ନୂଆଦିଲ୍ଲୀ: ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାର ତାରିଖ ଘୋଷଣା ହେବାପରେ ଲୋକମାନେ ବିଭିନ୍ନ ଉପାୟରେ ଭକ୍ତିଭାବ ପ୍ରକାଶ କରୁଛନ୍ତି। ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହେବା ଦିନ କିଏ ପ୍ରଭୁ ରାମଙ୍କୁ ସୁନାର ଧନୁତୀର ପ୍ରଦାନ କରିଥିଲେ ତ ଆଉ କିଏ ସୁନାର ମୁକୁଟ।
ସେବେଠାରୁ ଚାରିଆଡେ ରାମମୟ ହୋଇଯାଇଛି। ଲୋକେ ରାମମନ୍ଦିର ଆକୃତିର ସାମଗ୍ରୀକୁ ଖୁବ ପସନ୍ଦ କରୁଛନ୍ତି। ଏହାକୁ ନେଇ ବଜାରରେ ବି ଦୋକାନୀମାନେ ଲୋକଙ୍କ ଚାହିଦା ମୁତାବକ ରାମଲଲ୍ଲାଙ୍କ ମନ୍ଦିର ସହିତ ଜଡ଼ିତ ସାମଗ୍ରୀ ଗଢ଼ୁଛନ୍ତି ବା ଯେଉଁମାନେ ଗଢ଼ୁଛନ୍ତି ତାଙ୍କ ଠାରୁ ଆଣି ବିକ୍ରି କରୁଛନ୍ତି।
ଏହି କ୍ରମରେ ଜଣେ ଯୁବକ ଭଙ୍ଗା ଟିଭିରେ ରାମମନ୍ଦିରର ପ୍ରତିଛବି ଆଙ୍କି ଦେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ଇନଷ୍ଟାଗ୍ରାମରେ ଆର୍ଟିଷ୍ଟ ସିଣ୍ଟୁ ମୌର୍ଯ୍ୟ ଆଇଡିରେ ପୋଷ୍ଟ ହୋଇଛି।
ଯେଉଁଥିରେ ଜଣେ ଯୁବକ ଏକ ଭଙ୍ଗା ଟିଭିକୁ ତାଙ୍କ ପାଖକୁ ଆଣୁଛନ୍ତି। ଏହାପରେ ସେଥିରେ ଲାଗିଥିବା ସମସ୍ତ ସାମଗ୍ରୀଙ୍କୁ ଅଲଗା କରି ନିଜ ଶୈଳୀରେ ସଜାଉଛନ୍ତି। କିଛିସମୟ ପରେ ଉକ୍ତ ଟିଭି ସାମ୍ନାରେ ଏକ ପରଦା ଲଗାଇ ତା’ଉପରେ ଛବି ପକାଉଛନ୍ତି। ଯାହାକି ଅବିକଳ ରାମଙ୍କ ମନ୍ଦିର ଭଳି ଦୃଶ୍ୟମାନ ହେଉଛି। କେବଳ ଏତିକି ନୁହେଁ ରାମମନ୍ଦିରର ଛବି ଉପରେ ପ୍ରଭୁ ରାମ,ଲକ୍ଷ୍ମଣ ଓ ସୀତା ବି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।
ତେବେ ଏହା ପ୍ରଥମ ନୁହେଁ କିଛିଦିନ ତଳେ ଇନ୍ଷ୍ଟାଗ୍ରାମ୍ରେ ‘ଆର୍ଟିଷ୍ଟ-ସିଣ୍ଟୁ-ମୌର୍ଯ୍ୟ’ ନାମକ ପୃଷ୍ଠାରେ ଛଡ଼ାଯାଇଥିବା ଏକ ଭିଡିଓରେ ଚିତ୍ରଶିଳ୍ପୀ ସିଣ୍ଟୁ ଏକ ସାଦା କାଗଜ ଉପରେ ଆଚାରର ତେଲ ଓ ମସଲାକୁ ଛାଟି ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଥିଲା। କ୍ରମେ ତାଙ୍କର ଏହି ନିଆରା ସୃଷ୍ଟି ଏକ ନାରୀର ରୂପ ନେଇଥିଲା। ଶେଷରେ ତାହା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚିତ୍ରରେ ପରିଣତ ହୋଇଥିଲା।