା ମଧ୍ୟ କଲେନି। ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ସଂସ୍କାର କରିବା ସହିତ ଏବେ ଶୁଦ୍ଧିକ୍ରିୟା ମଧ୍ୟ କରିବେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସବ୍‌ଡିଭିଜନ୍‌ ଗୁଢିଆଳି ଗ୍ରାମର ପ୍ରେମାନନ୍ଦ ସାହୁ(୬୦) ୧୯୮୯ ମସିହାରୁ ଦେବଗଡ଼ର ରାଧାରାଣୀ ପ୍ରେକ୍ଷାଳୟ ନିକଟରେ ଏକ ଛୋଟ ଦୋକାନ କରି ପରିବାର ଚଳାଉଥିଲେ। କିଛି ମାସ ପୂର୍ବରୁ ପ୍ରେମାନନ୍ଦ କିଡ୍‌ନି ଓ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ପତ୍ନୀ ଶାନ୍ତିଲତା ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବୁର୍ଲା ଡାକ୍ତରଖାନାରେ କରୋନା ସଂକ୍ରମଣ ପରେ ସେଠାରେ ଥିବା ରୋଗୀମାନଙ୍କୁ ନିଜ ନିଜ ଘରକୁ ଫେରାଇ ଦିଆଯାଇଥିଲା। ପ୍ରେମାନନ୍ଦ ମଧ୍ୟ ଦେବଗଡ଼ ଫେରିଥିଲେ। ଏହାପରେ ପ୍ରେକ୍ଷାଳୟ ମାଲିକ କ୍ଷୀରେଶ୍ବର ପ୍ରଧାନଙ୍କ ସହାୟତାରେ ବଣାଇଁ ସ୍ଥିତ ନିଜ ଗ୍ରାମକୁ ଯାଇଥିଲେ। କିନ୍ତୁ ସେଠାରେ ରହୁଥିବା ତାଙ୍କ ପୁଅମାନେ ବାପାମା’ଙ୍କୁ ଘରେ ପୂରାଇ ନ ଦେବାରୁ ପୁଣି ସେମାନେ ଦେବଗଡ଼ ଫେରି ଆସିଥିଲେ। ସେମାନେ ବୁର୍ଲାରୁ ଫେରିଥିବା ଖବର ପାଇ ଦେବଗଡ଼ ଜିଲ୍ଲା ପ୍ରଶାସନ ବି ସେମାନେ ରହୁଥିବା କୁଡିଆରେ ଲଟ୍‌କା ଲଗାଇ ସେମାନଙ୍କୁ ହୋମ୍ କ୍ୱାରାଣ୍ଟିନ୍‌ରେ ରଖିଥିଲା। ୨୪ ତାରିଖ ଦିନ ପୂର୍ବାହ୍ନରେ ପ୍ରେମାନନ୍ଦଙ୍କ ମୃତ୍ୟୁ ହେବାପରେ କରୋନା ଭୟରେ କେହି ପାଖ ମାଡ଼ି ନ ଥିଲେ। ପୁଅ ଓ ପରିବାର ‌ଲୋକେ ବି ସିଧା ମନା କରି ଦେଇଥିଲେ। ଫଳରେ ଶ୍ରୀ ପ୍ରଧାନ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତାରେ ପ୍ରେମାନନ୍ଦଙ୍କର ଦାହ ସଂସ୍କାର କରିଥିଲେ। ଏବେ ତାଙ୍କର ୨ ପୁଅ ଶୁଦ୍ଧିକ୍ରିୟା ମଧ୍ୟ କରିବେ ନାହିଁ ବୋଲି ମନା କରିଦେବାରୁ ମାନବିକତାର ପରିଚୟ ଦେଇ ଶ୍ରୀ ପ୍ରଧାନ ତାଙ୍କର ମଧ୍ୟ ଶୁଦ୍ଧିକ୍ରିୟା କରିବ‌େ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପ୍ରେମାନନ୍ଦଙ୍କ ପତ୍ନୀ ଶାନ୍ତିଲତା ଏବେ ଅସହାୟ ହୋଇଯାଇଛନ୍ତି। ତାଙ୍କୁ ମଧ୍ୟ ପୁଅମାନେ ପାଖରେ ରଖି ନାହାନ୍ତି। ସେ ଏବେ କେଉଁଠି ରହିବେ ଓ କିପରି ଚଳିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
– ଦେବଗଡ଼ରୁ ଶକ୍ତି ସୌରଭ ନନ୍ଦ

ସଙ୍ଗରୋଧ ପରେ ବି ୨ ନାବାଳିକା ବାସନ୍ଦ
ସରକାରୀ ସଙ୍ଗରୋଧ ସମାପ୍ତ କଲା ପରେ ବି କରୋନା ଭୟରେ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଦୁଇ ପ୍ରବାସୀ ନାବାଳିକା ଶ୍ରମିକ ଓ ସେମାନଙ୍କ ପରିବାର। କରୋନା ସଂକ୍ରମିତ ହୋଇ ନ ଥିଲେ ବି ଗାଁ ଲୋକେ ପାଖ ପୂରାଇ ଦେଇ ନାହାନ୍ତି। ବିଡିଓଙ୍କ ହସ୍ତକ୍ଷେପ ପରେ ବର୍ତ୍ତମାନ ସେମାନଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୋକାନ ବଜାରର ଅନୁମତି ମିଳିଛି। କିନ୍ତୁ ଏବେ ବି ସେମାନଙ୍କ ଜୀବନ ଆଗଭଳି ସ୍ବାଭାବିକ ହୋଇପାରିନି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ୍‌ ସାଲେଭଟ୍ଟା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଅଭିଯୋଗ ଅନୁଯାୟୀ, ବସାଲୋଇ ଗାଁର ସୁଲୋଚନା ଦୁଃଖୀ(୧୫) ଏବଂ ସୁଲୋଚନା ମନଦୁଃଖୀ(୧୮) ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ନିଜ ପରିବାରର ସହାୟତା ପାଇଁ ଗତ ବର୍ଷ ତାମିଲନାଡ଼ୁସ୍ଥିତ ଏକ ବାଲି କମ୍ପାନିକୁ କାର୍ଯ୍ୟ ପାଇଁ ଯାଇଥିଲେ। କରୋନା ଲକ୍‌ଡାଉନ୍‌ ଯୋଗୁଁ ସେମାନେ ନିଜ ଗାଁକୁ ଫେରି ଆସିଥିଲେ। ସରକାରୀ ବ୍ୟବସ୍ଥା ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ନିର୍ଧାରିତ ଅବଧି ସମାପ୍ତ କରିଥିଲେ। ଆଶା କରିଥିଲେ ଗାଁକୁ ଫେରିବା ପରେ ସ୍ବାଭାବିକ ଜୀବନ ଅତିବାହିତ କରିବେ। ସେମାନେ କରୋନା ଆକ୍ରାନ୍ତ ମଧ୍ୟ ହୋଇନଥିବାରୁ ଭୟ କରିବାର କିଛି କାରଣ ନ ଥିଲା। କିନ୍ତୁ ଘର ଲୋକଙ୍କ ସହିତ ମାତ୍ର କିଛି ସମୟ ଅତିବାହିତ କରିବା ପରେ କେବଳ ସେମାନଙ୍କୁ ନୁହେଁ; ସମ୍ପୂର୍ଣ୍ଣ ପରିବାରକୁ ଗ୍ରାମବାସୀଙ୍କ ପକ୍ଷରୁ ବାସନ୍ଦ କରି ଦିଆଯାଇଥିଲା। ବଜାର ଯିବା ବାରଣ ହୋଇଗଲା। ପରିବାରର କୌଣସି ସଦସ୍ୟ କ୍ଷେତକୁ ଯାଇ ପାରୁ ନ ଥିଲେ। କୂଅରୁ ପାଣି ଆଣିବା ମନା ଥିଲା। ଦୁଇ ଭଉଣୀ କରୋନା ଆକ୍ରାନ୍ତ ନଥିବା ପରିବାର ପକ୍ଷରୁ ଯେତେ ବୁଝାଇଥିଲେ ମଧ୍ୟ କେହି ବୁଝିନଥିଲେ। ସେମାନଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ିଥିଲା। କାଳେ ରୋଗ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କୁ ଡେଇଁବ ଏହି ଚିନ୍ତାରେ ସେମାନଙ୍କୁ ଏକପ୍ରକାର ବାସନ୍ଦ କରି ରଖାଯାଇଥିଲା। ପ୍ରାୟ ୧୫ ଦିନ ପରେ ରେଢ଼ାଖୋଲର କିଛି ସାମାଜିକ କର୍ମୀ ଏ ସମ୍ପର୍କରେ ଅବଗତ ହେବା ପରେ ନାକ୍ଟିଦେଉଲ ବିଡିଓଙ୍କୁ ଜଣାଇଥିଲେ। ବିଡିଓଙ୍କ ହସ୍ତକ୍ଷେପ ପରେ ତାଙ୍କ ପରିବାର ଉପରୁ ବାସନ୍ଦ ଉଠାଇ ଦିଆଯାଇଛି। ଦୁଇ ଭଉଣୀଙ୍କୁ ପୁନର୍ବାର ଗୃହାବଦ୍ଧରେ ରହିବାକୁ କୁହାଯାଇଛି।
– ସମ୍ବଲପୁରରୁ ଗାର୍ଗୀ ଶତପଥୀ

ସୁସ୍ଥ ‌ହେଲେ ବି ଦମ୍ପତିଙ୍କୁ ସାମାଜିକ ବାସନ୍ଦ : କକା ଘରେ କରୋନା, କାମ ହରାଇଲେ ଖଣି ଶ୍ରମିକ
ଆନ୍ଧ୍ରପ୍ରଦେଶରୁ ଫେରିବା ପରେ କକାପୁଅ ଭାଇ ଏବଂ ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ। କିନ୍ତୁ, ଏଥିପାଇଁ ବଡ଼ବାପା ପୁଅ ଭାଇକୁ ଖଣିରେ ପଶିବାକୁ ଦିଆଯାଉନି। ଗତ ୮ ତାରିଖଠାରୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି।ଖଣିରେ କାମ କରି ଦୈନିକ ୬ ଶହ ଟଙ୍କା ମଜୁରି ହାତେଇବାର ସୁଯୋଗ ଥିଲେ ମଧ୍ୟ ସେ ୧୯ଦିନ ଧରି ହାତବାନ୍ଧି ବସିଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହ୍ଲାରସାହିର ଏହି ଯୁବକ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି।

ଘଟଣାରୁ ପ୍ରକାଶ ଯେ, ଏହି ଯୁବକଙ୍କ ସମ୍ପର୍କୀୟ ସାନ ଭାଇ ସସ୍ତ୍ରୀକ ଗତମାସ ୨୬ ତାରିଖ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ପରଦିନଠୁ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ୮ ତାରିଖରେ ତାଙ୍କ ସ୍ବାବ୍ ପଜିଟିଭ୍‌ ଆସିଥିଲା। ଏହାପରେ କରୋନା ସନ୍ଦେହରେ ବଡ଼ବାପା ପୁଅ ଭାଇ ତଥା ସଂପୃକ୍ତ ଯୁବକଙ୍କ ସ୍ବାବ୍‌ ନିଆଯାଇଥିଲା। ୧୨ ତାରିଖରେ ରିପୋର୍ଟ ନେଗେଟିଭ୍‌ ରହିଥିଲା। ତଥାପି ତାଙ୍କୁ ଖଣିରେ କାମ କରିବାକୁ ଦିଆଯାଉନାହିଁ। ତେବେ, ଇମ୍ଫା ଖଣି କର୍ମଚାରୀ ସଂଘ ସଂପାଦକ ଦୀପକ କୁମାର ମହାରଣା ଏହି ଯୁବକଙ୍କୁ କାମ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି। ଏହି ଆଶ୍ବାସନା ନେଇ ଏବେ କାଳାତିପାତ କରୁଛନ୍ତି ଏହି ଯୁବକ।

ଆଉ ଏକ ଘଟଣା ଟିକେ ଅଲଗା ହେଲେ ବି ଏଠାରେ ବି ମାନବିକତାକୁ ନେଇ ପ୍ରଶ୍ନ ଉଠିଛି। ମହ୍ଲାରସାହି ବସ୍ତିରେ ଏକ ଦମ୍ପତି ସାମାଜିକ ବାସନ୍ଦ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ଥିବା ସାନଭାଇ ଗାଁକୁ ଫେରୁନି । ମହ୍ଲାରସାହି ବସ୍ତିର ଏକ ଦମ୍ପତି ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଥିଲେ। କରୋନା ମାଡ଼ରେ କାମ ହରାଇ ଏହି ଆଦିବାସୀ ଦମ୍ପତି ଗାଁକୁ ପଳାଇ ଆସିଲେ। ଏଠାରେ ସଙ୍ଗରୋଧରେ ଥିବାବେଳେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ। ଦୁହେଁ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହେଲେ, ଉଭୟ ସାମାଜିକ ବାସନ୍ଦର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପତ୍ନୀ ଏବେ ତିନି ମାସର ଅନ୍ତଃସତ୍ତ୍ବା ଥିଲେ ମଧ୍ୟ ସେମାନଙ୍କ ସହିତ କେହି ମିଳାମିଶା କରୁନାହାନ୍ତି। ଏମିତି ସେମାନଙ୍କୁ ଆହା ପଦେ କହିବାକୁ କେହିନାହାନ୍ତି। ତିନିଦିନ ତଳେ ଏହି ଦମ୍ପତି ଅନ୍ୟ ଜଣେ ଯୁବକ ହାତରେ ଚାଉଳ କିଣି ଖାଉଥିବା କହିଛନ୍ତି।
କରୋନା କିଭଳି ସାମାଜିକ ଭେଦଭାବ ବଢ଼ାଇଛି ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ହେଉଛି।
– କାଳିଆପାଣିରୁ ରବିନାରାୟଣ କର

ସମ୍ବନ୍ଧିତ ଖବର