୧୬୬୯ର କଥା। ଉଚ୍ଚ ନିରାପତ୍ତା ବ୍ୟବସ୍ଥା ଥିବା ତତ୍‌କାଳୀନ ଫ୍ରାନ୍‌ସର ଏକ କାରାଗାର ନିକଟରେ ଆସି ପହଞ୍ଚିଲା, ଅଭିଯୁକ୍ତମାନଙ୍କୁ ନେବା-ଆଣିବା କରୁଥିବା ଘୋଡ଼ା-ଗାଡ଼ିଟିଏ। ସଶସ୍ତ୍ର ରାଜ-ରକ୍ଷୀଙ୍କ ଗହଣରେ, ଗାଡ଼ିରୁ ଓହ୍ଲାଇଲେ ଜଣେ ମୁଖାଧାରୀ ବନ୍ଦୀ। ମୁଖାଧାରୀ ବନ୍ଦୀଙ୍କୁ ଦେଖି ବିସ୍ମିତ ହେଲେ, କାରାଗାର ଅଧୀକ୍ଷକ। ଅବଗତ ହେଲେ ଯେ, ସ୍ବୟଂ ରାଜାଙ୍କ ନିର୍ଦେଶରେ, ବନ୍ଦୀ ଜଣଙ୍କୁ ଆଜୀବନ କାରାଦଣ୍ତ ମିଳିଛି। ହୁକୁମ ଥିଲା, ମୃତ୍ୟୁ ପର୍ଯ୍ୟନ୍ତ ଏବ˚ ମୃତ୍ୟୁ ପରେ ସୁଦ୍ଧା ଯେପରି କେହି ତାଙ୍କ ମୁଖ ଦର୍ଶନ ନ କରନ୍ତି। ଆହୁରି କୁହାଯାଇଥିଲା, ଅନ୍ୟ ବନ୍ଦୀମାନେ ତାଙ୍କ ସହ ମିଶିପାରିବେନାହିଁ। କେବଳ ସ୍ବାଧୀନତା ଛଡ଼ା ବନ୍ଦୀ ଜଣକ ଯାହା ଚାହିଁବେ, ତାହା ତାଙ୍କୁ ଯୋଗାଇ ଦିଆଯିବ।

Advertisment

ଏହି ସ୍ବତନ୍ତ୍ର ବନ୍ଦୀ ଜଣକ ସେହି କାରାଗାରରେ କାଟିଥିଲେ ଚଉତିରିଶ ବର୍ଷ। ଆଉ ସେହି ଲମ୍ବା ସମୟ ଭିତରେ ଥରେ ହେଲେ ତାଙ୍କ ମୁଖା ଖୋଲାଯାଇ ନ ଥିଲା।ମୃତ୍ୟୁବରଣ କରନ୍ତେ, ତାଙ୍କୁ କବର ଦିଆଯାଇଥିଲା, ପୂର୍ବବତ୍‌ ମୁଖାଧାରୀ ଅବସ୍ଥାରେ। ସେ କିଏ ଥିଲେ ଏବ˚ ତାଙ୍କର ଅପରାଧ କ’ଣ ଥିଲା, କେହି ଜାଣନ୍ତିନାହିଁ। ଅତ୍ୟନ୍ତ ରହସ୍ୟମୟ ଭାବେ ରାଜାଙ୍କ ନିର୍ଦେଶରେ ତାଙ୍କର ପରିଚୟ ଗୋପନ ରଖାଯାଇଥିଲା। ସେତେ ବେଳେ ଫ୍ରାନ୍‌ସରେ ଶାସନ କରୁଥିଲେ ରାଜା ଚତୁର୍ଦଶ ଲୁଇ। ମୁଖାଧାରୀ ଜଣକ ତାଙ୍କ ଯମଜ ଭ୍ରାତା ବୋଲି ଅନୁମାନ କରାଯାଏ। ଭବିଷ୍ୟତ୍‌ରେ ସି˚ହାସନକୁ ନେଇ କାଳେ ବିବାଦ ସୃଷ୍ଟି ହେବ, ସେହି ଆଶଙ୍କାରେ ତାଙ୍କ ପରିଚୟ ଲୁଚାଇ, ତାଙ୍କୁ ବନ୍ଦୀ କରାଯାଇଥିଲା ବୋଲି କେହି କେହି ଐତିହାସିକ-ଗବେଷକ ମତ ଦିଅନ୍ତି। ଫରାସୀ ଔପନ୍ୟାସିକ ଆଲେକ୍‌ସାନ୍‌ଡୋ ଡେଭି ଡି ଲା ପେଲିଟେରି ଡ୍ୟୁମା, ଏହି ତଥ୍ୟ ଆଧାରରେ ବିରାଟ ଉପନ୍ୟାସଟିଏ ଲେଖିଯାଇଛନ୍ତି- ‘ଦ ମ୍ୟାନ୍‌ ଇନ୍‌ ଦ ଆଇରନ୍‌ ମାସ୍କ୍‌’।