ଝିଅ ଜନ୍ମ ହେବା ପରେ ସମୟ ବିତାଇବା ପାଇଁ କୋଟି କୋଟି ଟଙ୍କାର ଚାକିରି ଛାଡ଼ିଲେ ଯୁବକ

ନୂଆଦିଲ୍ଲୀ: ଝିଅ ଜନ୍ମ ହେବା ପରେ କୋଟି କୋଟି ଟଙ୍କାର ଚାକିରି ଛାଡ଼ିଲେ ଯୁବକ। ପଦୋନ୍ନତି ହେବା ପରେ କାମ ପାଇଁ ବିଭିନ୍ନ ସହରକୁ ଯିବାକୁ ପଡ଼ିବ ବୋଲ କମ୍ପାନି କହିବାରୁ ଯୁବକଜଣକ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ନିଜର ନବଜାତ ଝିଅକୁ ସବୁ ସମୟ ଦେବାକୁ ଯାଇ ଏଭଳି କରିଥିବା କହିଛନ୍ତି।ଆଇଆଇଟି ଖଡଗପୁରରୁ ସ୍ନାତକ ହାସଲ କରିଥିବା ଅଙ୍କିତ ଯୋଶୀଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ବିରୋଧ କରିଥିଲେ ବି ତାଙ୍କ ପତ୍ନୀ ଆକାଂକ୍ଷା ତାଙ୍କୁ ସମର୍ଥନ ଜଣାଇଥିବା କହିଛନ୍ତି ଅଙ୍କିତ।

ହୁମାନ୍ସ ଅଫ ବମ୍ବେକୁ ସାକ୍ଷାତକାର ଦେଇ ଅଙ୍କିତ କହିଛନ୍ତି ଯେ, ବରିଷ୍ଠ ଉପାଧ୍ୟକ୍ଷ ଭାବରେ ସେ କିଛି ମାସ ପୂର୍ବରୁ ଏକ ନୂତନ ଚାକିରି ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ଝିଅ ଜନ୍ମ ହେବା ପରେ ସେ ନିଜର ନବଜାତ ଶିଶୁ ସହିତ ସମୟ ଅତିବାହିତ କରିବା ପାଇଁ ଅଧିକ ବେତନ ପାଉଥିବା ଚାକିରି ଛାଡିଥିଲେ। କାରଣ ଚାକିରି କରିଥିଲେ ତାଙ୍କୁ ବିଭିନ୍ନ ସହରକୁ ଯାତ୍ରା କରିବାକୁ ପଡ଼ିଥାନ୍ତା। ଏମଧ୍ୟରେ ସେ ନିଜ ଝିଅ ସହ ସମୟ ବିତାଇ ପାରିନଥାନ୍ତେ। ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ବିଚିତ୍ର ଲାଗିଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଁ ନେଇଥିବା ପଦକ୍ଷେପଟି ସହଜ ନୁହେଁ। ଅନେକ ପୁରୁଷ ଏଭଳି ନିଷ୍ପତ୍ତି ଏତେ ସହଜରେ ନେଇ ପାରିବେ ନାହିଁ। କିନ୍ତୁ ମୁଁ ଆଶା କରୁଛି ଆଗାମୀ ବର୍ଷ ସବୁ ଜିନିଷ ବଦଳିଯିବ। କାରଣ ମୁଁ ଗତ ୧ମାସରେ ମୋ ଝିଅ ସହ ସମୟ ଅତିବାହିତ କରି ଯେତିକି ଖୁସି ହୋଇଛି, ତାହା ମୋ ପାଇଁ ଏପର୍ଯ୍ୟନ୍ତ ମିଳିଥିବା ସବୁ ଖୁସିଠାରୁ ବଡ଼। ବାପା ହେବା ପରେ ମୁଁ ସମ୍ପୂର୍ଣ୍ଣ ଅନୁଭବ କରୁଛି।

ସମ୍ବନ୍ଧିତ ଖବର