ବର ବେଶରେ ଦେଖିବାକୁ ଚାହୁଁଥିବାରୁ ପୁଅକୁ କାଠକଣ୍ଢେଇ ସହିତ ବିବାହ କରାଇଲେ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ପିତା

ପ୍ରୟାଗରାଜ: ପୁଅ ସହିତ ଝିଅର, ଝିଅ ସହିତ ପୁଅର ବିବାହ ହେବା ଏକ ସାଧାରଣ କଥା। କିନ୍ତୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଜଣେ ଯୁବକ ନିଜ ପିତାଙ୍କ ଆତ୍ମସମ୍ମାନ ରଖିବା ପାଇଁ ଏକ ଅଦ୍ଭୁତ ଶୈଳୀରେ ବିବାହ କରିଛନ୍ତି। ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରୟାଗରାଜ ସହରରୁ ପାଖାପାଖି ୩୦ କିଲୋମିଟର ଦୂର ଅଞ୍ଚଳର ଭୈଦପୁର ଗାଁକୁ ମଙ୍ଗଳବାର ସନ୍ଧ୍ୟାରେ ବରଯାତ୍ରୀ ଆସିଥିଲେ। ଏହି ବରଯାତ୍ରୀ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ୯୦ବର୍ଷ ବୟସ୍କ ଶିବ ମୋହନ ପାଲଙ୍କ ଘରୁ ବାହାରିଥିଲେ ଏବଂ ଗାଁରେ ବୁଲି ପୁଣି ଥରେ ଘରକୁ ଫେରି ଆସିଥିଲେ। ଏହା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ମହିଳାମାନେ ମଙ୍ଗଳ ଗୀତ ଗାଇଥିଲେ। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ପରେ ସାତ ଫେରା ହୋଇଥିଲା। ବିବାହ ପରେ ଲୋକେ ୩୨ବର୍ଷ ବୟସ୍କ ବର ପଞ୍ଚରାଜଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ଅତିଥିଙ୍କ ଖାଇବା ପାଇଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା।


କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବୃଦ୍ଧ ଶିବ ମୋହନ ପାଲ ନିଜ ଅଷ୍ଟମ ପୁଅ ପଞ୍ଚରାଜଙ୍କ ବିବାହ କୌଣସି ଯୁବତୀଙ୍କ ସହ ନୁହେଁ ବରଂ ଏକ କାଠ ଓ କାଗଜରେ ପ୍ରସ୍ତୁତ କରାଯାଇଯାଇଥିବା ଏକ କଣ୍ଢେଇ ସହ କରାଇଥିଲେ। ବିବାହ ପରେ କଣ୍ଢେଇକୁ ପୋଖରୀରେ ବିସର୍ଜନ କରି ଦିଆଯାଇଥିଲା।

ଶିବ ମୋହନଙ୍କ ୯ ପୁଅ ଏବଂ ୩ ଝିଅ। ସେ ତାଙ୍କ ସମସ୍ତ ପିଲାଙ୍କ ବିବାହ ଠିକ୍‌ ସମୟରେ କରାଇ ଦେଇଥିଲେ କିନ୍ତୁ ପଞ୍ଚରାଜଙ୍କ ବିବାହ କରାଇ ପାରି ନଥିଲେ। ସେ ତାଙ୍କ ସମସ୍ତ ପିଲାଙ୍କୁ ଭଲଭାବେ ପଢ଼ାଇଥିଲେ। କିନ୍ତୁ ୮ନମ୍ବର ପୁଅ ପଞ୍ଚରାଜ ତାଙ୍କ ଶତ ଚେଷ୍ଟା ପରେ ବି ସ୍କୁଲ୍‌ ଯାଇ ନଥିଲେ।

ପଞ୍ଚରାଜ ଏବେ ପୂରାପୂରି ବେକାର ହୋଇ ବସିଛନ୍ତି। ଶିବ ମୋହନ ଏଥିପାଇଁ ବହୁତ ଦୁଃଖରେ ରହୁଥିଲେ। ଏପଟେ ସେ ପୁଅ ପଞ୍ଚରାଜଙ୍କୁ ବି ବର ବେଶରେ ଦେଖିବାକୁ ଚାହୁଁଥିଲେ। କିନ୍ତୁ ପଞ୍ଚାରଜକୁ ବିବାହ କରି ଯେପରି କୌଣସି ଝିଅର ଜୀବନ ନଷ୍ଟ ନହେଉ ସେଥିପାଇଁ ପିତା ଶିବ ମୋହନ ଏଭଳି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର