ସ୍କୁଲ ଛାତ୍ରୀଙ୍କ ସହ କରୁଥିଲା ଅସଦାଚରଣ, ଭାଇରାଲ ଭିଡିଓରେ ଦେଖନ୍ତୁ କିଭଳି ଯୁବକକୁ ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବକଙ୍କୁ ମହିଳା କନଷ୍ଟେବଳ ଯେଉଁଭଳି ଭାବରେ ମାଡ଼ ମାରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାର ଭିଡିଓ ଭାଇରାଲ ହେବା ସହ ସମସ୍ତେ ମହିଳା କନଷ୍ଟେବଳଙ୍କ କାମକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ଅଭିଯୁକ୍ତ ଯୁବକଜଣଙ୍କ ସ୍କୁଲ ଛାତ୍ରୀଙ୍କ ସହ ବାଟରେ ଅସଦାଚରଣ କରୁଥିବା ଦେଖି ମହିଳା କନଷ୍ଟେବଳଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ ବୋଲି ଜଣାପଡ଼ିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି, ମହିଳା କ‌ନଷ୍ଟେବଳଜଣଙ୍କ ନିଜ ପାଦରୁ ଜୋତା କାଢ଼ି ଯୁବକଙ୍କୁ ନିସ୍ତୁକ ପିଟୁଛନ୍ତି। ୩୩ ସେକେଣ୍ଡର ଏହି  ଭିଡିଓରେ ମହିଳା କ‌ନଷ୍ଟେବଳଜଣକ  ଅଭିଯୁକ୍ତକୁ ପ୍ରାୟ ୨୦ଥର ପିଟିଥିବା ଦେଖାଯାଇଛି। ମାଡ଼ ଖାଇବା ପରେ ଯୁବକଜଣଙ୍କ ନିଜ ମୁହଁ ଲୁଚାଇବା ସହ କାନ୍ଦୁଥିବାର ଭିଡିଓରେ ସ୍ପଷ୍ଟ ଭ‌ାବେ ଦେଖାଯାଉଛି। ଏହା ପରେ ପରେ ମହିଳା କ‌ନଷ୍ଟେବଳଜଣଙ୍କ ଅଭିଯୁକ୍ତକୁ ପାଗଳ ହୋଇ ଯାଇଛ କି  ବୋଲି ପଚାରିବା ସହ ଘରେ ମା’-ଭଉଣୀ ନାହାନ୍ତି କି ବୋଲି ପଚାରୁଛନ୍ତି।

ଘଟଣା ପରେ ମହିଳା କ‌ନଷ୍ଟେବଳଜଣଙ୍କ ନାଁ ଚଞ୍ଚଲ ଚୌରାସିଆ ଓ ସେ ବିଠୁର ପୁଲିସ ଷ୍ଟେସନରେ ମୁତୟନ ଥିବା ଜଣାପଡ଼ିଛି। ଅଭିଯୁକ୍ତ ଯୁବକଙ୍କୁ ଚଞ୍ଚଲ ମାଡ଼ ମାରିବା ସହ ପୁଲିସ ଷ୍ଟେସନ ନେଇ ତାଙ୍କ ବିରୋଧରେ ଧାରା ୨୯୪ ଅନୁଯାୟୀ ଏତଲା ଲେଖାଇଥିଲେ। ଏବେ ଯୁବକଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର