ନୂଆଦିଲ୍ଳୀ: କଥାରେ ଅଛି ‘ମାଆ ଥିବା ପିଲା କାହାକୁ ଡରେନା, ବାପା ଥିବା ପିଲା ସଭାରେ ହାରେନା’। ବାପାମାଆଙ୍କ ସ୍ନେହମମତାର ଏତେ ଶକ୍ତି ଥାଏ ଯେ, ଜୀବନର ବଡ଼ରୁ ବଡ଼ ସଂକଟ ସେ ଦୁହିଁଙ୍କ ଆଶୀର୍ବାଦ ଆଗରେ ମୁଣ୍ଡ ତଳକୁ କରିଥାନ୍ତି। ହେଲେ ସବୁଦିନ ସମସ୍ତଙ୍କୁ ବାନ୍ଧି ପାରିବାର ସାମର୍ଥ୍ୟ ପ୍ରକୃତି ଆମକୁ ଦେଇନାହିଁ। କଠୋର ହେଲେ ବି ଏକଥା ସତ ଯେ ଦିନେ ନା ଦିନେ ପ୍ରତ୍ୟେକଙ୍କ ଜୀବନରେ ବାପାମାଆଙ୍କୁ ହରାଇବାର ଦୁଃଖ ଆସେ।
ହେଲେ ମୃତ ବାପାଙ୍କ ମୋବାଇଲ୍ ନମ୍ବରରୁ ପୁଅର ଅସମୟରେ ଶାନ୍ତ୍ବନାପୂର୍ଣ୍ଣ ବାର୍ତ୍ତା ଆସିବା ଭଳି ଏକ କଥା ଆପଣ ହୁଏତ ଆଗରୁ କେବେ ଶୁଣି ନଥିବେ। ଘଟଣାଟି ହେଉଛି ଦକ୍ଷିଣ ଚୀନ୍ର। ଜାଣିବାକୁ ମିଳିଛି ଯେ ଚୀନର ଜଣେ ଯୁବକ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ପାରି ୩ ବର୍ଷ ତଳେ ହରାଇଥିବା ତାଙ୍କ ବାପାଙ୍କୁ ଖୁବ୍ ମନେ ପକାଇଲେ। ନିଜର ଭାବପ୍ରବଣତାକୁ ରୋକି ନପାରି ମନ ବୁଝାଇବାରୁ ପୂର୍ବରୁ ତାଙ୍କ ବାପା ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରକୁ ଏକ ମେସେଜ୍ ପଠାଇଲେ। ସେ କେବେ ବି ଭାବିନଥିଲେ ଯ ତାଙ୍କ ମେସେଜ୍ର ପ୍ରତ୍ୟୁତ୍ତର ବି ଆସିବ ବୋଲି।
୨୨ ବର୍ଷୀୟ ଯୁବକ ଜଣକ ନିଜ ମନର କୋହକୁ ସମ୍ଭାଳି ନପାରି ଲେଖିଥିଲେ, ‘ବାପା, ମୁଁ ପିଜି ପରୀକ୍ଷାରେ ଫେଲ୍ ହୋଇଯାଇଛି। ମୁଁ ଆଗାମୀ ବର୍ଷ ପରୀକ୍ଷା ପାଇଁ ଆହୁରି ଅଧିକ ପରିଶ୍ରମ କରିବି। ତୁମେ ତ ମୋତେ ଭଲ କରି ଜାଣିଛ। ମୁଁ ଏହା କରି ଦେଖାଇବି।’
ଆଶ୍ଚର୍ଯ୍ୟର କଥା ହେଉଛି, କିଛି ସମୟ ପରେ ଯୁବକଙ୍କୁ ତାଙ୍କ ମେସେଜ୍ର ଜବାବ ବି ଆସିଥିଲା। ଜବାବ ଲେଖିଥିଲେ ତାଙ୍କ ବାପାଙ୍କ ପୁରୁଣା ମୋବାଇଲ୍ ନମ୍ବରକୁ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି। ବ୍ୟକ୍ତି ଜଣକ ମେସେଜ ପଢ଼ି ଭାବିଲେ କେହି ଜଣେ ପୁଅ ନିଜ ବାପାଙ୍କୁ ମନେ ପକାଇ ଏପରି ମେସେଜ୍ କରିଛି। ଏହି ମେସେଜ୍ର ଜବାବ ଦେଇଦେଲେ ହୁଏତ ସେ ପିଲାକୁ ସାହସ ମିଳିପାରେ। ସେୟା ଭାବି ବ୍ୟକ୍ତି ଜଣକ ଉତ୍ତରରେ ଲେଖିଲେ, ‘କିଛି କଥା ନାହିଁ ପୁଅ, କିଏ ଏପରି ଅଛି ଯିଏ ସବୁବେଳେ ଉପରକୁ ଉଠିଚାଲେ? ବିଫଳତାରୁ ଆଗକୁ ବଢ଼ି ତୁମେ ସମସ୍ତଙ୍କଠାରୁ ଭଲ ବନିପାରିବ। ମୋର ବିଶ୍ବାସ ଅଛି। ମୋ ପିଲା ସବୁଠାରୁ ନିଆରା। ବାପା ତୁମକୁ ଖୁବ୍ ମନେ ପକାଉଛନ୍ତି।’
ପୁଅ ଜଣକ ମେସେଜ୍ର ଜବାବ ଦେଖି ବୁଝି ସାରିଥିଲେ ଯେ ତାହା ତାଙ୍କ ବାପାଙ୍କ ନମ୍ବର ବ୍ୟବହାରକାରୀଙ୍କ ନିକଟରୁ ଆସିଛି ବୋଲି। ହେଲେ ବି ସେ ନିଜ ଭାବପ୍ରବଣତାକୁ ରୋକି ପାରିଲେ ନାହିଁ। ଖୁବ୍ କାନ୍ଦିବାକୁ ଲାଗିଲେ ଓ ମେସେଜର ଜବାବ ଦେଇ ତାଙ୍କ ଭାବପ୍ରବଣତାକୁ ବୁଝିଥିବାରୁ ବ୍ୟକ୍ତି ଜଣଙ୍କୁ ଧନ୍ୟବାଦ ବି ଜଣାଇଲେ। ଏହି ମେସେଜ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।