ବେଙ୍ଗାଲୁର: ବେଙ୍ଗାଲୁରୁ ସହର ଏକ ଆଇଟି ହବ୍ ଭାବରେ ଜଣାଶୁଣା ଏବଂ ସୋସିଆଲ ମିଡିଆରେ ପ୍ରାୟତଃ ଟ୍ରେଣ୍ଡ୍ ହୋଇଥାଏ । ସହରର ସାଧାରଣ ଜନତାଙ୍କ ଭିତରେ ବି ବୈଷୟିକ ଜ୍ଞାନକୌଶଳ ଦେଖିବାକୁ ମିଳେ। ଟ୍ୱିଟରରେ ଏବେ ସେହି ସହରରେ ଘଟିଥିବା ଏକ ମଜାଦାର ଘଟଣାର ପୋଷ୍ଟ ଭାଇରାଲ୍ ହୋଇଛି। ଜଣେ ବ୍ୟକ୍ତି ପଡୋଶୀଙ୍କୁ କିପରି ଏକ ନୋଟ୍ ମାଧ୍ୟମରେ ଗାଡ଼ି ପାର୍କିଂକୁ ନେଇ ନିବେଦନ କରିଛନ୍ତି ତାହା ସେୟାର କରାଯାଇଛି।
ପୋଷ୍ଟରେ ଶୁଭାଶିଷ ଦାସ ନାମକ ଜଣେ ଟ୍ବିଟର୍ ବ୍ୟବହାରକାରୀ ଗାଡ଼ିରେ ଲେଖାଯାଇଥିବା ଏକ ନୋଟ୍କୁ ସେୟାର୍ କରିଛନ୍ତି। ଜଣେ ବ୍ୟକ୍ତି ନିଜ କାର୍ କାଚରେ ତାଙ୍କ ପଡ଼ୋଶୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଦୟାକରି ଆପଣଙ୍କ କାରକୁ ଏଠାରେ ପାର୍କ କରନ୍ତୁ ନାହିଁ। ଆମେ ଏହା ନକରିବାକୁ ପୂର୍ବରୁ ଅନୁରୋଧ କରିଥିଲୁ। ଦୟାକରି ବୁଝନ୍ତୁ ଯେ ଆମେ ୨୦୦୦ ମସିହାରୁ ଆମେ ଏହି ଅଞ୍ଚଳରେ ବାସ କରୁଛୁ ଏବଂ ଆମର ୨ଟି କାର ଅଛି। ତେଣୁ, ଆମକୁ ପାର୍କିଂ ପାଇଁ ଅଧିକ ସ୍ଥାନ ଆବଶ୍ୟକ। ଦୟାକରି ଆପଣଙ୍କର ପୂର୍ବ ପାର୍କିଂ ସ୍ଥାନକୁ ଫେରିଯାଆନ୍ତୁ। ଚାଲନ୍ତୁ ଭଲ ଏବଂ ସହଯୋଗୀ ପଡ଼ୋଶୀ ହେବା। ଇତି ଆପଣଙ୍କ ପଡ଼ୋଶୀ।’
ଏହି ନୋଟ୍ଟି ଟ୍ବିଟ୍ରରେ ଭାଇରାଲ୍ ହେବା ପରେ ଟ୍ବିଟର୍ ବ୍ୟବହାରକାରୀମାନେ ବହୁତ ମଜାଦାର ମତ ସବୁ ରଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯଦି ଗୁରୁଗ୍ରାମରେ କେହି ଏପରି ଲେଖିଥାନ୍ତେ ତ ପଡ଼ୋଶୀ ଗାଡ଼ି କାଚକୁ ବାଡ଼େଇ ଭାଙ୍ଗି ଦେଇଥାନ୍ତେ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ଭାବୁନାହିଁ ଯେ ଅନ୍ୟ କେହି ଏପରି ବିନମ୍ର ନିବେଦନ କରିପାରିବେ ବୋଲି’। ବେଙ୍ଗାଲୁରର ଲୋକମାନେ ଖୁବ୍ ଭଲ ବୋଲି ଜଣେ ଲେଖିଥିବା ବେଳେ ଏପରି ସମସ୍ୟାଗୁଡ଼ିକ ସଧାରଣତଃ ମାଡ଼ଗୋଳରେ ହିଁ ଶେଷ ହୁଏ ବୋଲି ଅନ୍ୟ ଜଣେ ଲେଖିଛନ୍ତି।