ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶୟୋପୁରର ଏକ ଗ୍ରାମରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପରିବାରଲୋକ ପୁଅର ଅନ୍ତିମ ସଂସ୍କାର କରି ସାରି ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୁଣି ସେମାନଙ୍କ ମୁଖରେ ହସ ଖେଳି ଯାଇଛି। କାରଣ ସେ ଯେଉଁ ପୁଅକୁ ମୃତ ବୋଲି ଭାବୁଥିଲେ ସେ ଆଜି ଜୀବିତ ଅଛି। ଆଉ ମା’ ପାଖକୁ ଫେରି ଆସିଛି।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଦୁର୍ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ରାଜସ୍ଥାନର ସବାଇ ମୋଧାପୁର ନିକଟ ସୁରବାଲରେ ଜଣେ ଅଜଣା ଯୁବକ ଗଭୀରଭାବେ ଆହତ ହୋଇଥିଲେ। ଏହି ଯୁବକ ଜଣକଙ୍କୁ ଦିନଦୟାଲ ଶର୍ମାଙ୍କ ପରିବାରଲୋକ ନିଜ ପୁଅ ସୁରେନ୍ଦ୍ର ଶର୍ମା ବୋଲି ଚିହ୍ନଟ କରିଥିଲେ।
ଏହାପରେ ପରିବାରଲୋକ ଜୟପୁର ପହଞ୍ଚିବା ପରେ ଡାକ୍ତର ଉକ୍ତ ଆହତ ଯୁବକଙ୍କୁ ମୃତଘୋଷଣା କରିଥିଲେ। ପୁଲିସ ବ୍ୟବଚ୍ଛେଦ କରି ମୃତଦେହକୁ ଦିନଦୟାଲ ଶର୍ମାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲା। ଏହାପରେ ପରିବାରଲୋକ ମୃତଦେହର ଅନ୍ତିମ ସଂସ୍କାର କରିଦେଇଥିଲେ।
ପୁଅର ଅନ୍ତିମ ସଂସ୍କାରର ୧୩ଦିନ ଦିନ ହଠାତ ସୁରେନ୍ଦ୍ର ଶର୍ମା ଆସି ଘରେ ପହଞ୍ଚି ଯାଇଥିଲେ। ସୁରେନ୍ଦ୍ରଙ୍କୁ ଦେଖି ସମ୍ପୂର୍ଣ୍ଣ ଗାଁ ଖୁସି ହୋଇଯିବା ସହିତ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାରରେ ପୁଣି ଖୁସି ଖେଳି ଯାଇଥିଲା।
ଏହି ଘଟଣାକୁ ନେଇ ସୁରେନ୍ଦ୍ର ଶର୍ମା କହିଛନ୍ତି, ’ମୁଁ ଜୟପୁରର ଏକ କପଡ଼ା କାରଖାନାରେ ସୁପରଭାଇଜର ଭାବେ କାମ କରେ। ଗତ ମାସରେ ଘରକୁ ଛୁଟିରେ ଆସି ପୁଣି ଚାକିରି କରିବାକୁ ଜୟପୁର ଚାଲି ଯାଇଥିଲି।
ଏହାପରେ ମୋର ଫୋନ ଖରାପ ହୋଇଯିବାରୁ ପରିବାରଲୋକଙ୍କ ସହିତ ଆଉ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦୁର୍ଘଟଣାରେ ଯେଉଁ ବ୍ୟକ୍ତି ଜଣକ ଆହତ ହୋଇଥିଲେ ତାଙ୍କ ଶାରୀରିକ ଗଠନ ମୋ ଭଳି ଥିଲା। ତେଣୁ ପରିବାରଲୋକ ଉକ୍ତ ବ୍ୟକ୍ତିଙ୍କୁ ମୁଁ ବୋଲି ଭାବି ନେଇଥିଲେ।’