ନୂଆଦିଲ୍ଲୀ: ଅନେକଥର ଆମକୁ ଏଭଳି କାହାଣୀ ଶୁଣିବାକୁ ମିଳିଥାଏ, ଯାହା ଆମକୁ ପ୍ରେରିତ କରିଥାଏ। କିଛି କ୍ଷେତ୍ରରେ ଦେଖିବାକୁ ମିଳିଥାଏ ଆର୍ଥିକ ସଙ୍କଟ ହେତୁ ଜଣେ ବ୍ୟକ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରି ନଥାଆନ୍ତି। କିଛିଲୋକ ଏମିତି ପରିଶ୍ରମୀ ହୋଇଥାଆନ୍ତି କି ନିଜର ଲକ୍ଷ୍ୟକୁ ପାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି। ସୋସିଆଲ ମିଡିଆରେ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଭାଇରାଲ ହୋଇଛି। ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବା ସହିତ ପ୍ରେରଣା ବି ଦେବ।

Advertisment

ଏହି କାହାଣୀ ଟି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ରହିଛି। ଯିଏକି ଆଇଏଏସ ଅଧିକାରୀ ହେବା ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କ ସାମ୍ନାରେ ଅର୍ଥ ବାଧକ ସାଜିଛି। ସେଥିପାଇଁ ସେ ରାସ୍ତାପାର୍ଶ୍ବ‌ରେ ସିଙ୍ଗଡ଼ା ବ୍ୟବସାୟ କରିବା ଆରମ୍ଭ କରିଛନ୍ତି।

ଫୁଡ଼ ବ୍ଲଗର ଗୌରବ ୱାସନ ଦ୍ବାରା ସେୟାର କରାଯାଇଥିବା ଏହି ଭିଡିଓରେ ନାଗପୁରର ସୁରଜ ନାମକ ବ୍ୟକ୍ତିଙ୍କୁ ସିଙ୍ଗଡ଼ା ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ଯିଏକି ଜଣେ ଦିବ୍ୟାଙ୍ଗ ରହିଛନ୍ତି। ଏହି ଦିବ୍ୟାଙ୍ଗଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଗୌରବ ୱାସନଙ୍କ ୟୁଟ୍ୟୁବ ସ୍ବାଦ ଅଫିସିଆଲ ନାମକ ପେଜ ଇନଷ୍ଟାଗ୍ରାମରୁ ସେୟାର କରାଯାଇଛି। ଏହି ଭିଡିଓ କ୍ଲିପରେ ସୁରଜ ତାଙ୍କ ହୁଇଲଚେୟାରରେ ବସି ସିଙ୍ଗଡ଼ା ବିକ୍ରି କରୁଥିବା ଦେଖିବାକୁ ମିଳୁଛନ୍ତି। ସେ ଗୋଟିଏ ସିଙ୍ଗଡା ପ୍ଲେଟ ପିଛା ୧୫ଟଙ୍କା ନେଉଛନ୍ତି।

ସୁରଜ ଏହି ଘଟଣାକୁ ନେଇ କହିଛନ୍ତି, ‘ନାଗପୁର ବିଶ୍ବବିଦ୍ୟାଳୟରୁ ମୁଁ ବିଏସସି ପାଠପଢ଼ା ଶେଷ କରିଛି। ଆଜି ପର୍ଯ୍ୟନ୍ତ ଅନେକ ଚେଷ୍ଟା କରି ବି ଭଲ ଚାକିରିଟିଏ ବି ପାଇପାରି‌ଲି ନାହିଁ। ଆର୍ଥିକ ସଙ୍କଟ ହେତୁ ଆଇଏଏସ ପାଇଁ ପ୍ରସ୍ତୁତି ହୋଇପାରୁ ନଥିଲି। ତେଣୁ ସିଙ୍ଗଡ଼ା ବ୍ୟବସାୟ କରି ଯେତିକି ଅର୍ଥପ୍ରାପ୍ତ କରୁଛି ସେଥିରେ ମୁଁ ଆଇଏଏସ ଅଧିକାରୀ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।’