ନୂଆଦିଲ୍ଲୀ: ଜୀବନଶୈଳୀ ସମସ୍ତଙ୍କ ସମାନ ନଥାଏ। କିଏ ଖାଦ୍ୟ ଖାଇ ନପାରି ଫିଙ୍ଗିଥାଏ ତ ଆଉ କିଏ ମୁଠାଏ ଚାଉଳ ପାଇଁ ଦିନରାତି ଏକ କରି ପରିଶ୍ରମ କରିଥାଏ। ତେଣୁ ଆମ ପାଖରେ ଯଦି ପିନ୍ଧିବାକୁ ପୋଷାକ, ଖାଇବାକୁ ଖାଦ୍ୟ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଅଛି ଏଥିସହିତ ଆମର ଅଙ୍ଗପ୍ରତ୍ୟେଙ୍ଗ ଠିକ ଅଛି ଆମେ ଭାଗ୍ୟବାନ ମଣିଷ ବୋଲି ଭାବି ନେବା ଉଚିତ।

Advertisment

କାରଣ ସମାଜରେ ଏମିତି ଅନେକ ଲୋକ ଅଛନ୍ତି। ଯେଉଁମାନେ ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହୁଛନ୍ତି। ଲୋକେ ହାତଗୋଡ଼ ଥାଇ ବି ପରିଶ୍ରମ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଦିବ୍ୟାଙ୍ଗ ହୋଇବି ‌ଲୋକେ ପରିଶ୍ରମ କରି ନିଜ ପରିବାର ପାଷୁଛନ୍ତି।

ଏମିତି ଜଣେ ଦିବ୍ୟାଙ୍ଗଙ୍କ ସଂଘର୍ଷର କ‌ାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଦିବ୍ୟାଙ୍ଗ ଜଣକ ଚାଲିବା ପାଇଁ ଆଶାବାଡି ବ୍ୟବହାର କରୁଥିବା ବେଳେ ସମସ୍ତ କାମକୁ ସେ ସାଧାରଣ ଲୋକଙ୍କ ଭଳି କରିଥାଆନ୍ତି। ସେ ଦିନମଜୁରିଆ ଭାବେ କାମ କରି ତାଙ୍କ ପରିବାର ପୋଷି ଥାଆନ୍ତି।

ଏହାକୁ ନେଇ ଦିବ୍ୟାଙ୍ଗ କହନ୍ତି, ‘ଗୋଟିଏ ଗୋଡ଼ ସିନା ନାହିଁ ବାକି ଅଙ୍ଗ ତ କାମ କରୁଛି। ତାହାକୁ ନେଇ ମୁଁ ବଞ୍ଚିବା ଶିଖିଛି। ଆଉ ରହିଲା କାମ କଥା। ହଁ ସମୟସମୟରେ କାମ କଲା ବେଳେ କଷ୍ଟ ହୋଇଥ‌ାଏ। ଏହି କଷ୍ଟକୁ ମୁଁ ନିଜ ଭିତରେ ମାରି ଦେଇଥାଏ। ମୋ ମତରେ ଅନ୍ୟ ଉପରେ ବୋଝ ହୋଇରହିବା ପରିବର୍ତ୍ତେ ପରିଶ୍ରମ କରି ଅଳ୍ପ ହେଉ ପଛେ ଟଙ୍କା ରୋଜଗାର କରିବା ସମ୍ମାନର କଥା।

ଯେଉଁମାନେ ଜୀବନରେ ଆସୁଥିବା ଝଡ଼ରେ ଭାଙ୍ଗି ପଡ଼ି ଜୀବନ ହାରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ମୋର ଅନୁରୋଧ ଜୀବନରେ ଆସୁଥିବା ଝଡ଼କୁ ସାମ୍ନା କରନ୍ତୁ। ଦେଖି‌ବେ ଆଗକୁ ଆପଣଙ୍କ ପାଇଁ ଖୁସିର ପାହାଡ଼ ଥିବ। ଯାହାକୁ ପାଇବା ପରେ ଆପଣ ସେହି କଷ୍ଟ ସମୟକୁ ଭୁଲିଯିବେ।’