ଦିଲ୍ଳୀ ମେଟ୍ରୋରେ ହଜିଥିବା ପର୍ସ ୧୧ ଦିନ ପରେ ଘରେ ପହଞ୍ଚିଲା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ବଦଳୁଛି ଦୁନିଆ। ଏମିତି କିଛି ଘଟଣା ବାରମ୍ବାର ଦେଖିବା ପରେ ଏମିତି ଲାଗୁଛି ଯେମିତି ପୃଥିବୀରୁ ପାପ ପରିମାଣ କମି କମି ଯାଉଛି। ଚଳିତମାସ ଆରମ୍ଭରେ ଗୁର୍‌ପ୍ରୀତ ସିଂହ ନାମକ ଜଣେ ଯୁବକ ଦିଲ୍ଳୀ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଗୁର୍‌ପ୍ରୀତ ଟ୍ରେନ୍‌ ମଧ୍ୟରେ ନିଜର ପର୍ସ ଭୁଲ୍‌ବଶଃତ ଛାଡ଼ି ଦେଇଥିଲେ। ଏଥିପାଇଁ ଗୁର୍‌ପ୍ରୀତ ଭାରି ବିବ୍ରତ ହୋଇ ପଡ଼ିଥିଲେ। ପର୍ସରେ ତାଙ୍କର କେବଳ ଅର୍ଥ ନୁହେଁ, ଅର୍ଥ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍‌ ମଧ୍ୟ ରହିଥିଲା। ମାତ୍ର ଖୁସିର କଥା ହେଉଛି ହଜିବାର ୧୧ ଦିନ ମଧ୍ୟରେ ଗୁର୍‌ପ୍ରୀତଙ୍କ ଘରକୁ ଡାକ ଯୋଗେ ଆସି ତାଙ୍କ ପର୍ସ ପହଞ୍ଚିଥିଲା।

ଏହାକୁ ପାଇବା ପରେ ଗୁର୍‌ପ୍ରୀତ ଖୁସି ହୋଇ ତାଙ୍କ ପର୍ସ ଫେରାଇଥିବା ବ୍ୟକ୍ତି ଜଣଙ୍କୁ ଧନ୍ୟବାଦ୍‌ ଜଣାଇବାକୁ ସୋସିଆଲ୍‌ ମିଡିଆ ଫେସ୍‌ବୁକ୍‌କୁ ଉପଯୁକ୍ତ ମାଧ୍ୟମ ବୋଲି ଚିନ୍ତା କଲେ। ଫେସ୍‌ବୁକ୍‌ରେ ପୋଷ୍ଟ୍‍ କଲେ ଅନେକ ଲୋକ ସେ ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ବୋଲି ଚିନ୍ତା କରି ତାଙ୍କ ନାମ ଉଲ୍ଲେଖ କରିଛନ୍ତି। ଉକ୍ତ ମହାନ ବ୍ୟକ୍ତି ଜଣକ ହେଉଛନ୍ତି ନୋଇଡ଼ାର ସିଦ୍ଧାର୍ଥ ମେହେଟା। ସିଦ୍ଧାର୍ଥ ଚିଠି ସହ ଗୁର୍‌ପ୍ରୀତଙ୍କୁ ତାଙ୍କ ପର୍ସ ଫେରସ୍ତ କରିଛନ୍ତି।

ଉଲ୍ଳେଖଯୋଗ୍ୟ, କିଛି ଦିନ ତଳେ ଜଣେ ଅଟୋ ଚାଳକ ଜଣେ ମହିଳାଙ୍କ ୫୦,୦୦୦ ଟଙ୍କା ଥିବା ବ୍ୟାଗ ଫେରାଇ ଚର୍ଚ୍ଚା ପାଲଟିଥିଲେ। ମହିଳା ଜଣକ ତାଙ୍କ ଆଟୋରେ ଯାତ୍ରା କରିଥିଲେ। ଭୁଲ୍‌ବଶତଃ ଟଙ୍କା ବ୍ୟାଗ୍‌କୁ ଅଟୋରେ ଛାଡ଼ି ଦେଇ ଯାଇଥିଲେ। ଅଟୋ ଚାଳକ ଜଣକ ତାହାକୁ ନେଇ ମହିଳାଙ୍କୁ ଖୋଜି ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର